ଷ୍ଟାଇଲ୍ ଆଇକନ୍ ପାଣ୍ଡିଆନ !
ଗଲା ୧୦ ଡିସେମ୍ବର । ବରମୁଣ୍ଡା ବସଷ୍ଟାଣ୍ଡର ନୂଆ ରୂପ ଗ୍ରାଫିକ୍ସ ଭିଡ଼ିଓ ମାଧ୍ୟମରେ ଦେଖିଲା ପୂରା ଓଡ଼ିଶା । ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ପରେ ବରମୁଣ୍ଡା ବସ ଷ୍ଟାଣ୍ଡ କେମିତି ହେବ, କେତେ ଟଙ୍କା ଖର୍ଚ୍ଚ ହେବ, କେମିତି ଦିଶିବ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆମେ କିନ୍ତୁ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ପାଇଲୁ । ଯେଉଁ ବାବଦରେ ଆମ ପାଠକ ଏବଂ ରାଜନୀତି ଓ ନବୀନ ସରକାରକୁ ଅତି ପାଖରୁ ବୁଝିବାକୁ ଚେଷ୍ଟା କରୁଥିବା ଲୋକ ନିହାତି ଜାଣିବା ଉଚିତ୍ । ବରମୁଣ୍ଡା ବସଷ୍ଟାଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ଏଣ୍ଟ୍ରି ଠାରୁ ଆରମ୍ଭ କରି ଫେରିବା ପର୍ୟ୍ୟନ୍ତ ସବୁଠି ଦେଖିବାକୁ ମିଳିଥିଲା ଗୋଟିଏ ଫ୍ରେମରେ ଦୁଇଟି ଚିତ୍ର । ଗୋଟିଏ ପଟେ ନବୀନ ବସଷ୍ଟାଣ୍ଡ ଉନ୍ନତୀକରଣ କାର୍ୟ୍ୟର ସମୀକ୍ଷା କରୁଥିବା ବେଳେ ଅନ୍ୟପଟେ ଦୁଇ ଅଫିସରଙ୍କ ସମାନ ଅନ୍ଦାଜ ଆମର ଦୃଷ୍ଟି ଆକର୍ଷଣ କରିଥିଲା । ଆଉ ଏହି ଦୁଇ ଅଫିସରଙ୍କ ମଧ୍ୟରେ ସବୁଠୁ ବଡ ସମାନତା ଥିଲା ଗଞ୍ଜାମ ଲିଙ୍କ୍ ।

ଆଜ୍ଞା ହଁ ଆମେ କହୁଛୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନ ଓ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ କଥା । ସବୁ ଗସ୍ତ ଭଳି ବରମୁଣ୍ଡା ବସଷ୍ଟାଣ୍ଡକୁ ନବୀନ ଆସିଥିବା ବେଳେ ସାଙ୍ଗରେ ଆସିଥିଲେ ବ୍ୟକ୍ତିଗତ ସଚିବ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ କାରରୁ ଓହ୍ଲାଇବା ପରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ତାଙ୍କୁ ପାଛୋଟି ଆଣିବା ସହ ସମୀକ୍ଷା କାର୍ୟ୍ୟ ବାବଦରେ ଅବଗତ କରାଉଥିଲେ । ଆଉ ଯେତେବେଳେ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଟିକିଏ ପାଖରୁ ଦେଖିବାକୁ ପାଇଲୁ ତାହା ଆମକୁ ଆଶ୍ଚର୍ୟ୍ୟ କରିଥିଲା । କାରଣ ସେହି ସମାନ ଷ୍ଟାଇଲ, ସମାନ ଠାଣି ଓ ସମାନ ଅନ୍ଦାଜ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଠାରେ ଦେଖିବାକୁ ମିଳିଲା ଯାହା ପାଣ୍ଡିଆନଙ୍କ ଠାରେ ପ୍ରାୟତଃ ଦେଖିବାକୁ ମିଳେ ।

ଉକ୍ତ ସମୀକ୍ଷା କାର୍ୟ୍ୟକ୍ରମରେ ପ୍ରେମଚନ୍ଦ୍ରଙ୍କ ପରିପାଟି ପୂରା ପାଣ୍ଡିଆନଙ୍କ ଭଳି ଥିଲା । ଧଳା ସାର୍ଟ ସାଙ୍ଗକୁ ଧୂସର ରଙ୍ଗର ପ୍ୟାଣ୍ଟ । ଅଣ୍ଟାରେ ବେଲ୍ଟ ନଥିବା ବେଳେ ପ୍ରତିଟି କ୍ଷେତ୍ରରେ ପ୍ରେମଚନ୍ଦ୍ରଙ୍କ ଠାରେ ଦେଖିବାକୁ ମିଳିଥିଲା ପାଣ୍ଡିଆନଙ୍କ ଠାଣି । ଏପରିକି ଧଳା ଟେବୁଲ ଉପରେ ମ୍ୟାପ୍ ପକାଇ ନବୀନଙ୍କୁ ପୂରା ପ୍ରୋଜେକ୍ଟ ବାବଦରେ ପ୍ରେମଚନ୍ଦ୍ର ବୁଝାଉଥିବା ବେଳେ ପୁରୀ ଓ କଟକରେ ହୋଇଥିବା ସମୀକ୍ଷା ବେଳର ଦୃଶ୍ୟ ତାଜା ହୋଇ ଉଠିଥିଲା । ସେତେବେଳେ ମଧ୍ୟ ସମାନ ଢଙ୍ଗରେ ନବୀନଙ୍କୁ ବଡ ମ୍ୟାପ୍ ଦେଖାଇ ପୂରା ପ୍ରୋଜେକ୍ଟ ବାବଦରେ ବୁଝାଇଥିଲେ ପାଣ୍ଡିଆନ । ଆଉ ଏହାର କିଛି ମାସ ମଧ୍ୟରେ ଉଭୟ ପୁରୀ ଓ କଟକର ନୂଆ ରୂପ ଦେଖିବାକୁ ପାଇଥିଲେ ରାଜ୍ୟବାସୀ । ତେଣୁ ଯେତେବେଳେ ପ୍ରେମଚନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଠାଣିରେ ଦେଖିବାକୁ ମିଳିଛି, ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ନିଶ୍ଚୟ ହେବ ବୋଲି ଆଶା ଅଧିକ ବଢିଛି ।

କେବଳ ବେଶ ପରିପାଟିରେ ନୁହେଁ, ବରଂ ଏହି ୨ ଆଇଏଏସ ଅଫିସରଙ୍କ ମଧ୍ୟରେ ସବୁଠୁ ବଡ ସମାନତା ହେଉଛି ଗଞ୍ଜାମ ଲିଙ୍କ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଗଞ୍ଜାମରେ ଥିବା ବେଳେ ଏହି ୨ ଅଫିସର ପୂର୍ବରୁ ଗଞ୍ଜାମର ଜିଲ୍ଲାପାଳ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ଯେହେତୁ ଏହି ୨ ଅଫିସର ପୂର୍ବରୁ ନବୀନଙ୍କ ସହ କାମ କରିଛନ୍ତି ତେଣୁ ସରଳରେ କେମିତି ପୂରା ପ୍ରୋଜେକ୍ଟରେ ବାବଦରେ ନବୀନଙ୍କୁ ବୁଝାଇହେବ ତାହାର କୌଶଳ ଏହି ୨ ଅଫିସରଙ୍କୁ ବେଶ ଜଣା । ଗଞ୍ଜାମର ଜିଲ୍ଲାପାଳ ଥିବା ସମୟରୁ ନବୀନଙ୍କ ଗୁଡବୁକରେ ରହି ଆସିଥିବା ପାଣ୍ଡିଆନ ଏବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଛନ୍ତି । ଏହାଛଡା ୫ଟି ସଚିବ ଭଳି ଗୁରୁଦାୟିତ୍ୱ ପାଣ୍ଡିଆନଙ୍କ ଉପରେ ନ୍ୟସ୍ତ କରିଛନ୍ତି ନବୀନ । ଆଉ ଏଭଳି ସ୍ଥିତିରେ ପାଣ୍ଡିଆନଙ୍କୁ ପ୍ରେମଚନ୍ଦ୍ର ଫଲୋ କରିବା କଣ ସଂକେତ ଦେଉଛି ତାହା ହୁଏତ ବୁଝିବା ଆପଣଙ୍କ ପାଇଁ ବେଶି କଷ୍ଟ ହୋଇନପାରେ ।