ପୁଣି ଚର୍ଚ୍ଚାରେ ଜଲେଶପଟ୍ଟା ଆଶ୍ରମ
କନ୍ଧମାଳର ଜିଲ୍ଲା ତୁମୁଡିବନ୍ଧ ଜଳେଶପଟ୍ଟା ଆଶ୍ରମକୁ ଉଡ଼ାଇ ଦେବାକୁ ଧମକ । କେହି ଜଣେ ଅଜଣା ବ୍ୟକ୍ତି ଆଶ୍ରମ ଦାୟିତ୍ୱରେ ଥିବା ଜୀବନ ମୁକ୍ତାନନ୍ଦ ପୁରୀ ବାବାଙ୍କୁ ଏଭଳି ଧମକ ଦେଇଛନ୍ତି । ଚାରି ଦିନ ଭିତରେ ଜଳେଶପଟ୍ଟା କନ୍ୟାଶ୍ରମକୁ ଉଡାଇଦେବା ସହ ଜୀବନରେ ମାରିଦେବାକୁ ଧମକ ଦିଆଯାଇଛି। ୪ ଦିନରେ ମଧ୍ୟରେ ହତ୍ୟା କରାଯିବ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଦଶା ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି। ଥାନାରେ ଏନେଇ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
ଘଟଣା ଅନୁସାରେ, ଆଜି ସନ୍ଧ୍ୟାରେ ସ୍ୱାମୀଜୀଙ୍କ ଫୋନକୁ ଏକ କଲ ଆସିଥିଲା । ଆସନ୍ତା ୪ ଦିନ ମଧ୍ୟରେ ଆଶ୍ରମ ଦାୟିତ୍ୱରେ ଥିବା ଜୀବନ ମୁକ୍ତାନନ୍ଦ ପୁରୀ ବାବାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା । ଏତଲା ପରେ ଆଶ୍ରମରେ ସୁରକ୍ଷାକୁ କଡାକାଡି କରିଦିଆଯାଇଛି । ଏହାକୁ ନେଇ ଆଶ୍ରମ ପରିସରରେ ଏବେ ଭୟର ବାତାବରଣ ଖେଳି ଯାଇଛି। ଆଶ୍ରମ ପରିସରରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ବୋଲି କନ୍ଧମାଳ ଏସ୍ପି ଭିନିତ୍ ଅଗ୍ରୱାଲ ସୂଚନା ଦେଇଛନ୍ତି।
ଜଲେଶପଟ୍ଟା ଆଶ୍ରମକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ପ୍ରତିଷ୍ଠା କରିଥିଲେ ।୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ସନ୍ଧ୍ୟାରେ ଜନ୍ମାଷ୍ଟମୀ ଦିନ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହ ୪ ଜଣଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାକୁ ନେଇ କନ୍ଧମାଳରେ ଦଙ୍ଗାର ସୂତ୍ରପାତ ହୋଇଥିଲା। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ୧୯୬୯ ମସିହାରେ ଚକାପାଦରେ ବାଳକ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହାର ୨୦ ବର୍ଷ ପରେ ୧୯୮୯ରେ ତୁମୁଡ଼ିବନ୍ଧର ଜଲେଶପଟ୍ଟାରେ ପ୍ରତିଷ୍ଠା କରିଥିଲେ କନ୍ୟାଶ୍ରମ । ସମୟରେ ଲକ୍ଷ୍ମଣାନନ୍ଦଙ୍କ ସ୍ଥାନରେ ଆଶ୍ରମ ମୁଖ୍ୟ ଭାବେ ସ୍ବାମୀ ଜୀବନମୁକ୍ତାନନ୍ଦ ପୁରୀ ଦାୟିତ୍ବରେ ଅଛନ୍ତି।