ଟିକା ନାହିଁ ଟିକାକରଣ ବନ୍ଦ..ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ଆଜି ଦିଆଯିବନି ଟିକା
ମହାମାରୀ କରୋନାକୁ ମାତ ଦେବା ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଇଥିବା ବେଳେ ଟିକାର ଅଭାବ ଏବେ ଚିନ୍ତା ବଢାଇଛି । ଆବଶ୍ୟକ ଟିକା ନଥିବାରୁ ଆଜି ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ । ଜୁନ୍ ମାସ ପାଇଁ କେନ୍ଦ୍ର ସରକାର ଆବଶ୍ୟକ ଟିକା ଦେଇନଥିବାରୁ ଟିକାର ଅଭାବ ଦେଖାଦେଇଛି । ଆଜି ପର୍ୟ୍ୟନ୍ତ ରାଜ୍ୟରେ ୩୮ ହଜାର ୩୮୦ ଟିକା ମହଜୁଦ ରହିଛି। ତେଣୁ ଟିକାର ଉପଲବ୍ଧତା ଦେଖି କିଛି ଜିଲ୍ଲାରେ ଟିକାକରଣ ଜାରି ରହିବ।
ଅନୁଗୋଳ, ବଲାଙ୍ଗିର, ବାଲେଶ୍ବର, ଭଦ୍ରକ, ଢେଙ୍ଗାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ, ସୋନପୁର। କୋଭିସିଲ୍ଡ ଟିକା ଅଭାବରୁ ଏସବୁ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ତେବେ କୋଭାକ୍ସିନ ଟିକାକରଣ ଭୁବନେଶ୍ୱରରେ ଚାଲିବ। ଭୁବନେଶ୍ୱରରେ ୬୮ଟି ସ୍ଥାନରେ ଟିକାକରଣ କେନ୍ଦ୍ରରେ ଟିକା ମିଳିବ। ସେହିପରି ରାଜ୍ୟର ୧୯ ଟି ଜିଲ୍ଲାରେ ୨୧୦ଟି କେନ୍ଦ୍ରରେ ଆଜି ଟିକା ଉପଲବ୍ଧ ହେବ। ଜୁନ୍ ୨୧ ପରେ ଆଜି ସବୁଠାରୁ କମ ଟିକା ଦିଆଯିବ । ଜୁନ୍ ୨୧ରୁ କ୍ୟାମ୍ପେନ ମୋଡରେ ଚାଲିଥିଲା ଟିକାକରଣ । କୋଭିସିଲ୍ଡ ଟିକା ନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଏବେ କୋଭିସିଲ୍ଡ ଟିକାର ମାତ୍ର ୩୮ ହଜାର ୩୮୦ ଡୋଜ୍ ରହିଛି । ଏବଂ ଜୁଲାଇ ଦୁଇ ପରେ ରାଜ୍ୟକୁ ପରବର୍ତି କୋଭିସିଲ୍ଡ ଟିକା ଆସିବ ବୋଲି କୁହାଯାଇଛି ।