ମୁଁ ବାପାଙ୍କ କଥାରେ ଏକମତ ନୁହେଁ : ତନୟା
ବାପା ସୈାମ୍ୟରଂଜନ ପଟ୍ଟନାୟକଙ୍କ କଥାରେ ଏକମତ ନୁହଁନ୍ତି ଝିଅ ତନୟା ପଟ୍ଟନାୟକ । ନୟାଗଡ ପରୀ ମୃତ୍ୟୁ ମାମଲାରେ ବାପା ଦେଇଥିବା ବୟାନ ବିରୋଧରେ ଯାଇଛନ୍ତି ଝିଅ ତନୟା । କହିଛନ୍ତି, କୈାଣସି ବି ହତ୍ୟା ବା ଦୁଷ୍କର୍ମ ଘଟଣା ଛୋଟ ନୁହେଁ । ଶୁକ୍ରବାର ସମ୍ବାଦ ସମ୍ପାଦକ ତଥା ଖଣ୍ଡପଡା ବିଜେଡି ବିଧାୟକ ସୈାମ୍ୟରଂଜନ ପଟ୍ଟନାୟକ ପରୀ ମୃତ୍ୟୁ ମାମଲାକୁ ଛୋଟିଆ ଅଘଟଣ ବୋଲି କହି ବିବାଦକୁ ଆସିଥିଲେ ।
ତେବେ ତନୟା ପଟ୍ଟନାୟକ ନିଜ ଟ୍ୱିଟରେ ବାପା ସୈାମ୍ୟରଂଜନ ପଟ୍ଟନାୟକ ଲେଖିଥିବା ଆମ ଘରର ହାଲଚାଲ ଲେଖାକୁ ଉଲ୍ଲେଖ କରିଛନ୍ତି । ସେ ଲୋକଙ୍କୁ ଏହି ଲେଖାକୁ ପଢିବାକୁ ଅନୁରୋଧ ବି କରିଛନ୍ତି । ଯେଉଁ ଲୋକମାନେ ଭିଡିଓ କ୍ଲିପ ଦେଖିଛନ୍ତି ସେମାନେ ଏହି ଲେଖାକୁ ଟିକେ ପଢିବାକୁ ସେ ନିବେଦନ କରିଛନ୍ତି । ଏହା ହିଁ ସୈାମ୍ୟରଂଜନ ପଟ୍ଟନାୟକଙ୍କର ପ୍ରକୃତ ଚିନ୍ତାଧାରା ଆଉ ବିଶ୍ୱାସ ବୋଲି ନିଜ ଟ୍ୱିଟରେ ତନୟା ଉଲ୍ଲେଖ କରିଛନ୍ତି ।
ପାଠକ ପଢାଇଲେ ପାଠ, ପରୀ କରୁଛି ପରୀକ୍ଷା ଶୀର୍ଷକରେ ଆମ ଘରର ହାଲଚାଲ ଲେଖିଥିଲେ ସୈାମ୍ୟରଂଜନ ପଟ୍ଟନାୟକ । ଯେଉଁଥିରେ ପୁଲିସର ଆଚରଣ ଉପରେ ସେ ପ୍ରଶ୍ନ ଉଠାଇଥିଲେ । ଖାଲି ଏତିକି ନୁହେଁ ସାଧାରଣ ଅଟୋ ଚାଳକର ଝିଅ ବୋଲି କଣ ତାକୁ ନ୍ୟାୟ ମିଳିବାରେ ବିଳମ୍ବ ହେବ, ଆଉ ଯଦି ପରୀ ଯଦି ତାଙ୍କ ଝିଅ ହୋଇଥାନ୍ତା? ଜଣେ ଅଟୋଚାଳକର ଝିଅର ମୂଲ୍ୟ କଣ କିଛି ନାହିଁ? କିଛି ଏଭଳି ମର୍ମରେ ସୈାମ୍ୟ ରଂଜନ ପଟ୍ଟନାୟକ ନିଜ ଶାଣିତ ଆଭିମୁଖ୍ୟ ରଖିଥିଲେ ।
ହେଲେ ପରେ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟାରେ ସେ ଯାହା କହିଥିଲେ, ତାହା ତାଙ୍କୁ ବିବାଦ ଘେରକୁ ଟାଣି ଆଣିଥିଲା । ଆଉ ଏବେ ଝିଅ ତନୟା ପଟ୍ଟନାୟକ, ବାପାଙ୍କ ମତ ସହ ଏକମତ ହୋଇପାରୁନାହାନ୍ତି ।