ଓମିକ୍ରନ: ସତର୍କ କଲା ‘ହୁ’
କରୋନାର ଡେଲ୍ଟା ପ୍ରଜାତି ତୁଳନାରେ ଓମିକ୍ରନ୍ ପ୍ରଜାତି ଅତ୍ୟନ୍ତ ସଂକ୍ରାମକ। ଓମିକ୍ରନ୍ ପ୍ରଜାତିରେ ଆକ୍ରାନ୍ତ ହେବାର ୯୦ ଦିନ ପରେ ବି ପୁନଃ ସଂକ୍ରମଣ ହେବା ଆଶଙ୍କା ୩ ଗୁଣା ଅଧିକ ରହିଛି। ଡେଲଟା ତୁଳନାରେ ଓମିକ୍ରନ୍ ପ୍ରଜାତିରେ ସଂକ୍ରମିତ ହୋଇଥିଲେ ସଂକ୍ରମଣର ୯୦ ଦିନ ପରେ ପୁନଃ ସଂକ୍ରମଣ ହେବାର ସମ୍ଭାବନା ୩ ଗୁଣା ଅଧିକ ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଡାକ୍ତର ସୌମ୍ୟା ସ୍ବାମୀନାଥନ କହିଛନ୍ତି। ଓମିକ୍ରନ୍ ପ୍ରଜାତି ଯୋଗୁଁ ସଂକ୍ରମଣ ବୃଦ୍ଧି ହେଉଛି। କିନ୍ତୁ ହସ୍ପିଟାଲ୍ରେ ରୋଗୀଙ୍କ ସଂଖ୍ୟା ବଢ଼ୁନି।
ଡାକ୍ତର ସୌମ୍ୟା ସ୍ବାମୀନାଥନ କହିଛନ୍ତି, ଆମେ ସମାନ ଭାଇରସ୍ ସହ ଲଢ଼ୁଛେ ତେଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ବି ସମାନ ହେବା ଉଚିତ୍ । ବିଶ୍ବରେ ଏବେ ୨୫ଟି ରାଷ୍ଟ୍ରରେ ଅତି କମ୍ ଟିକାକରଣ ହୋଇଛି ବୋଲି ଡାକ୍ତର ସୌମ୍ୟା କହିଛନ୍ତି।ତେଣୁ ଟିକାକରଣ ହୋଇନଥିବାରୁ ଶିଶୁଙ୍କ ମଧ୍ୟରେ ସଂକ୍ରମଣ ବଢ଼ୁଛି ବୋଲି ସେ କହିଛନ୍ତି । ଡାକ୍ତର ସୌମ୍ୟା ସ୍ବାମୀନାଥନ କହିଛନ୍ତି, ଓମିକ୍ରନ୍ ଯୋଗୁଁ ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ବଢ଼ିଚାଲିଛି ଏବଂ ସପ୍ତାହକରେ ସଂକ୍ରମଣ ୫ ଗୁଣ ବଢ଼ିଛି। ଶିଶୁଙ୍କ ପାଇଁ ଅଧିକ ଟିକା ନାହିଁ। ମାତ୍ର ଅଳ୍ପ କିଛି ଦେଶ ଶିଶୁଙ୍କ ପାଇଁ ଟିକାକରଣ ଆରମ୍ଭ କରିଛନ୍ତି।
ଯଦି ସଂକ୍ରମଣ ନିୟନ୍ତ୍ରଣ ପାଇଁ ସଠିକ୍ ପଦକ୍ଷେପ ଗ୍ରହଣ ନହୁଏ ତେବେ ତୃତୀୟ ଲହର ଆସିଯିବ ବୋଲି ଆଇଏମ୍ଏ (ଇଣ୍ଡିଆନ ମେଡିକାଲ ଆସୋସିଏସନ୍) କହିଛି ।ଉପଲବ୍ଧ ହୋଇଥିବା ବୈଜ୍ଞାନିକ ପ୍ରମାଣ ଏବଂ ଓମିକ୍ରନ୍ ଉତ୍ପତ୍ତି ହୋଇଥିବା ରାଷ୍ଟ୍ରରେ ଥିବା ପ୍ରମାଣକୁ ଆଧାର କଲେ ଏହା ଜଣାପଡ଼ୁଛି ଯେ, ଏହା ଅତ୍ୟନ୍ତ କ୍ଷୀପ୍ର ଗତିରେ ବ୍ୟାପୁଛି ଏବଂ ଅଧିକରୁ ଅଧିକ ଲୋକଙ୍କୁ ଏହା ପ୍ରଭାବିତ କରିବ।