THE BYAPINI

ସ୍ମାର୍ଟସିଟି : ସଜେଇ ହେଉଛି କମ, ସିଝୁଛି ଅଧିକ

Get real time updates directly on you device, subscribe now.


ନୂଆ ରୂପ ପାଉଛି ସ୍ମାର୍ଟସିଟି ଭୁବନେଶ୍ୱର । ଚକାଚକ ରାସ୍ତା ସାଙ୍ଗକୁ ସୁଉଚ୍ଚ ଅଟ୍ଟାଳିକା । ଆଉ ତା ଭିତରେ ଷ୍ଟ୍ରିଟ ଲାଇଟର ଆଲୁଅରେ ନୂଆ ନୂଆ ଦିଶୁଛି ଭୁବନେଶ୍ୱର । ଲାଗୁଛି ସତେ ଯେପରି ରାଜଧାନୀର ନବକଳେବର ହେଉଛି । ରାଜଧାନୀର ରାଜରାସ୍ତାକୁ ବିଦେଶୀ ଲୁକ୍ ଦେବା ପାଇଁ ଟାଇଲ ପକାଇ ସଜା ଯାଉଛି । କିନ୍ତୁ ଏହି ସଜେଇ ହେବା ଭିତରେ ରାଜଧାନୀ ସିଝିବା ଆରମ୍ଭ କଲାଣି । ଯାହାର ଝଲକ ଗତ ଦୁଇ ଦିନ ହେବ ଦେଖିବାକୁ ମଳିଛି ।

ଓଡ଼ିଆରେ ଲୋକ କଥା ରହିଛି ମାଘ ମାସର ଶୀତ ବାଘ ଭଳି । ମାଘ ମାସରେ ପ୍ରବଳ ଶୀତ ଅନୁଭୂତ ହେଉଥିବାରୁ ବୋଧହୁଏ ପୂର୍ବରୁ ଏଭଳି ଏକ କଥା ରହି ଆସିଛି । କିନ୍ତୁ ଏବେ ଏହାର ପୂରା ଓଲଟା ଦେଖିବାକୁ ମିଳିଲାଣି । ମାଘ ସରିନି କିନ୍ତୁ ଏବେଠୁ ସିଝିଲାଣି ସ୍ମାର୍ଟସିଟି । ଗତ ଦୁଇ ଦିନ ହେବ ଟାଣ ଖରାରେ ଭାଜି ହେଉଛି ଭୁବନେଶ୍ୱର । ଗତକାଲି ପୂରା ଦେଶରେ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ରହିଥିବା ବେଳେ ଆଜି ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଆଉ ଏହାସହ ଅସହ୍ୟ ହୋଇପଡିଛି ଜୀବନ । ତେବେ ଆଜି ବ୍ୟବସାୟିକ ସଙ୍ଗଠନ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଏତେଟା ଜଣାପଡିନଥିଲା । କିନ୍ତୁ ମାର୍ଚ୍ଚ ଆରମ୍ଭ ପୂର୍ବରୁ ପାରା ୪୦ ଟପିବା ଆଗାମୀ ଦିନରେ ରାଜଧାନୀକୁ ଅସ୍ତବ୍ୟସ୍ତ କରିବାର ସମ୍ଭାବନା ବଢିଯାଇଛି ।
ତେବେ ଭୁବନେଶ୍ୱରରେ ଏଭଳି ଗ୍ରୀଷ୍ମ ପ୍ରବାହ ପଛର ବଡ କାରଣ ହେଲା ଆଧୁନିକୀକରଣ । ସ୍ମାର୍ଟସିଟି ଭୁବନେଶ୍ୱରର ଏବେ ନବକଳେବର ଚାଲିଛି । ରାଜଧାନୀର ଛାତି ଉପରେ ବଡ ବଡ ବିଲ୍ଡିଂ ଛିଡା ହେଉଥିବା ବେଳେ କିଲୋମିଟର କିଲୋମିଟର ବ୍ୟାପି ନୂଆ ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଛି । ଆଉ ଏଥିପାଇଁ ସ୍ମାର୍ଟସିଟିରୁ ଧୀରେ ଧୀରେ ହଜି ଯାଉଛି ସବୁଜିମା । ବଳି ପଡୁଛି ଶହ ଶହ ବର୍ଷର ପୁରୁଣା ଜଙ୍ଗଲ ଓ ଗଛ । ଭୁବନେଶ୍ୱର ଉପରେ ଆଧୁନିକତାର ଚାଦର ଘୋଡାଇବାକୁ ଯାଇ ମଣିଷ କଣ ଯେ ଭୁଲ କରୁଛି ସେ ବାବଦରେ ଥରୁଟିଏ ଚିନ୍ତା ମଧ୍ୟ କରୁନାହିଁ । ଯେଉଁଥିପାଇଁ ସ୍ମାର୍ଟସିଟିରେ ସବୁଜ ଜଙ୍ଗଲ ବଦଳରେ ଏବେ କଂକ୍ରିଟ ଜଙ୍ଗଲ ଉଭା ହୋଇଛି । ଯାହା ଭୁବନେଶ୍ୱରକୁ ଉପରକୁ ସୁନ୍ଦର ପ୍ରତୀୟମାନ କରାଉଥିଲେ ମଧ୍ୟ ଭିତରେ କଲବଲ କରୁଛି ।

ସବୁଜ ଜଙ୍ଗଲ ଘେରା ଭିତରେ ସୁସ୍ଥ ଜୀବନ ବିତାଉଥିବା ମଣିଷ ଏବେ କଂକ୍ରିଟ ଜଙ୍ଗଲ ଭିତରେ ଅଣନିଶ୍ୱାସୀ ହୋଇପଡୁଛି । ତଥାପି ରାଜଧାନୀବାସୀଙ୍କୁ ଭୁବନେଶ୍ୱର ସୁନ୍ଦର ଲାଗୁଛି । ଗାଁ ଛାଡି ଏବେ ସହର ମୁହାଁ ହେଉଛନ୍ତି ଲୋକେ । ଯେଉଁଥିପାଇଁ ସହରର ପରିଧି ମଧ୍ୟ ଧୀରେ ଧୀରେ ବଢି ଚାଲିଛି । କେବଳ ଯେ ସହରର ଜନସଂଖ୍ୟା ବଢୁଛି ତାହା ନୁହେଁ ବରଂ ଗାଡି ମୋଟର ମଧ୍ୟ ଦ୍ରୁତ ଗତିରେ ବଢି ଚାଲିଛି । ସହରବାସୀଙ୍କ ସୁନ୍ଦର ଜୀବନ ଯାପନ ପାଇଁ ସବୁଜ ଜଙ୍ଗଲକୁ ବଳି ଦିଆଯାଇ କଂକ୍ରିଟ ଜଙ୍ଗଲ ସୃଷ୍ଟି କରାଯାଉଛି । ଗାଡି ମୋଟରର ଧୂଆଁ ସାଙ୍ଗକୁ ଜଙ୍ଗଲ ନଷ୍ଟ ହେବା, ଏହା ସିଧାସଳଖ ରାଜଧାନୀର ପାରାକୁ ଉଠାଇବା ସହ ସ୍ମାର୍ଟସିଟିକୁ ସିଝାଉଛି । କିନ୍ତୁ ଏତେ ପରେ ମଧ୍ୟ ରାଜଧାନୀବାସୀ ବୁଝିବାକୁ ନାରାଜ । ଗଛ ଲଗାଇବେନି କିନ୍ତୁ ଗଛ କାଟି ଘର କରିବା ପାଇଁ ପାଇଁ ସ୍ମାର୍ଟସିଟିବାସୀଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ସରକାର ମଧ୍ୟ ସବୁ ଦେଖି ଯେପରି ଆଖିରେ ଆଙ୍ଗୁଠି ଗେଞ୍ଜି ଦେଇଛନ୍ତି । ବନୀକରଣକୁ କେବଳ ସ୍ଲୋଗାନ ଭିତରେ ସୀମିତ ରଖିଛନ୍ତି । କାଗଜକଲମରେ ଏକର ଏକର ଜମିକୁ ଜଙ୍ଗଲ କରାଯାଇଥିବା ବେଳେ ବାସ୍ତବରେ କିନ୍ତୁ ସେଠାରେ କଂକ୍ରିଟ ଜଙ୍ଗଲ ଛିଡା କରାଯାଉଛି । ହଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ହେଲେ ରାଜଧାନୀକୁ ଏସବୁର ଯଥେଷ୍ଟ ଆବଶ୍ୟକତା ରହିଛି କିନ୍ତୁ ଉଭୟ ସରକାର ଓ ସାଧାରଣ ଲୋକେ ପିଲାବେଳର ସେହି ଉକ୍ତିକୁ ଆଦୌ ଭୁଲିଯିବା କଥା ନୁହେଁ ଯେ, ବୃକ୍ଷ ହିଁ ଜୀବନ । ଅଥାର୍ତ ଗଛ ଅଛି ତ ଜୀବନ ଅଛି ।

Get real time updates directly on you device, subscribe now.

Leave A Reply

Your email address will not be published.