ମୋଦି ସରକାରଙ୍କୁ ‘ସୁପ୍ରିମ୍’ ଝଟକା
ମୋଦି ସରକାରଙ୍କୁ ଝଟକା । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘଦିନ ଧରି ଜାରି ରହିଥିବା ଆନ୍ଦୋଳନରେ ଚାଷୀଙ୍କୁ ଆଶ୍ବସ୍ତି ମିଳିଛି । କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । କୃଷି ଆଇନ ଓ କୃଷକ ଆନ୍ଦୋଳନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ତ୍ୱପୂର୍ଣ ନିଷ୍ପତ୍ତି ନେଇଛନ୍ତି।
କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ୩ଟି ଯାକ କୃଷି ଆଇନର କାର୍ୟ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ଆଦେଶ ବଳବତ୍ତର ରହିବ । ଏଥିସହିତ ସମସ୍ୟାର ସମାଧାନ ପାଇଁ ୪ ଜଣିଆ କମିଟି ଗଠନ କରିଛନ୍ତି ଖଣ୍ଡପୀଠ । ଏହି କମିଟି ନୂଆ ଆଇନ, କୃଷକମାନଙ୍କ ଆପତ୍ତି ଅଭିଯୋଗ ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତର୍ଜମା କରି କୋର୍ଟଙ୍କୁ ଏକ ରିପୋର୍ଟ ପ୍ରଦାନ କରିବ । ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୪ ଜଣିଆ କମିଟିରେ ଭାରତୀୟ କିଷାନ ୟୁନିୟନର ସଭାପତି ତଥା କୃଷକ ସମନ୍ଵୟଵ୍ୟ କମିଟିର ଅଧ୍ୟକ୍ଷ ଭୂପିନ୍ଦର ସିଂହ ମାନ, ନୀତି ବିଶେଷଜ୍ଞ ଡ.ପ୍ରମୋଦ କୁମାର ଯୋଶୀ, କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଳାଟି ଏବଂ ଶିବ କେରି ସଂଗଠନର ସଦସ୍ୟ ଅନିଲ ଧନୱତ ରହିଛନ୍ତି। ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଅଚଳାବସ୍ଥାକୁ ଦୂର ପାଇଁ ଆଇନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇପାରେ, କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହାକୁ ଅଟକାଇ ହେବ ନାହିଁ । ବିନା କୌଣସି କାରଣ ଥାଇ ସ୍ଥଗିତାଦେଶ ଦେଇହେବ ନାହିଁ । ଏଣୁ ଯେଉଁମାନଙ୍କର ଆଇନକୁ ନେଇ ଆପତ୍ତି ଅଛି, ସେମାନେ କମିଟି ନିକଟକୁ ଯାଆନ୍ତୁ ।
କୃଷକମାନଙ୍କ ଓକିଲ ଏମଏଲ ଶର୍ମା କହିଥିଲେ ଯେ ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଚାହୁଁଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଆସୁନାହାନ୍ତି । ଏହାର ଜବାବରେ ସୁପ୍ରିମକୋର୍ଟ କହିଥିଲେ ଏଥିପାଇଁ କୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ । ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡ଼େ କହିଛନ୍ତି ଯେ ଏହି କମିଟି ପ୍ରକୃତ ସମସ୍ୟା କେଉଁଠି ରହୁଛି ତାହା ବାହାର କରିବ । କୃଷକମାନେ କମିଟି ନିକଟକୁ ଯିବାକୁ ଚାହୁଁ ନାହାନ୍ତି ବୋଲି କରାଯାଉଥିବା ଯୁକ୍ତିକୁ ଗ୍ରହଣ କରାଯିବ ନାହିଁ ।
ପ୍ରଧାନ ବିଚାରପତିଙ୍କ ସହ ବିଚାରପତି ଏ ଏସ ବୋପାନ ଏବଂ ଭି ରାମ ସୁବ୍ରମଣ୍ୟମଙ୍କ ସହ ଗଠିତ ଖଣ୍ଡପୀଠ ସୋମବାର ଦିନ ମଧ୍ୟ କୃଷକ ଆନ୍ଦୋଳନ ସମ୍ପର୍କିତ ମାମଲାରେ ପ୍ରାୟ ଦୁଇ ଘଣ୍ଟା ଶୁଣାଣି କରିଥିଲେ। ଦେଢ଼ ମାସ ତାପିଥିବା କୃଷକ ଆନ୍ଦୋଳନର ସମାଧାନ ସୂତ୍ର ସରକାର ବାହାର କରିପାରି ନଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି କୃଷି ଆଇନକୁ ସ୍ଥଗିତ ରଖାନଗଲେ କୋର୍ଟ ନିଜ ଆଡୁ ପଦକ୍ଷେପ ନେବେ ବୋଲି ୩ ଜଣିଆ ଖଣ୍ଡପୀଠ ସୁଚାଇଥିଲେ।ଚାଷୀଙ୍କ ଆନ୍ଦୋଳନକୁ ପ୍ରାୟ ୪୮ ଦିନ ବିତିଯାଇଥିଲେ ମଧ୍ୟ ଉଭୟ କେନ୍ଦ୍ର ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଆଠ ଥର ବୈଠକ ହୋଇଥିଲା । ହେଲେ ଆଜିଯାଏଁ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।