ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା
ରାଜ୍ୟରେ କରୋନା ପ୍ରକୋପ ମଧ୍ୟରେ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା । ତେବେ କରୋନା ପାଇଁ କୋହଳ ହୋଇଛି ମାଟ୍ରିକ ପରୀକ୍ଷା । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବୋର୍ଡ ସଭାପତି । ମାଟ୍ରିକ୍ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଏଥର ନିଜ ସ୍କୁଲରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ହେଲେ ପରୀକ୍ଷା ନିରୀକ୍ଷଣରେ ଅନ୍ୟ ସ୍କୁଲର ଶିକ୍ଷକ ରହିବେ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଖାଲି ସେତିକି ନୁହେଁ, ଏଥର ମାଟ୍ରିକ୍ ପରୀକ୍ଷାର ଅବଧି ମଧ୍ୟ ହ୍ରାସ କରି ଦିଆଯାଇଛି। ଅଢେଇ ଘଣ୍ଟା ବଦଳରେ ୨ ଘଣ୍ଟା ଅବଧିର ପରୀକ୍ଷା ହେବ । ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା ହେବ ।
ସେହିପରି ଏଥର ୧୦୦ ବଦଳରେ ୮୦ ମାର୍କର ପରୀକ୍ଷା ଅନୁଷ୍ଠିତ ହେବ । ସେଥିମଧ୍ୟରୁ ୫୦ ମାର୍କର ଅବଜେକଟିଭ୍ ଓ ୩୦ ମାର୍କର ସବଜେକଟିଭ୍ ପରୀକ୍ଷା ହେବ । ମେ ୩ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । ସେହପରି ଛାତ୍ରଛାତ୍ରୀଙ୍କ ବୋଝ କମାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ଓ ଘରୋଇ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟସରକାରଙ୍କ ପକ୍ଷରୁ ‘ପରୀକ୍ଷା ଦର୍ପଣ’ବହି ଦିଆଯିବ । ୭୦୦ ପୃଷ୍ଠାର ଟେଷ୍ଟପେପର ମାଗଣା ଦେବେ ରାଜ୍ୟ ସରକାର ।