‘ୟାସ୍’ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ
ବାତ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କର ଏହି ଘୋଷଣା ହେବା ପରେ ଛୋଟ ଓ ନାମମାତ୍ର ଚାଷୀମାନେ ମଧ୍ୟ ଇନ୍ପୁଟ ସହାୟତା ପାଇପାରିବେ । ୩୩%ରୁ ଅଧିକ କ୍ଷତି ସହିଥିବା କ୍ଷୁଦ୍ର,ନାମମାତ୍ର ଚାଷୀଙ୍କୁ ମିଳିବ ଇନପୁଟ୍ ସବସିଡି । ୩୩ ପ୍ରତିଶତ ବା ଅଧିକ କ୍ଷତି ହୋଇଥିବା ଫସଲ ପାଇଁ ଅଣଜଳସେଚିତ ଅଞ୍ଚଳରେ ଛୋଟ ଓ ନାମମାତ୍ର ଚାଷୀ ଙ୍କୁ ହେକ୍ଟର ପିଚ୍ଛା ୬୮୦୦ ଟଙ୍କା ଇନ୍ପୁଟ ସବସିଡି ଦିଆଯିବ।
ସେହିପରି ଜଳସେଚିତ ଜମି ପାଇଁ ହେକ୍ଟରକୁ ୧୩, ୫୦୦ ଟଙ୍କା ମିଳିବ। ବାରମାସୀ ଫସଲ ଜମି ପାଇଁ ହେକ୍ଟର ପିଛା ମିଳିବ ୧୮ ହଜାର ଟଙ୍କା ମିଳିବ। ଆମ୍ବ, କାଜୁ, ନଡିଆ, କେତକୀ, ପାନ ଫସଲ ସବୁଦିନିଆ ଫସଲ ଶ୍ରେଣୀରେ ଅନ୍ତର୍ଭୁକ୍ତ । ସବୁ ଦିନିଆ ଫସଲ ପାଇଁ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ସର୍ବନିମ୍ନ ୧୦୦୦ ଟଙ୍କା ଇନ୍ପୁଟ ସବ୍ସିଡି ମିଳିବ । ପ୍ରଭାବିତ ଜିଲ୍ଲାର ଚାଷୀମାନଙ୍କୁ ୨୦୨୧ ଖରିଫ ଋତୁ ପାଇଁ ବର୍ତ୍ତମାନ ଦିଆଯାଉଥିବା ରିହାତିର ଅଧିକ ୨୫ ପ୍ରତିଶତ ରିହାତି ସହିତ ଦେଢ ଲକ୍ଷ କ୍ବିଣ୍ଟାଲ ଉନ୍ନତ ମାନର ଧାନ ବିହନ ଯୋଗାଇ ଦିଆଯିବ । କେବଳ ପ୍ରକୃତ ଚାଷୀ ମାନଙ୍କୁ ଏହି ସହାୟତା ପ୍ରଦାନ କରାଯିବ । ଏହି ରିହାତି ସିଧାସଳଖ ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଯିବ। ଖରିଫ ଋତୁରେ ଅଧିକ ଅମଳ ପାଇଁ ଏକ ଲକ୍ଷ ଏକର ଜମି ପାଇଁ ଏକ ଲକ୍ଷ ଚାଷୀଙ୍କୁ ବିହନ ବିଶୋଧନ ପ୍ରଦର୍ଶନ କାର୍ୟ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ। ଖରିଫ ଋତୁରେ ଧାନ,ଝୋଟ ଓ ଡାଲି ଜାତୀୟ ଫସଲ ପାଇଁ ପ୍ରଭାବିତ ଅଞ୍ଚଳରେ ୨୫ ହଜାର ଏକର ଜମିରେ ପ୍ରଦର୍ଶନ କାର୍ୟ୍ୟକ୍ରମ ଗ୍ରହଣ କରାଯିବ। ଧାଡ଼ି ରୁଆ ଚାଷୀମାନଙ୍କୁ ହେକ୍ଟର ପିଛା ୧୫୦୦ ଟଙ୍କା ସହାୟତା ମିଳିବ । ରୋଗ ପୋକ ମାରିବା ପାଇଁ ଆବଶ୍ୟକ ଇନପୁଟ ଚାଷୀଙ୍କ ଆକାଉଣ୍ଟକୁ ଯିବ ।
ଚାଷୀମାନଙ୍କୁ ରିହାତି ଦରରେ ୨ ହଜାର ପମ୍ପସେଟ ଓ ୩ ହଜାର ସ୍ପେୟର ଯୋଗାଇ ଦିଆଯିବ । ପମ୍ପସେଟ ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୧୫ ହଜାର ଟଙ୍କା ମିଳିବ । ସରକାର ପାୱାର ସ୍ପେୟର ପାଇଁ ସର୍ବାଧିକ ୩୮୦୦ ଟଙ୍କା ରିହାତି ଦେବେ । ହାତରେ କରୁଥିବା ସ୍ପେୟର ପାଇଁ ସର୍ବାଧିକ ୭୫୦ ଟଙ୍କା ରିହାତି ମିଳିବ । ୧୦ ହଜାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସେମାନଙ୍କ ବାଡିରେ ପରିବା ଚାଷ ପାଇଁ ଉନ୍ନତ ମାନର ଚାରା ୧୧୫ ଟଙ୍କାରେ ଯୋଗାଇ ଦିଆଯିବ । ବାତ୍ୟାରେ କ୍ଷତିଗ୍ରସ୍ତ ୫୦ଟି ଛତୁ ଚାଷ ୟୁନିଟ୍କୁ ୪୦ ହଜାର ଟଙ୍କା ଲେଖାଏ ଯୋଗାଇ ଦିଆଯିବ । ଏଥିରେ କ୍ଷତିଗ୍ରସ୍ତ ଚାଷୀମାନେ ସେମାନଙ୍କ ଛତୁ ଚାଷ ୟୁନିଟର ପୁନରୁଦ୍ଧାର କରିପାରିବେ । କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀ ମାନଙ୍କୁ କିଟ୍ ପିଚ୍ଛା ୧୧୦ ଟଙ୍କାର ୧୦ ହଜାର ପରିବା ମିନି କିଟ୍ ମାଗଣାରେ ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜାନାରେ ବୀମାଭୁକ୍ତ ହୋଇଥିବା କ୍ଷତିଗ୍ରସ୍ତ ଚାଷୀ ମାନଙ୍କର ଦାବୀ ଯେପରି ସମାଧାନ ହୋଇପାରିବ, ସେଥିପାଇଁ ଫସଲ କଟା ରିପୋର୍ଟ ତ୍ବରାନ୍ବିତ ଭାବରେ ପ୍ରସ୍ତତ କରିବା ପାଇଁ ପଦକ୍ଷେପ ନିଆଯିବ ।