THE BYAPINI

ମନେପଡନ୍ତି ବିଜୁ ବାବୁ..

Get real time updates directly on you device, subscribe now.

ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ । ପୁଣ୍ୟତିଥିରେ ରାଜ୍ୟବାସୀଙ୍କ ସେବା ଉଦ୍ଦେଶ୍ୟରେ ନିଜକୁ ଉତ୍ସର୍ଗ କରିବେ ବିଜେଡି ନେତା ଓ କର୍ମୀ । ଏହା ହିଁ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି । କରୋନା କଟକଣା ଭିତରେ ଆୟୋଜନ କରାଯାଇଛି ବିଭିନ୍ନ କାର୍ୟ୍ୟକ୍ରମ ।
ଦକ୍ଷ ସଂଗଠକ, ଓ ରାଜନୀତିର କୁରୁକ୍ଷେତ୍ରରେ ଅପରାଜେୟ ଯୋଦ୍ଧା ଥିଲେ ବିଜୁବାବୁ । ସ୍ୱାଧୀନତା ପରେ ସେ ଦେଶର ଗଣତାନ୍ତ୍ରିକ ସମୃଦ୍ଧି ପାଇଁ ଅଣ୍ଟା ଭିଡିଥିଲେ। ଓଡ଼ିଶା ଥିଲା ବିଜୁବାବୁଙ୍କ ରାଜନୈତିକ ପ୍ରୟୋଗଶାଳା। ଆଜି ତାଙ୍କ ୨୫ତମ ଶ୍ରାଦ୍ଧ ଦିବସରେ ସାରା ରାଜ୍ୟ ମନେ ପକାଉଛି ତାଙ୍କ ବୀରତ୍ୱର ଗାଥା ।
ମାତ୍ର ୪୫ ବର୍ଷ ବୟସରେ ବିଜୁ ପଟ୍ଟନାୟକ ପ୍ରଥମ ଥର ପାଇଁ ରାଜ୍ୟର ଶାସନ ସମ୍ଭାଳିଥିଲେ ୧୯୬୧ ମସିହାରେ । ଓଡ଼ିଶା ପାଇଁ ସ୍ୱପ୍ନ ଦେଖୁଥିଲେ ବିଜୁବାବୁ, ସମୃଦ୍ଧି ପାଇଁ ନେଇଥିଲେ ଦୃଢ଼ ସଂକଳ୍ପ। କେବଳ ସ୍ୱପ୍ନ ନୁହେଁ, ଦୂରଦୃଷ୍ଟିକୁ ବାସ୍ତବ ରୂପ ଦେବା ପାଇଁ ବି କରିଥିଲେ ଭରପୂର ଉଦ୍ୟମ । ରାଜ୍ୟ ପାଇଁ ଚିନ୍ତା କରୁଥିବା ଏହି ଜନନାୟକ ଜାତୀୟ ରାଜନୀତିରେ ବି ଥିଲେ ପାରଙ୍ଗମ । ପ୍ରାଇମ ମିନିଷ୍ଟର ମେକର୍, କ୍ରାଇସିସ୍ ମ୍ୟାନେଜର ଭାବେ ତାଙ୍କର ଥିଲା ସ୍ବତନ୍ତ୍ର ପରିଚୟ । କେବଳ ନିଜ ଦଳ ନୁହେଁ, ବିରୋଧୀ ଦଳର ତୁଙ୍ଗ ନେତାମାନେ ମଧ୍ୟ ସମସ୍ୟାର ସମାଧାନ ପାଇଁ ବିଜୁ ବାବୁଙ୍କ ସାହାଯ୍ୟ ଲୋଡ଼ୁଥିଲେ । କେନ୍ଦ୍ରରେ ଏତେ ପତିଆରା ସତ୍ତ୍ବେ ବିଭିନ୍ନ ପଦପଦବୀକୁ ତୁଚ୍ଛ କରି ସେ ଓଡ଼ିଶା ଫେରିଥିଲେ ।
ରାଜନୀତିରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିଜୁଙ୍କ ପ୍ରତି ରାଜ୍ୟବାସୀଙ୍କ ଭଲପାଇବା କିଛି କମ ନଥିଲା । ଯେଉଁଥିପାଇଁ ଖୁବ୍ କମ ସମୟ ଶାସନ ସିଂହାସନରେ ବସିଥିଲେ ମଧ୍ୟ ଜନତାଙ୍କ ହୃଦୟ ସିଂହାସନରେ ସବୁଦିନ ପାଇଁ ବସି ସାରିଥିଲେ ବିଜୁ ବାବୁ । ଇତିହାସ ଯେତିକି ପଢିଥିଲେ ନିଜ ଜୀବନକାଳ ଭିତରେ ତାହା ଠାରୁ ଅଧିକ ଇତିହାସ ରଚି ସାରିଥିଲେ ବିଜୁ । ଦେଶର ସ୍ୱାଧୀନତା ସଂଗ୍ରାମରେ ବିଜୁଙ୍କ ଅବଦାନ, ଇଣ୍ଡୋନେସିଆ ସ୍ୱାଧୀନତାରେ ବିଜୁଙ୍କ ଭୂମିକା ଆଉ ତା ସାଙ୍ଗକୁ ଯୁଦ୍ଧ ଭଳି ସ୍ଥିତିରେ ଦେଶ ପାଇଁ ସଙ୍କଟମୋଚକ ଭାବେ ଛିଡା ହୋଇ ସାହାସୀ ସିପାହୀର ପରିଚୟ ଦେଇଥିଲେ ପରାକ୍ରମୀ ପାଇଲଟ ବିଜୁ ପଟ୍ଟନାୟକ ।ଆକାଶପଥରେ ଅସମ୍ଭବ ଅପରେସନକୁ ସମ୍ଭବ କରି ବିଜୁ ପାଲଟିଯାଇଥିଲେ ଝଡର ଇଗଲ । ଯେଉଁଥିପାଇଁ ବିଦେଶରେ ମଧ୍ୟ ଶୁଭୁଥିଲା ବିଜୁଙ୍କ ଜୟ ଜୟକାର । ଇଣ୍ଡୋନେସିଆରୁ ମିଳିଥିଲା ଭୂମିପୂତ୍ର ଭଳି ସର୍ବୋଚ୍ଚ ସମ୍ମାନ । ଏହି ଦୁଃସାହସିକ ଦସ୍ତାବିଜର ଉଚ୍ଚତା ଟଲ ମ୍ୟାନଙ୍କ ଉଚ୍ଚତା ଠାରୁ ମଧ୍ୟ ଢେର ଅଧିକ ଥିଲା । ଆକାଶକୁ ସବୁବେଳେ ଛୁଇଁବାକୁ ଚେଷ୍ଟା କରୁଥିବା ବିଜୁ ଶେଷ ପର୍ୟ୍ୟନ୍ତ ଓଡ଼ିଶାର ବିକାଶକୁ ମଧ୍ୟ ଆକାଶଛୁଆଁ କରିବାକୁ ପ୍ରୟାସ ଜାରି ରଖିଥିଲେ । କିଛି ପୂରା କରିଥିଲେ ଆଉ କିଛି ବାକି ଥିଲା । କିନ୍ତୁ ସବୁ ସ୍ୱପ୍ନ ପୂରା କରିବା ପୂର୍ବରୁ ସବୁଦିନ ପାଇଁ ଶୋଇ ପଡିଥିଲେ ଶତାବ୍ଦୀର ଶ୍ରେଷ୍ଠ ପୁରୁଷ ।

Get real time updates directly on you device, subscribe now.

Leave A Reply

Your email address will not be published.