ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଟାସ୍କଫୋର୍ସ
ହୁତୁହୁତ ହୋଇ ଜଳୁଛି ସାରା ଓଡିଶା ଜଙ୍ଗଲ । ସ୍ଥିତି ଅସମ୍ଭାଳ ହୋଇପଡିଛି । କେବେଳ ଶିମିଳିପାଳ ନୁହେଁ ରାଜ୍ୟର ଅନେକ ଜଙ୍ଗଲରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଯାହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଟାସ୍କ ଫୋର୍ସ କମିଟି ଗଠନ କରିଛନ୍ତି ସରକାର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁକ୍ରମେ ୯ ଜଣିଆ ଟାସ୍କଫୋର୍ସ କମିଟି ଗଠନ କରାଯାଇଛି ।
ରାଜ୍ୟରେ ଅନେକ ଜଙ୍ଗଲରେ ଏବ ନିଆଁ ଲାଗିଛି । ନିଆଁକୁ ନିୟନ୍ତ୍ରଣ କରିବା ବନବିଭାଗ ପକ୍ଷେ କଷ୍ଟକର ହୋଇପଡିଛି । ତେଣୁ ନିଆଁକୁ କିଭଳି ଖୁବ ଶୀଘ୍ର ଆୟତ କରାଯିବ ସେ ନେଇ ୯ଜଣିଆ ଟାସ୍କ ଫୋର୍ସ ଗଠନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।କମିଟିର ନାଁ ରହିଛି- ‘ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ । ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ କମିଟିର ଅଧ୍ୟକ୍ଷ ରହିଛନ୍ତି । ଅତ୍ୟାଧୁନିକ ଉପାୟରେ ନିଆଁ ଲିଭାଯିବା ଏବଂ ଅଗ୍ନିକାଣ୍ଡର କାରଣ ଖୋଜିବ ଏହି ଟାସ୍କ ଫୋର୍ସ କମିଟି । ଜୈବ୍ୟ ବିବିଧତା ଓ ବନ୍ୟ ପ୍ରାଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରି କାର୍ୟ୍ୟାନୁଷ୍ଠାନ ନେବ ଏହି କମିଟି ।
ଜଙ୍ଗଲ ନିଆଁ ଉପରେ ଆଜିଠାରୁ ଆସନ୍ତା ୧୫ ଦିନ ଯାଏଁ ପ୍ରତିଦିନ ୪.୩୦ରେ ପ୍ରେସ୍ମିଟ୍ କରାଯିବ । ଯାହାକି ଅରଣ୍ୟ ଭବନରେ ଅନୁଷ୍ଠିତ ହେବ । ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ’ ମୁଖ ସନ୍ଦୀପ ତ୍ରିପାଠୀ ଶିମିଳିପାଳ ନିଆଁ, ତାହାର ଜୈବ୍ୟବିବିଧତାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ । ସେହିଭଳି ପିସିସିଏଫ୍ ଜିତେନ୍ଦ୍ର କୁମାର କହିଛନ୍ତି, ନିଆଁ ପ୍ରତିବର୍ଷ ଲାଗିଥାଏ, ବିଭାଗ ପକ୍ଷରୁ ଏହାକୁ ଲିଭାଯାଏ ମଧ୍ୟ । ନିଆଁ ଲାଗିବା ଏକ ନିୟମିତ ପ୍ରକ୍ରିୟା । ତେବେ ଏବର୍ଷ ତାପମାତ୍ର ଅଧିକ ରହିଥିବାରୁ ନିଆଁ ବ୍ୟାପକ ହୋଇଛି । କିନ୍ତୁ ଏହାକୁ ଆୟତ୍ତ କରିବାକୁ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି । କୌଣସି ବଡ ଗଛ ନଷ୍ଟ ହୋଇନାହିଁ, ଏପରିକି ଜୀବଜନ୍ତୁଙ୍କର କୌଣସି କ୍ଷତି ହୋଇନାହିଁ ବୋଲି କହିଛନ୍ତି ପିସିସିଏଫ୍ ।