୩ ମାମଲା… ମୂଳରେ ପହଁଚିପାରିବେ ତ ଟିମ୍ ଅଭୟ?
ରାଜ୍ୟରେ ହଠାତ୍ ରାଜନୈତିକ ଅଙ୍କକଷା ଠାରୁ ତଦନ୍ତକାରୀ ସଂସ୍ଥାର ନିରପେକ୍ଷତା ଓ ଦକ୍ଷତାକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା । କାରଣ ତିନୋଟି ପ୍ରସଙ୍ଗ ଯାହା ରାଜନୈତିକ ଝଡ ସୃଷ୍ଟି କରିବାର ଆଶଙ୍କା ରହିଛି, ଯେଉଁଥିରେ ସାଧାରଣ ଲୋକ ନ୍ୟାୟ ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି, ସେଭଳି ତିନୋଟି ମାମଲାର ତଦନ୍ତ ଭାର ରାଜ୍ୟ ପୁଲିସର ତିନୋଟି ୱିଙ୍ଗ ଉପରେ ରହିଛି । ସରକାର ଆଉ ସାଧାରଣ ଲୋକଙ୍କ ନଜର କ୍ରାଇମବ୍ରାଂଚ, ଭିଜିଲାନସ ଆଉ ଏସଆଇଟି ଉପରେ ଆସି ଅଟକିଯାଇଛି କାରଣ ତିନୋଟି ସମ୍ବେଦନଶୀଳ ମାମଲାର ତଦନ୍ତ ଏମାନଙ୍କ ଉପରେ ନ୍ୟସ୍ତ କରାଯାଇଛି ।
ସାରୁଅ ଜମି ସ୍କାମ
ସାରୁଅରେ ଓଟିଭି କର୍ତ୍ତୃପକ୍ଷ ଜାଲିଆତି କରି ଆଦିବାସୀ ଲୋକଙ୍କ ଜମି ହଡପ କରିଥିବା ଅଭିଯୋଗ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଂଚ । ସାମ୍ବାଦିକ ସମ୍ମିଳନୀ କରି ଦାୟିତ୍ୱରେ ଥିବା ଅଧିକାରୀ ସୈାମେନ୍ଦ୍ର ପ୍ରିୟଦର୍ଶୀ ଅନେକ ସାଂଘାତିକ କଥା ମାନ କହିଥିଲେ ମଧ୍ୟ ତଦନ୍ତ ହଠାତ୍ ଶିଥିଳ ପଡିଲା ପରି ଲାଗୁଛି । ହାଇକୋର୍ଟରେ ଥବା ଏ ସକ୍ରାନ୍ତୀୟ ମାମଲା ଖାରଜ ହୋଇ ସାରିଛି । ଜାଗୀ-ବୈଜୟନ୍ତଙ୍କର ଆଗୁଆ ଜାମିନ ଆବେଦନ ଖାରଜ ହୋଇସାରିଛି । ଉଭୟଙ୍କୁ ନୋଟିସ କରି ଜେରା କରିବାର ଏହା ପ୍ରକୃଷ୍ଟ ସମୟ । କେଜାଣି କାହିଁକି କ୍ରାଇମବ୍ରାଂଚ ଆଭିମୁଖ୍ୟ ଶାଣିତ ହେବା ବଦଳରେ ସଂକୁଚିତ ହୋଇଯାଇଛି । ଜମି ହରାଇଥିବା ୨୨ ପରିବାର ସଦସ୍ୟଙ୍କୁ ନ୍ୟାୟ ଦେବାର ଗୁରୁ ଦାୟିତ୍ୱ କ୍ରାଇମବ୍ରାଂଚ ଉପରେ ନ୍ୟସ୍ତ ରହିଛି । ପୂର୍ବରୁ ଓଡିଶା ଇନଫ୍ରାଟେକର ନିର୍ଦ୍ଦେଶକ ଓ ଅନ୍ୟ ଅଧିକାରୀଙ୍କୁ ଜେରା କରିବା ସହ ଗିରଫ ବି କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ତଦନ୍ତ ବାଟବଣା ହୋଇଯାଇଥିବା ଜଣାପଡୁଛି । ନ୍ୟାୟ ପାଇବା ପାଇଁ ଅପେକ୍ଷା କରିଥିବା ଆଦିବାସୀ ଦଳିତ ପରିବାରକୁ ନ୍ୟାୟ ଦେବାରେ ସମର୍ଥ ହେବ ତ କ୍ରାଇମବ୍ରାଂଚ?
ପାଠକ-ପାଣିଗ୍ରାହୀ ଲିଙ୍କ
ଗଣମାଧ୍ୟମରେ ଏହି ପ୍ରସଙ୍ଗ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି । ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ଅନୁସନ୍ଧାନ ପାଇଁ । ଜଣେ ଆଇଏଫଏସ ଅଧିକାରୀ ଏବଂ ଜଣେ ପୂର୍ବତନ ମନ୍ତ୍ରୀ କିଭଳି ବଡ ଧରଣର ଚଂଚକତା କରିଥିଲେ, କୋଟି କୋଟି ଟଙ୍କା କୁଆଡୁ ଆସିଲା ଏହାର ଅନୁସନ୍ଧାନ କରି ମୂଳରେ ପହଁଚିବା ସବୁଠାରୁ ବଡ ଚ୍ୟାଲେଂଜ । କାରଣ ଜଣେ ସରକାରୀ ଅଧିକାରୀ ଆଉ ଜଣେ ଜନ ପ୍ରତିନିଧି ଯେତେବେଳେ ଲୋକଙ୍କୁ ଠକିବା ପାଇଁ ମସୁଧା କରିଥିବା ଅଭିଯୋଗ ହେଉଛି ତା ଉପରୁ ପରଦା ନଉଠିଲେ ସାଧାରଣ ଲୋକଙ୍କ ମନରେ ଅବିଶ୍ୱାସର ବାତାବରଣ ସୃଷ୍ଟି ହେବ । ଟାଟା କଂପାନୀ ନାମରେ କିଭଳି ଜାଲ ନିଯୁକ୍ତିପତ୍ର ଦିଆଯାଇଛି ଆଉ ଏଥିପାଇଁ କୋଟି କୋଟି ଟଙ୍କାର କାରବାର ହୋଇଛି ତାକୁ ତଦନ୍ତ କରି ସମସ୍ତ ଚେହେରାଙ୍କୁ ସାମ୍ନାକୁ ଆଣିବାକୁ ପଡିବ । ଭିଜିଲାନସ ଓ ଅନ୍ୟ ବିଭାଗକୁ ନେଇ ଗଠିତ ଏସଆଇଟି ଉପରେ ଏହାର ଗୁରୁ ଦାୟିତ୍ୱ ରହିଛି ।
ପରୀକୁ ନ୍ୟାୟ
ଯେଉଁ ପ୍ରସଙ୍ଗ ବିଧାନସଭାକୁ ଅଚଳ କରି ରଖିଲା, ଶାସକ ଦଳର ଜଣେ ମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନବାଚୀ ତିଆରି କଲା, ଯେଉଁ ମାମଲାରେ ପ୍ରଥମେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ଅନୁମତି ଦିଆଯାଇ ପରେ ଏସଆଇଟି ଗଠନ କରାଗଲା, ତାହା କେତେ ସମ୍ବେଦନଶୀଳ ଏଥିରୁ ସ୍ପଷ୍ଟ । ଆଇପିଏସ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଗଠିତ ଏସଆଇଟି ପରୀକୁ ନ୍ୟାୟ ଦେଇପାରିବ ତ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିବା ସ୍ୱାଭାବିକ । କାରଣ ଗୋଟେ ଛୋଟ ପିଲା ଘର ସାମ୍ନାରେ ଖେଳୁଥିବା ସମୟରେ ହଠାତ୍ ନିଖୋଜ ହୋଇଯିବା ଏବଂ କିଛି ଦିନ ପରେ ଘର ପଛପଟୁ ଅଖା ଭିତରେ ମୃତଦେହ ମିଳିବାକୁ କେହି ବି ସହଜରେ ଗ୍ରହଣ କରିପାରିବେ ନାହିଁ । ପୂର୍ବରୁ ସାରଥୀ ଏବଂ ପାଟଣାଗଡ ମାମଲାକୁ ପର୍ଦ୍ଦାଫାଶ କରିଥିବା ଅରୁଣ ବୋଥ୍ରା ଏହି ମାମାଲର ମୂଳରେ ପହଁଚିବାରେ ସଫଳ ହେଉଛନ୍ତି କି ବିଫଳ ତା ଉପରେ ସମସ୍ତଙ୍କର ନଜର ରହିଛି ।
ପୁଲିସ, ସବୁବେଳେ ସାଧାରଣ ଜନତାଙ୍କ ପାଇଁ । ଏହି ତିନୋଟି ମାମଲାରେ ସାଧାରଣ ଲୋକ ନ୍ୟାୟ ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି । ସାରୁଅରେ ଜମି ହରାଇଥିବା ଲୋକ, ଗୋପାଳପୁରରେ ଠକେଇର ଶୀକାର ହୋଇଥିବା ଜନତା ଏବଂ ଝିଅକୁ ହରାଇଥିବା ବାପା, ମା ସମସ୍ତେ ଅପେକ୍ଷା କରିଛନ୍ତି ରାଜ୍ୟ ପୁଲିସ ବିଭାଗର ତଦନ୍ତକୁ । ଯଦି ପୁଲିସ ଏଥିରେ ବିଫଳ ହୁଏ ତେବେ ଜନତା ଆଉ ପୁଲିସ ମଧ୍ୟରେ ବ୍ୟବଧାନ ବଢିପାରେ ଏବଂ ବ୍ୟବସ୍ଥା ଉପରେ ବିଶ୍ୱାସ ତୁଟିପାରେ ।