କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ଭ୍ୟାକ୍ସିନ କିଣିବା ପାଇଁ ଗରିବ ଲୋକ କେଉଁଠୁ ପଇସା ଆଣିବେ ?
ଦେଶରେ କରୋନା ସଂକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତି ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ କରିଛନ୍ତି। ଆଜି ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ବେଳେ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ନ୍ୟାୟାଧିସ ଗୋଟିଏ ପ୍ରକାରର କରୋନା ଟିକାର ଦାମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଭିନ୍ନ ଭିନ୍ନ କାହିଁକି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଟିକା ପାଇଁ ପଞ୍ଜିକରଣକୁ ନେଇ କୋର୍ଟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି କି ନିରକ୍ଷର ମାନେ କେମିତି ପଞ୍ଜିକରଣ କରିବେ ଓ ସେ ନେଇ ସରକାର କ’ଣ ଯୋଜନା କରିଛନ୍ତି ? ।
ଜଷ୍ଟିସ ଚନ୍ଦ୍ରଚୁଡ କହିଛନ୍ତି ଯେ, ଗରିବ ଲୋକେ ଟିକା ଲଗାଇବା ପାଇଁ କେଉଁଠୁ ପଇସା ଆଣିବେ। କୋର୍ଟ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି, କେନ୍ଦ୍ର ସରକାର ଏମିତି ସ୍ଥିତିରେ ଗୋଟିଏ ରାଷ୍ଟ୍ରୀୟ ଟିକାକରଣ ନୀତି ଆପଣାନ୍ତୁ ଏବଂ ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ଦେବା ଉପରେ ବିଚାର କରନ୍ତୁ। କାରଣ ଗରିବ ଲୋକେ ଟିକା କିଣି ପାରିବେ ନାହିଁ। ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ, ବିଚାରପତି ଏଲ ନାଗେଶ୍ଵର ଓ ବିଚାରପତି ରବୀନ୍ଦ୍ର ଭଟ୍ଟଙ୍କ ପୀଠ ଟିକା କିଣା ନୀତି ଉପରେ ପ୍ରଶ୍ନ ଉଠାଇ କେନ୍ଦ୍ରକୁ ପଚାରିଛନ୍ତି ଯେ, କେନ୍ଦ୍ର ସରକାର କଣ ପାଇଁ ସବୁ ଟିକା କିଣୁ ନାହାନ୍ତି। ରାଜ୍ୟକୁ ଟିକା କିଣିଲେ ଅଧିକ ଟଙ୍କା ଦେବାକୁ ପଡୁଛି। ଅଦାଲତ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର କେମିତି ସେହି ଲୋକଙ୍କ ପଞ୍ଜୀକରଣ କରିବେ, ଯେଉଁମାନେ ନିରକ୍ଷର ଏବଂ ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ ନାହିଁ।
ଏହାସହିତ କୋଭିଡ -୧୯ ସୂଚନା ପ୍ରସାର ଉପରେ କେହି ରୋକ୍ ଲଗାଇବା ଉଚିତ୍ ନୁହେଁ ବୋଲି କୋର୍ଟ କହିବା ସହ ସୂଚନା ଉପରେ ରୋକ୍ ଲଗାଇବା ଅର୍ଥ ଅଦାଲତ ଅବମାନନା ବୋଲି କୋର୍ଟ ସୂଚାଇ ଦେଇଛନ୍ତି । ଏହାସହ କୋର୍ଟ କହିଛନ୍ତି କି ସୂଚନା ପସାର କରୁଥିବା ନାଗରିକ ମାନଙ୍କ ଉପରେ ଯେଭଳି କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେନେଇ ପୋଲିସ ମହାନିର୍ଦ୍ଦେଶକ ଏକ ନିର୍ଦ୍ଦେଶନାମା ଜାରି କରିବାର ଆବଶ୍ୟକତା ରହିଛି । ଘରୋଇ ଟିକା ଉତ୍ପାଦନକାରୀ କମ୍ପାନୀ କେଉଁ ରାଜ୍ୟକୁ କେତେ ଟିକା ଦିଆଯିବ, ତା’ର ନିଷ୍ପତ୍ତି ନେଇପାରିବେ ନାହିଁ। ଟିକା ପାଇବାରେ କ’ଣ ଗୋଟିଏ ରାଜ୍ୟ ତୁଳନାରେ ଆଉ ଗୋଟିଏ ରାଜ୍ୟକୁ ଅଧିକ ଗୁରୁତ୍ୱ ଦିଆଯିବ? ଉତ୍ପାଦନକାରୀ କମ୍ପାନୀ କେମିତି ଟିକାର ସମାନ ଆବଣ୍ଟନ କରିବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏହା ଶୁଣି କେନ୍ଦ୍ର ସରକାର ୧୮ରୁ ୪୫ ବର୍ଷ ବୟସର କେତେ ଲୋକ ରହିଛନ୍ତି, ତା’ର ତଥ୍ୟ କୋର୍ଟରେ ଦାଖଲ କରାଯିବ ବୋଲି କହିଛନ୍ତି।