ସେରମ ଆଣୁଛି ଆଉ ଏକ ଟିକା
ଦେଶରେ ଜୋରସୋରରେ ଟିକାକରଣ ଚାଲିଥିବା ବେଳେ ଆସିଛି ଆଉ ଏକ ଭଲ ଖବର । ଭାରତକୁ ଖୁବଶୀଘ୍ର ମିଳିପାରେ ଆଉ ଏକ କୋଭିଡ୍ ଟିକା । କୋଭାକ୍ସିନ୍ ଓ କୋଭିସିଲ୍ଡ୍ ଟିକା ଦେଶରେ ବ୍ୟବହାର ହେଉଥିବା ବେଳେ ଆଉ ଏକ ଟିକା ଆଣିବାକୁ ପ୍ରସ୍ତୁତ ହେଉଛି ସେରମ୍ ଇନଷ୍ଟିଚ୍ୟୁଟ୍ ।
ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଅଦର ପୁନାୱାଲା ଘୋଷଣା କରିଛନ୍ତି ଯେ କମ୍ପାନି ଚଳିତବର୍ଷ ଜୁନ୍ ମାସରେ ଦ୍ବିତୀୟ କରୋନା ଭାଇରସ୍ ଟିକା ବାହାର କରିବାକୁ ଯାଉଛି। ଯାହାର ନାଁ ରହିଛି ନୋଭାଭାକ୍ସ । ସମ୍ଭବତ ଏହି ଟିକାକୁ କମ୍ପାନୀ ଜୁନ୍ ମାସରେ ଲଞ୍ଚ କରିପାରେ । ଅଦାର ପୁନାୱାଲା ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ନୋଭାଭାକ୍ସ ସହିତ ତାଙ୍କ କମ୍ପାନୀ କାମ କରୁଛି । ଭାରତରେ ଏହାର ପରୀକ୍ଷଣ ପାଇଁ ସେ ଆବେଦନ କରିସାରିଛନ୍ତି । ସବୁକିଛି ଠିକ୍ ହେଲେ ଜୁନ୍ ମାସରେ ଏହି ନୋଭାଭାକ୍ସ ଟିକା ଭାରତରେ ଉପଲବ୍ଧ ହେବ ବୋଲି ସେ ଟ୍ୱିଟ୍ କରି ଲେଖିଛନ୍ତି ।
ଏହାକୁ ଅନୁମୋଦନ ମିଳିଲେ ଏହା ହେବ ଭାରତର ତୃତୀୟ କୋଭିଡ୍-୧୯ ଟିକା। ଜାନୁଆରୀ ୧୬ରୁ ଦେଶରେ କରୋନା ଟିକାକରଣ ଚାଲିଛି । ସେରମ୍ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ଟିକା ପ୍ରସ୍ତୁତ କରୁଥିବାବେଳେ ଭାରତ ବାୟୋଟେକ୍ ଦେଶୀ ଟିକା କୋଭାକ୍ସିନ୍ ପ୍ରସ୍ତୁତ କରୁଛି । ଯଦି ଏହି ତୃତୀୟ ଟିକାକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳେ ତେବେ ଏହା ଭାରତରେ ଅନୁମତି ପାଇଥିବା ତୃତୀୟ କୋଭିଡ୍ ଟିକା ହେବ । ଏହି ଖବର ଦେଶବାସୀଙ୍କୁ ଆହୁରି ଆଶ୍ବସ୍ତ କରିଛି।