ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ରୁହ, ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଚିଠି
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଏସଆରସିଙ୍କ ଚିଠି । ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଚିଠି ଲେଖିଛନ୍ତି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ନୟାଗଡ, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡା ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।
ଜିଲ୍ଲା ଏମରଜେନ୍ସି ଅଫିସ ଓ କଣ୍ଟ୍ରୋଲ ରୁମ୍ ଦିନରାତି ଖୋଲା ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ବଳ ସ୍ଥାନ ଚିହ୍ନଟ ସହ ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ସେଠାରୁ ସ୍ଥାନାନ୍ତର ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହିଛି । ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ମାଟିଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ କୁହାଯାଇଛି । ସୁରକ୍ଷିତ ସ୍ଥାନ ବା କୋଠା ଚିହ୍ନଟ କରି ସେହିଠାରେ ବାତ୍ୟା ଆଶ୍ରୟସ୍ଥଳୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କ ଦ୍ୱାରା ବାତ୍ୟା ଆଶ୍ରୟସ୍ଥଳୀକୁ ନିରୀକ୍ଷଣ କରାଇବାକୁ କୁହାଯାଇଛି ।
ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆଜି ବସିବ ପ୍ରାକ୍ ପ୍ରସ୍ତୁତି ବୈଠକ । ବାତ୍ୟା ଯୋଗୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ ସ୍ୱତନ୍ତ୍ର ରିଲିଫ କମିଶନର । ବାତ୍ୟା ସମୟରେ ଶୂନ ଜୀବନହାନୀ ଓ କମ୍ କ୍ଷୟକ୍ଷତି ନେଇ ଆଜିର ବୈଠକରେ ଆଲୋଚନା ହେବ ।