THE BYAPINI

ତେଜେଶ୍ୱରଙ୍କ ଛାତିରେ ନବୀନ !

Get real time updates directly on you device, subscribe now.

ରାଜ୍ୟ ରାଜନୀତିରେ ସେ ଅଭିଜ୍ଞ ହୋଇନପାରନ୍ତି, ହେଲେ ତାଙ୍କ ଅକାଟ୍ୟ ଯୁକ୍ତିକୁ ସମସ୍ତେ ବେଶ ଆଦର କରନ୍ତି । ଦିଲ୍ଲୀ ଦରବାରରେ ଥିବା ବେଳୁ ସଂଗଠନ ଗଢି ଯେଉଁ ରାଜନୈତିକ ଦୃଶ୍ୟପଟ୍ଟକୁ ସେ ନିଜ ମନ ଭିତରେ ଆଙ୍କିଥିଲେ, ହଠାତ୍ କାହିଁକି କୁଆଡେ ଉଭେଇ ଗଲାଭଳି ମଧ୍ୟ ସେ ବେଶ ଭଲ ଭାବେ ଜାଣିଛନ୍ତି । ବିଜେଡିର ତଥାକଥିତ ଶକ୍ତିଶାଳୀ ଗୋଷ୍ଠୀ ସହ ତାଙ୍କର ସଂପର୍କ ଭଲ ନାହିଁ । ହାତରୁ ଖଦୀ ବୋର୍ଡ ଅଧ୍ୟକ୍ଷ ପଦ ଚାଲିଯାଇଛି । ଦଳୀୟ ମୁଖପାତ୍ର କିମ୍ବା ପ୍ୟାନେଲିଷ୍ଟ ତାଲିକାରେ ତାଙ୍କ ନାଁ ନାହିଁ । ହେଲେ କେନ୍ଦ୍ରାପଡା ରାଜନୀତିରେ ନିଜର ଛାପ ଛାଡିବାକୁ ଏବେ ମଧ୍ୟ ସେ ଚେଷ୍ଟା କରୁଛନ୍ତି ।
ତେଜେଶ୍ୱର ପରିଡା, ଦିଲ୍ଲୀରେ ନିଜ ସଂଗଠନ ଛାଡି ବିଜେଡିରେ ଆସି ସାମିଲ ହେଲେ । ସେହି ସମୟ ବେଳକୁ ବୈଜୟନ୍ତ ପଣ୍ଡାଙ୍କ ସହ ତାଙ୍କର ସଂପର୍କ ଥିଲା । ଉଭୟଙ୍କ ମଧ୍ୟରେ ଥିବା ନିବିଡ ସଂପର୍କ ତେଜେଶ୍ୱରଙ୍କୁ ଆଗକୁ ବଢାଇବାରେ ସହାୟକ ହୋଇଥିଲା । ହେଲେ ଯେତେବେଳେ ବିଜେଡି-ବୈଜୟନ୍ତଙ୍କ ମଧ୍ୟରେ ଦୂରତା ବଢିଲା ସେତେବେଳେ ତେଜେଶ୍ୱର ବେଶ ଚତୁରତାର ସହ ବିଜେଡିର ପାୱାର କରିଡରର ନିକଟତର ହୋଇଥିଲେ ଆଉ ବିଶ୍ୱାସ ବି ଜତି ପାରିଥିଲେ । ଧୀରେ ଧୀରେ ଦଳ ଭିତରେ ତାଙ୍କର ଗୁରୁତ୍ୱ ବଢିଥିଲା । କୋରାପୁଟ ଜିଲ୍ଲାର ସଂଗଠନ ଦାୟିତ୍ୱ ମଧ୍ୟ ପାଇଥିଲେ ।

ଦଳ ଭିତରେ ଯେତେବେଳେ ନିଜ ଉଚ୍ଚତା ତେଜେଶ୍ୱର ବଢାଉଥିଲେ ଠିକ ସେତିକିବେଳେ ଦଳୀୟ ମହଲରେ ଅଲୋଡା ହୋଇଗଲେ । କୁହାଗଲା ପାଟକୁରା ଆସନ ପାଇଁ ସେ ଯେଉଁ ଯୁକ୍ତି ଉପସ୍ଥାପନ କରି ମୁଖିଆଙ୍କୁ ଆଉ ଦଳର ପାୱାର ସେଂଟରକୁ ଭେଟିଲେ ସେତେବେଳ ଠାରୁ ଦଳୀୟ ସୁପ୍ରିମୋଙ୍କ ଭଲ ନଜରରୁ ହଟିଗଲେ । ହେଲେ ତେଜେଶ୍ୱରଙ୍କ କହିବା କଥା ଥିଲା ପାଟକୁରା ଆସନ ତାଙ୍କୁ ଦେବା ପାଇଁ ଦଳ ପ୍ରତିଶ୍ରୁତି ଦେଇଥିଲା । ହେଲେ ଶେଷ ମୁହୁର୍ତ୍ତରେ ତାଙ୍କର ଟିକେଟ କାଟିଦିଆଯିବ ବୋଲି ଆଶଙ୍କା କରି ସୁପ୍ରିମୋଙ୍କୁ ଭେଟିଲେ । ହେଲେ ଏହା ତେଜେଶ୍ୱରଙ୍କ ପାଇଁ ମହଙ୍ଗା ପଡିଲା । ଦଳ ତାଙ୍କୁ ଦୂରେଇ ଦେଲା ଆଉ ତେଜେଶ୍ୱରଙ୍କୁ ଅଣଦେଖା କରିବା ଆରମ୍ଭ କରାଗଲା ।

ହେଲେ ବଡ କଥା ହେଉଛି ତେଜେଶ୍ୱର ଅଟକିବା ବଦଳରେ ଆଗକୁ ବଢିବା ଚିନ୍ତା କଲେ । ପାଟକୁରାରେ ଗୋଟିଏ କାର୍ଯ୍ୟାଳୟ ଖୋଲିଛନ୍ତି, ଯେଉଁଥିରେ ନବୀନଙ୍କ ବିରାଟ ଫଟୋକୁ ସ୍ଥାନିତ କରିଛନ୍ତି । ଅର୍ଥାତ୍ ବାର୍ତ୍ତା ସ୍ପଷ୍ଟ, ଦଳ ତାଙ୍କୁ ଦୂରେଇ ଦେଇଛି ହେଲେ ସେ ଦଳ ଠାରୁ ଦୂରେଇ ନାହାନ୍ତି । କୁହାଯାଉଛି ଏହାରି ମାଧ୍ୟମରେ ପାଟକୁରାରେ ନିଜର ଦବଦବା ଜାହିର କରିବାକୁ ଉଦ୍ୟମ କରିଛନ୍ତି । ଦେଖାଯାଉ ନବୀନଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହେଉଛନ୍ତି ନା ଏମିତି ଦଳର ଆଭ୍ୟନ୍ତ୍ରୀଣ ମହଲ ତାଙ୍କୁ ଦୂରେଇ ରଖୁଛି । କେନ୍ଦ୍ରାପଡାରେ ତାଙ୍କୁ ଚାରିଆଡୁ ଘେରି ରହିଛନ୍ତି ବଡ ବଡ ନେତା । ଅତନୁଙ୍କ ସହ ତେଜେଶ୍ୱରଙ୍କ ସଂପର୍କ ଆଦୈା ଭଲ ନାହିଁ । ପ୍ରତାପ ଦେବଙ୍କ ସହ ନରମ ଗରମ ସଂପର୍କ । ସାବିତ୍ରୀ ଅଗ୍ରୱାଲଙ୍କର ସେ ଘୋର ବିରୋଧୀ । ତେଣୁ ଅଭିମନ୍ୟୁ ହୋଇ ଲଢେଇ ଜାରି ରଖିଥିବା ତେଜେଶ୍ୱର ସଫଳତା ପାଉଛନ୍ତି ନା ବିଫଳତା ତାହା ନିର୍ଭର କରିବ ଗୋଟିଚାଳନାରେ ଅନ୍ୟ ମାନଙ୍କ ଠାରୁ କିଭଳି ଆଗରେ ରହୁଛନ୍ତି ତେଜେଶ୍ୱର ।

Get real time updates directly on you device, subscribe now.

Leave A Reply

Your email address will not be published.