ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ
ଉଗ୍ରରୂପ ନେଇଛି କେନ୍ଦ୍ରାପଡା ଖରସ୍ରୋତା ବିବାଦ । ରାଜକନିକାରେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ । ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ପାଇଁ ହେଉଥିବା ମେଗା ଜଳ ପ୍ରକଳ୍ପକୁ ଜୋରଦାର ବିରୋଧ । ପ୍ରଶାସନ ପକ୍ଷରୁ ଧାରା ୧୪୪ ଲାଗିଥିଲେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ ।
ଗୋଟିଏ ପଟେ ପ୍ରକଳ୍ପ କାମ ଚାଲିଥିବା ବେଳେ ଅନ୍ୟପଟେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୂରା ଅଞ୍ଚଳକୁ ପୋଲିସ ଛାଉଣୀରେ ପରିଣତ କରାଯାଇଥିଲା । କିନ୍ତୁ ଆଜି ପୁଣିଥରେ କାମ ଆରମ୍ଭ ହେବାରୁ ରାସ୍ତାକୁ ଅବରୋଧ କରିବା ସହ ପ୍ରତିବାଦ କରାଯାଇଥିଲା । ଆଉ ପୋଲିସ ଅଟକାଇବାରୁ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଜନତା । ପୋଲିସର ବ୍ୟାରିକେଡକୁ ଭାଙ୍ଗିବା ସହ ଧସ୍ତାଧସ୍ତି ହୋଇଥିଲା ।
ଗତ ୧୦ ତାରିଖରେ ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ବିକ୍ଷୋଭ କରୁଥିବା କିଛି ନେତା ଙ୍କୁ ପୋଲିସ ଉଠାଇ ନେଇଥିଲା । ସେହି ଦିନ ସନ୍ଧ୍ୟାରେ ଶତାଧିକ ଲୋକେ ଟାୟାର ଜାଳି ରାସ୍ତା ରୋକ କରିବା ପରେ ପୋଲିସ ପୂର୍ବତନ ଦୁଇ ବିଧାୟକ ଓ ଅନ୍ୟ କର୍ମକତ୍ତାଙ୍କୁ ଛାଡି ଥିଲା । ତେବେ ଗତକାଲି ଖରସ୍ରୋତା ବଞ୍ଚାଓ ସଙ୍ଘର ସମନ୍ୱୟ ବୈଠକ ପରେ ଆଜି ଆହୁରି ଦୃଢ଼ ବିରୋଧ କରାଯାଇଛି ।