କମୁଛି ସଂକ୍ରମଣ, କୋହଳ ହେଉଛି କଟକଣା
ଫେବ୍ରୁଆରୀ ମାସ ପାଇଁ କରୋନା ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନୂଆ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ଫେବ୍ରୁଆରୀ ୧ରୁ ୨୮ ଯାଏଁ ଜାରି ରହିବ ଏହି ଗାଇଡଲାଇନ । ନୂଆ ଗାଇଡଲାଇନ୍ ଅନୁସାରେ କଣ୍ଟେନ୍ମେଣ୍ଟ ଜୋନ୍ ଅଞ୍ଚଳରେ ଲକ୍ଡାଉନ୍ ଜାରି କରାଯାଇପାରିବ। ତେବେ କଣ୍ଟେନମେଣ୍ଟ୍ ଜୋନ ବାହାରେ କିପରି ଗତିବିଧି ରହିବ ସେ ନେଇ ଗାଇଡଲାଇନରେ ସ୍ପଷ୍ଟ ସୂଚନା ଦିଆଯାଇଛି।
ନୂଆ ଗାଇଡଲାଇନ ଅନୁଯାୟୀ, ୧ ଫେବ୍ରୁଆରୀରୁ ଖୋଲିବ ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ର । ପ୍ରାଥମିକ ସ୍କୁଲ ଖୋଲିପାରିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ସ୍କୁଲ ଖୋଲିବା ପୂର୍ବରୁ ଏସଓପି ଜାରି କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ୍ ହୋଇପାରିବେ ସର୍ବାଧିକ ୫୦୦ ଲୋକ । ଆବଦ୍ଧ କୋଠରୀର କ୍ଷମତାର ୫୦ ପ୍ରତିଶତ ଲୋକରେ ହେବ ବିବାହ ଉତ୍ସବ । ସାମାଜିକ, ଧାର୍ମିକ, ରାଜନୈତିକ, କ୍ରୀଡା ସମାବେଶ ପାଇଁ ମଧ୍ୟ ୫୦୦ ଜଣଙ୍କୁ ଅନୁମତି ମିଳିଛି । ଏନେଇ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡିବ ।
ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ନେଇ ବେସାମରିକ ବିମାନ ଚଳାଚଳ / ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ନେବେ। ଅବରୋଧ ଅଞ୍ଚଳର ସୀମା ଜିଲ୍ଲାପାଳ ଓ ସ୍ଥାନୀୟ କର୍ତ୍ତୃପକ୍ଷ ସ୍ଥିର କରିବା ସହ ଖୋଲା ସ୍ଥାନରେ ସମସ୍ତଙ୍କୁ ସାମଜିକ ଦୂରତା ମାନିବାକୁ କୁହାଯାଇଛି। ଯାତ୍ରା,ଅପେରା ଆରମ୍ଭ ପାଇଁ ସ୍ଥାନୀୟ ପ୍ରଶାସନ ନେବ ନିଷ୍ପତ୍ତି । ପୂର୍ବ ନିର୍ଦ୍ଧାରିତ ଏସଓପି ଅନୁଯାୟୀ, ସିନେମା ହଲ, ଥିଏଟର ସେମିତି ଚାଲୁ ରହିବ । ଇଂଜିନିୟରିଂ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇପାରିବ ବୈଷୟିକ ଶିକ୍ଷା ବିଭାଗ ।