ଝିଅମାନେ ଦେଇପାରିବେ ଏନଡ଼ିଏ ପରୀକ୍ଷା
ଏଣିକି ଝିଅମାନେ ଦେଇପାରିବେ ଏନଡ଼ିଏ ପରୀକ୍ଷା । ଝିଅମାନଙ୍କୁ ନ୍ୟାସନାଲ ଡିଫେନ୍ସ ଏକାଡେମୀ ବା ଏନଡିଏରେ ପରୀକ୍ଷା ଦେବା ପାଇଁ ସୁପ୍ରିମକୋର୍ଟ ଆଜି ଅନୁମତି ଦେଇଛନ୍ତି । ସେପ୍ଟେମ୍ବର ୫ରେ ଏହି ପରୀକ୍ଷା ହେବ ।ସୈନିକ ସ୍କୁଲ ଓ ଜାତୀୟ ମିଲିଟାରୀ କଲେଜରେ ଝିଅଙ୍କ ପ୍ରବେଶ ନେଇ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହା ସହ ଲିଙ୍ଗଗତ ଭେଦଭାବ ନେଇ ସେନାକୁ ବି ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।
ଜଷ୍ଟିସ ସଂଜୟ କିଶନ କୌଲ ଓ ହୃଷିକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଦିନ କୁଶ କାଲରା ଦ୍ୱାରା ଦାଏର କରାଯାଇଥିବା ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଆବେଦନରେ ଝିଅଙ୍କୁ ଏନଡିଏର ପ୍ରାବେଶିକ ପରିକ୍ଷା ଦେବା ପାଇଁ ଅନୁମତି ପ୍ରଦାନ କରିବା ଲାଗି ନିବେଦନ କରାଯାଇଥିଲା । ମହିଳାଙ୍କୁ ଏହି ପରୀକ୍ଷାରେ ବସିବାକୁ ନଦେବା ସମ୍ବିଧାନର ଧାରା ୧୪,୧୫,୧୬ ଓ ୧୯ର ଉଲ୍ଲଙ୍ଘନ ବୋଲି ଆବେଦକ କହିଥିଲେ । ଆବେଦକ ନିଜ ଅପିଲରେ କହିଥିଲେ ଯେ, ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଅବିବାହିତ ପୁରୁଷ ପ୍ରାର୍ଥୀ ଏନଡିଏ ପାଇଁ ଆବେଦନ କରିପାରିବେ କିନ୍ତୁ ଇଛୁକ ମହିଳାଙ୍କୁ କେବଳ ଲିଙ୍ଗଗତ ଆଧାରରେ ଅନୁମତି ନଦେବା ସମ୍ବିଧାନର ସମାନତା ଭାବନାର ବିରୋଧାଚରଣ କରୁଛି ।