ନିଲମ୍ବିତ ହେଲେ ୩ ବିଜେପି ବିଧାୟକ
ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିବା ଘଟଣାରେ ହୋଇଛି କାର୍ୟ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ୩ ଜଣ ବିଧାୟକ । ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଚଳିତ ଅଧିବେଶନ ପାଇଁ ବିଧାନସଭାରୁ ସସ୍ପେଣ୍ଡ କରାଯାଇଛି । ସେପଟେ ୩ ବିଧାୟକଙ୍କୁ ବାଚସ୍ପତି ସସ୍ପେଣ୍ଡ କରିବା ପ୍ରତିବାଦରେ ଗୃହରେ କକ୍ଷ ତ୍ୟାଗ କରିଛନ୍ତି ବିଜେପି ସଦସ୍ୟ । ଏହା ସହିତ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେପି ବିଧାୟକ ।
ଆଜି ଗୃହରେ ସଂଶୋଧିତ ଲୋକାୟୁକ୍ତ ବିଲ୍ ପାରିତ ପରେ ବିଜେପି ବିଧାୟକ ବାଚସ୍ପତିଙ୍କ ଉପରକୁ ଇୟର ଫୋନ୍, ଚପଲ ଫିଙ୍ଗିଥିଲେ । ଯାହାକୁ ନିନ୍ଦା କରିଥିଲେ ସମସ୍ତେ । ଅଧିବେଶନରେ ବାଚସ୍ପତି ଭିଡିଓ କ୍ଲିପିଂ ଅନୁଧ୍ୟାନ କରିବା ପରେ ୩ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିବା ସହ ଗୃହ ଛାଡ଼ି ଚାଲିଯିବାକୁ ରୁଲିଂ ଦେଇଛନ୍ତି । ନିଲମ୍ବିତ କରିବା ଲାଗି ପ୍ରମିଳା ମଲ୍ଲିକ ଗୃହରେ ପ୍ରସ୍ତାବ ଆଣିଥିଲେ ।ବିଜେଡି ବିଧାୟକ ଭୂପିନ୍ଦର ସିଂ, ପ୍ରତାପ କେଶରୀ ଦେବ ଓ ଶଶୀଭୂଷଣ ବେହେରା ଏହି ଘଟଣାରେ ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ବାଚସ୍ପତିଙ୍କ ନିକଟରେ ଦାବି ରଖିଥିଲେ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହି ଘଟଣାକୁ ନିନ୍ଦା କରିଥିଲେ।
ନିଲମ୍ବିତ ବିଧାୟକ ମୋହନ ମାଝୀ କହିଛନ୍ତି- ମୁଁ ଚପଲ ଫିଙ୍ଗିନି, ହେଡଫୋନ୍ ଫିଙ୍ଗିବା କିଛି ଭୁଲ୍ ନୁହେଁ । ଅନ୍ୟପଟେ ଜୟନାରାୟଣ କହିଛନ୍ତି- ମୋତେ ମୋ ପକ୍ଷ ରଖିବାକୁ ସୁଯୋଗ ଦିଆ ନଯିବାରୁ ଡଷ୍ଟବିନ୍ ଫିଙ୍ଗିବାକୁ ବାଧ୍ୟ ହୋଇଥିଲି ।