ଅନଲକ ହେବ କି ଓଡିଶା? ଆଜି ଘୋଷଣା କରିବେ ସରକାର
ଅନଲକ ହେବ କି ଓଡିଶା? ଆସନ୍ତାକାଲି ସକାଳ ୫ଟାରେ ଲକଡାଉନ ଅବଧି ଶେଷ ହେବା ପାଇଁ ଯାଉଛି । ରାଜ୍ୟରେ ଦୈନିକ ସଂକ୍ରମଣ କମିବାରେ ଲାଗିଛି । ଗୋଟେ ପରେ ଗୋଟେ ଜିଲ୍ଲା ଗ୍ରୀନ ଜୋନକୁ ଆସୁଛନ୍ତି । ସଂକ୍ରମଣ ହାର ମଧ୍ୟ କମିବାରେ ଲାଗିଛି । ତେଣୁ ୫ ପ୍ରତିଶତ ତଳେ ସଂକ୍ରମଣ ହାର ଥିବା ଜିଲ୍ଲାରେ ତାଲାବନ୍ଦ ଖୋଲିବା ନେଇ ସମ୍ଭାବନା କରାଯାଉଛି ।
ରାଜ୍ୟରେ ସୁସ୍ଥତା ହାର ବଢୁଛି, ସଂକ୍ରମଣ ସଂଖ୍ୟା କମୁଛି । ହେଲେ ମୃତ୍ୟୁ ସଂଖ୍ୟା ଏବେ ବି ଦୈନିକ ୪୦ ଉପରେ ରହୁଛି । ସଂକ୍ରମଣ ଚେନ ବ୍ରେକ କରିବାକୁ ରାଜ୍ୟ ସରକାର ଜୁନ ୧୭ ଯାଏ ଲକଡାଉନ, ସଟଡାଉନ ଜାରି କରିଥିବା ବେଳେ ଏବେ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ।ତେଣୁ ଅନଲକ ନେଇ ସରକାର ଚିନ୍ତା କରିପାରନ୍ତି । କୋଭିଡ କଟକଣା କେଉଁ କେଉଁ ଜିଲ୍ଲାରେ କୋହଳ ହେବ ବି କଟକଣା ପୂର୍ବପରି ବଳବତର ରହିବ ସେ ନେଇ ରାଜ୍ୟ ସରକାର ଆଜି ବଡ଼ ଘୋଷଣା କରିପାରନ୍ତି । ତେବେ ୫ ପ୍ରତିଶତ ସଂକ୍ରମଣ ହାର କମ ଥିବା ଜିଲ୍ଲାରେ ଅନଲକ ହେବାର ସମ୍ଭାବନା ଥିବା ବେଳେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ଥିବା ଜିଲ୍ଳାରେ କଟକଣା ବଳବତର ରହିପାରେ ।
ବିଶେଷକରି ଗଞ୍ଜାମ, ଗଜପତି, ସମ୍ବଲପୁର, ସୋନପୁର, ନୂଆପଡ଼ା, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ବଲାଙ୍ଗୀର,କନ୍ଧମାଳ ପରି ଜିଲ୍ଲାରେ ଅନଲକ କରିପାରନ୍ତି ସରକାର। ହେଲେ ସଂକ୍ରମଣ ଓ ପଜିଟିଭ ହାର ଅଧିକ ଥିବା ଖୋର୍ଦ୍ଧା, ଯାଜପୁର, ପୁରୀ, କଟକ, ବାଲେଶ୍ୱର, ଅନୁଗୁଳ, ନୟାଗଡ଼ରେ ଜିଲ୍ଲାରେ ଅନଲକ ପ୍ରକ୍ରିୟାକୁ ଯାଇନପାରନ୍ତି ସରକାର। ଅନଲକ ପାଇଁ ୪ଟି ଦିଗକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଜିଲ୍ଲାରେ ଆକଟିଭ କେସ କେତେ ରହିଛି ? ପଜିଟିଭ ହାର କେତେ ? କେତେ ଟିକାକରଣ କରାଯାଇଛି ? ଓ ସଂପୃକ୍ତ ଜିଲ୍ଲାରେ କେତେ ସଂଖ୍ୟକ ବେଡ୍ ଖାଲି ଅଛି ? ସବୁ ଜିଲ୍ଲାରେ ଏସବୁ ଦିଗକୁ ବିଚାରକୁ ନେଇ କଟକଣା ଜାରି କରିବେ ରାଜ୍ୟ ସରକାର।
କିନ୍ତୁ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଲକଡାଉନ ଖୋଲିଯିବ କିନ୍ତୁ ନାଇଟ କର୍ଫ୍ୟୁ ଜାରି ରହିପାରେ । ସପ୍ତାହାନ୍ତ ସଟଡାଉନ ବି ଜାରି ରହିବା ସମ୍ଭାବନା ରହିଛି । ହଲ, ମଲ, ହୋଟେଲ ଉପରେ ମାସ ଶେଷ ଯାଏଁ କଟକଣା ବଳବତର ରହିପାରେ । ସେଲୁନ,ସ୍ପା ବନ୍ଦ ରହିବା ସମ୍ଭାବନା ଅଧିକ । ଯେଉଁ ଜିଲ୍ଲାରେ ସଂକ୍ରମଣ ହାର କମ ସେହି ଜିଲ୍ଲାଗୁଡିକରେ କଟକଣାକୁ ଅଧିକ କୋହଳ କରାଯାଇପାରେ ।