THE BYAPINI

ପତିତପାବନ ବାନାର ମହନୀୟତା…

Get real time updates directly on you device, subscribe now.

ପତିତପାବନ ବାନା ଆଉ କେତେ ବେଳକୁ, ଭାସିଗଲେ ଭବ ଜଳେ ନାବ ଦିଅ କୂଳକୁ… ବଡଦେଉଳର ବଡ ବାନା ଉପରେ ଯେବେ ପଡିଯାଏ ଆଖି, ନୀଳଚକ୍ର ନେତ ସହ ଯେବେ ମିଶିଯାଏ ନେତ୍ର ସେବେ ପାଟିରୁ ବାହାରି ଆସେ ପତିତପାବନଙ୍କ ଏହି ମନଛୁଆଁ ଗୀତ । ସେ ବଡ ଠାକୁର, ତା ଦେଉଳ ବଡ ଦେଉଳ, ତା ଦାଣ୍ଡ ବଡଦାଣ୍ଡ, ତା ବାନା ବଡ ବାନା, ତା ରଥ ବଡ ରଥ… ଏହି ବିଶାଳତା ଭିତରେ ପତିତପାବନ ବାନାର ରହିଛି ସ୍ୱତନ୍ତ୍ରତା । ନୀଳ ଆକାଶ ତଳେ ନୀଳଚକ୍ରରେ ଫର ଫର ଉଡୁଥିବା ବାନା ହେଉଛି ପତିତପାବନ ବାନା । ନୀଳଚକ୍ରରେ ବନ୍ଧାହୋଇଥିବା ବଡ ବାନାର ନାଁ ପତିତପାବନ ବାନା ଆଉ ତାକୁ ଶୋଭା ବଢାନ୍ତି ଏକାଧିକ ଛୋଟଛୋଟ ବାନା ।

କୁହାଯାଏ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ କରି ମାଆ ଲକ୍ଷ୍‌ମୀଙ୍କ ମନ୍ଦିର ବୁଲି ତାଙ୍କ ମନ୍ଦିର ପ୍ରାଙ୍ଗଣରୁ ବସି ଯଦି ବଡଦେଉଳର ଉଡ୍ଡୀୟମାନ ନୀଳଚକ୍ରର ନେତକୁ ଦର୍ଶନ କରାଯାଏ ତେବେ କୋଟି ଜନ୍ମର ପୂଣ୍ୟ ପ୍ରାପ୍ତ ହୁଏ ଏବଂ ମହାବାହୁଙ୍କ ଦର୍ଶନ ସାର୍ଥକ ହୁଏ । ଏବେ କରୋନା କାଳରେ କଟକଣା ପାଇଁ ବନ୍ଦ ରହିଛି କାଳିଆର ମନ୍ଦିର । ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଉପରେ କଟକଣା ଲାଗିଥିବାରୁ ଶ୍ରୀଜିଉଙ୍କୁ ଦେଖିବାରୁ ବଞ୍ଚିତ ହେଉଛନ୍ତି ଲୋକେ । ଆଉ ଏତିକି ବେଳେ ସିଂହଦ୍ୱାରରୁ ପତିତପାବନ ଦର୍ଶନ କରି ମନକୁ ବୁଝାଇ ଦେଉଛନ୍ତି ଭକ୍ତ ।

ପତିତପାବନ ବାନାରେ ଚନ୍ଦ୍ର-ସୂର୍ଯ୍ୟ ଥାନ୍ତି । ପବିତ୍ର ନାଦ- ବିନ୍ଦୁ ପରଂବ୍ରହ୍ମଙ୍କ ଧ୍ୱଜା ମଧ୍ୟ ଭାଗରେ ଥିବା ଅର୍ଦ୍ଧ- ଚନ୍ଦ୍ର ଏବଂ ବିନ୍ଦୁ ପରମକାରୁଣୀକଙ୍କ ଚକ୍ଷୁ ସ୍ୱରୂପ ଚନ୍ଦ୍ର ଏବଂ ସୂର୍ଯ୍ୟଙ୍କ ପ୍ରତୀକ । ପତିତପାବନ ବାନା ପରିବର୍ତ୍ତନର ଅପୂର୍ବ ଦୃଶ୍ୟ ଭକ୍ତ ଦେଖିବାକୁ ଅପେକ୍ଷା କରି ରହିଥାନ୍ତି । ଏବଂ ଏହି ଲୀଳାର ଦର୍ଶନ କରି ଆତ୍ମ ସାନିଧ୍ୟ ଲାଭ କରନ୍ତି । ପ୍ରତିଦିନ ଶ୍ରୀମନ୍ଦିର ଚୂଡାକୁ ଚଢି ଚୁନରା ସେବାୟତ ବାନା ପରିବର୍ତ୍ତନ କରନ୍ତି । ୧୯ ଫୁଟ ଉଚ୍ଚ ବାଉଁଶର ଶୀର୍ଷରେ ଧ୍ୱଜା ବନ୍ଧାଯାଏ । ମୁଖ୍ୟତଃ ରକ୍ତ, ପିତ ଏବଂ ଶୁକ୍ଳ ରଙ୍ଗର ବସ୍ତ୍ରରେ ବାନା ପ୍ରସ୍ତୁତ କରାଯାଏ ।

ଅତୀତରେ ନୀଳଚକ୍ରରେ ଉଡୁଥିଲା ୧୦୮ ହାତର ବାନା । ଇତିହାସର ପ୍ରବାଦ କୁହେ ପୂର୍ବରୁ ୧୦୮ ହାତ ଲମ୍ବର ବାନା ବ୍ୟବହୃତ ହୁଏ । ମାତ୍ର ସମୁଦ୍ର କୂଳରେ ଶ୍ରୀମନ୍ଦିର ଅବସ୍ଥାପିତ ହେତୁ ସମୁଦ୍ରର ପବନ ଏବଂ ବଡ ଦେଉଳର ଉଚ୍ଚଚା କାରଣରୁ ବାନାକୁ ଅଧିକ ପବନ ଧରେ । ଯାହା ନୀଳଚକ୍ର ଏବଂ ଶ୍ରୀମନ୍ଦିରର ସୁରକ୍ଷା ନେଇ ବିପଦ ଆଣିପାରେ । ତେଣୁ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥାର ପରାମର୍ଶକ୍ରମେ ୧୦୮ ହାତ ବାନାକୁ କମାଇ ବର୍ତ୍ତମାନ ୧୪ ହାତ ଲମ୍ବର ବାନା ବନ୍ଧାଯାଉଛି । ରୀତିନୀତି, ପରମ୍ପରା ଅନୁସାରେ ସବୁଦିନ ଅପରାହ୍ଣରେ ଧ୍ୱଜା ପରିବର୍ତ୍ତନ ହୁଏ ।

ତେବେ ମାନସିକ ପୂରଣର କୃତଜ୍ଞତା ନିମନ୍ତେ ଭକ୍ତମାନେ ଶ୍ରୀପତିତପାବନ ବାନା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରନ୍ତି । ଯାହାକୁ ଲାଗି ବାନା ବା ଲାଗି ଧ୍ୱଜା କୁହାଯାଏ । ଶ୍ରୀମନ୍ଦିରରେ ବ୍ୟବହୃତ ପତାକା ଲାଗି ଧ୍ୱଜା ନାଁରେ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଉପଲବ୍ଧ କରାଯାଏ । ବିଶ୍ୱାସ ରହିଛି ଯଦି ନୀଳକନ୍ଦର ଯାଇ ନୀଳଚଳିଆକୁ ଦେଖିପାରୁନ ତେବେ ନୀଳଚକ୍ରର ବାନାକୁ ହାତଟେକି ସମର୍ପଣ କରିଦେଲେ ରତ୍ନବେଦୀରେ ଥିବା କାଳିଆ ସାଆନ୍ତ ଭକ୍ତର ଗୁହାରୀ ଶୁଣିପାରେ ତା ପ୍ରଣାମ ଗ୍ରହଣ କରେ…

Get real time updates directly on you device, subscribe now.

Leave A Reply

Your email address will not be published.