ମାତୃ ଦିବସରେ ଗୋମାତା ପୂଜା
ମାଆ… ଗୋଟିଏ ନାଁ, କୋଟିଏ ରୂପ । ଯିଏ ଜନ୍ମଦେଇଛି ସିଏ ତ ମାଆ, କିନ୍ତୁ ଯାହା ଉପରେ ଆମେ ଖେଳୁଛୁ, ବୁଲୁଛୁ, ବଢୁଛୁ ସିଏ ବି ମାଆ… ମାଟି ମାଆ । ଆଉ ଜଣେ ମାତା ଗୋମାତା । ତାଠୁ ଜନ୍ମ ନେଇନୁ ସତ କିନ୍ତୁ ତା କ୍ଷୀର, ସର, ଲହୁଣୀ, ଘିଅ ଖାଇ ଆମେ ସୁସ୍ଥ ରହିଛୁ । ତା ଗୋବରକୁ ଚାଷରେ ଲଗାଇ ସବୁଜ ଶସ୍ୟ ତୋଳିଛୁ । ସେ ମାଆର ବି ଦାନ ଆମ ଜୀବନରେ ଅତୁଳନୀୟ । ହିନ୍ଦୁ ଧର୍ମରେ ଗୋମାତା ସବୁଠାରୁ ପବିତ୍ର ବୋଲି ମଣାଯାଏ । ଗାଈର ଗୁରୁତ୍ୱ ଆମ ଧର୍ମରେ ଅନେକ ରହିଛି । ଗାଈ ଦେହରେ ଦେବତା ବାସ କରନ୍ତି । ତେଣୁ ତ ଗାଈକୁ ଦେବୀ ଓ ମାଆର ସ୍ଥାନ ଦିଆଯାଇଛି । କିନ୍ତୁ ବିଡମ୍ବନାର ବିଷୟ ଆଧୁନିକ ସମାଜକେ ଗାଈର ଗୁରୁତ୍ୱ କମିଆସିଲାଣି । ଗୋମାତାର ମହତ୍ୱ ବୁଝୁନି ଏ ଆଧୁନିକ ମାନବ ସମାଜ । ତେଣୁ ଆସନ୍ତୁ ବିଶ୍ୱ ମାତୃ ଦିବସରେ ହଜିଯାଉଥିବା ପରମ୍ପରାକୁ ପୁଣି ଥରେ ମନେପକାଇ ଗାଈର ପୂଜା କରିବା, ସେବା କରିବା । ମାତୃ ଦିବସରେ ଗୋମାତାର ସେବାଯତ୍ନ କରିବା…

ଧିରେ ଧିରେ ସମାଜରୁ ଗାଈ ହଜିହଜି ଯାଉଛନ୍ତି । ଆଗରୁ ଯେମିତି ଘରେ ଘରେ ଗାଈ ଥିଲେ, ଗୋରୁ ଗୁହାଳରେ ରହୁଥିଲେ । ଏବେ କିନ୍ତୁ ଗାଁରେ ବି ଏତେ ଦେଖିବାକୁ ମିଳୁନି ଗାଈଗୋରୁଙ୍କ ସଂଖ୍ୟା । ମାଳମାଳ ଗାଈଗୋରୁ ଗୋଠରୁ ଫେରୁଥିବେ, ପଶ୍ଚିମ ଆକାଶରେ ନଇଁଆସୁଥିବା ଗୋଟେ ନାଲି ସୂର୍ଯ୍ୟ କିରଣରେ ଗୋଧୂଳିର ଆକାଶ ଆକର୍ଷିତ କରୁଥିବ । ଗାଈଆଳ ଗାଈଙ୍କୁ ଧରି ଗାଁମୁହାଁ ହେଉଥିବା ସେ ଦୃଶ୍ୟ ଆଉ ଦେଖିବାକୁ ମିଳୁନି । ଗାଁ ବି ବଦଳି ଗଲାଣି । ଗାଁ ବିଲରେ ଆଉ ଖତ ପଡୁନି, ଗୋବର ପଡୁନି । କୀଟନାଶକ ଔଷଧ, ସାର ପଡି ଫସଲ ଫଳା ହେଉଛି । ବଳଦଙ୍କ ସ୍ଥାନ ନେଇଛି ଟ୍ରାକ୍ଟର, ପାୱାର ଟିଲର । ଆଧୁନିକତାର ପ୍ରବେଶରେ ପରମ୍ପରାର ପ୍ରସ୍ଥାନ ଘଟିଛି । ସହରରେ ଯେଉଁମାନେ ବି ଗାଈ ରଖୁଛନ୍ତି ସେମାନେ ଭଲରେ ଯତ୍ନ ନେଉନଥିବା ନଜିର ରହିଛି । ବାହାରେ ଗୋରୁଗାଈ ବୁଲୁଛନ୍ତି । ଘାସ ତ ଦୂରର କଥା ପ୍ଲାଷ୍ଟିକ ମିଶା ଖାଦ୍ୟ ଖାଉଥିବା ଦେଖିବାକୁ ମିଳୁଛି । ତେଣୁ ହିନ୍ଦୁଧର୍ମରେ ପବିତ୍ରତାର ପ୍ରତିକ ଗୋମାତାଙ୍କୁ ଆସନ୍ତୁ ପୂଜିବା । ତାଙ୍କୁ ଅବହେଲା ନକରି ସେବା କରିବା ଆରମ୍ଭ କରିବା ।
ଗୋ- ଶବ୍ଦର ଅର୍ଥ ପୃଥିବୀ, ଜଳ, ଚନ୍ଦ୍ର, କିରଣ ଆଦି ଅନେକ । ଗାଈକୁ ବି ଗୋ ସମ୍ପଦ କୁହାଯାଏ । କାରଣ ଗାଈଠାରୁ ପଞ୍ଚଗବ୍ୟ ଯଥା କ୍ଷୀର, ଘିଅ, ଦହି, ଗୋବର, ଗୋମୂତ୍ର ମିଳେ । ସ୍ୱୟଂ ଭଗବାନ କୃଷ୍ଣ ବି ଗୋପାଳ ପରିବାରରେ ଜନ୍ମ ଗ୍ରହଣ କରି ଗୋମହିମାକୁ ପରିବ୍ୟାପ୍ତ କରିଥିଲେ । ଗୋବର, ଗୋମୂତ୍ର, ଘିଅ ଦୀପ ବାୟୂ ବିଶୋଧକ ଅଟେ । ଶାସ୍ତ୍ର ଅନୁସାରେ ଯେଉଁଠାରେ ଗୋବଂଶ ଆନନ୍ଦରେ ବାସ କରନ୍ତି, ଶାନ୍ତି ଶ୍ୱାସ ନିଅନ୍ତି ସେଠି ବାୟୁ ଓ ପରିବେଶ ଶୁଦ୍ଧ ରୁହେ ।
ବେଦପୁରାଣରେ ଗୋମାତାଙ୍କ ସେବା କଲେ ସବୁ ସୁଖ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ପୁରାଣ କହେ ଗାଈ ଦେହରେ ୪ ବେଦ ବାସ କରନ୍ତି । ଶିଙ୍ଗର ଅଗ୍ରଭାଗରେ ଇନ୍ଦ୍ର ଓ ଦୁଇ ଶିଙ୍ଗରେ ଭଗବାନ ଶିବ, ବିଷ୍ଣୁ ବାସ କରନ୍ତୁ । ସେହିପରି ମୁଣ୍ଡରେ ବ୍ରହ୍ମା, ଦୁଇ କାନରେ ଅଶ୍ୱିନୀ କୁମାର, ଦୁଇ ଆଖିରେ ସୂର୍ଯ୍ୟ-ଚନ୍ଦ୍ର, ଦାନ୍ତରେ ଗରୁଡ, ଜିଭରେ ସରସ୍ୱତୀ, ଗୋମୂତ୍ରରେ ଗଙ୍ଗା, ନାସିକାରେ ନାଗ, ଗୋବରରେ ଲ୍କ୍ଷମୀ, ହମ୍ମା ରଡିରେ ପ୍ରଜାପତି, ୪ ପହ୍ନାରେ ୪ ସମୁଦ୍ର ବାସ କରନ୍ତି । ବିଶ୍ୱାସ ରହିଛି ଯେଉଁମାନେ ସବୁଦିନ ଗାଈକୁ ସ୍ପର୍ଶ କରନ୍ତି ସେମାନେ ୪ ସମୁଦ୍ରରେ ସ୍ନାନ କରନ୍ତି । ବେଦ ଶାସ୍ତ୍ରରେ ରହିଛି ଯିଏ ଗୋସେବା କରେ ତାର ସବୁ ବାଧାବିଘ୍ନ ଦୂର ହୁଏ ।
ତେଣୁ ଆସନ୍ତୁ ଗୋଜାତି ପ୍ରତି ହେଉଥିବା ଅତ୍ୟାଚାର, ବଢୁଥିବା ଗୋଚାଲାଣ ବନ୍ଦ କରିବା, କଂସେଇ ଖାନାକୁ ଗୋମାତାକୁ ଟେକି ଦେଉଥିବା ସୈତାନଙ୍କୁ ଧରି ଆଇନରେ ଦେବା । ଗୋଜାତିକୁ ସୁରକ୍ଷା ଦେବା, ଗୋସମ୍ପଦ ରକ୍ଷା କରିବା । ଏହାହିଁ ହେବ ମାତୃ ଦିବସରେ ଗୋମାତାଙ୍କ ପ୍ରତି ପ୍ରକୃତ ଶୁଭେଚ୍ଛା ।