କାଲି ଦେବସ୍ନାନ ପୂର୍ଣ୍ଣିମା..ଆଜି ରାତିରୁ ଶ୍ରୀଜିଉଙ୍କ ପହଣ୍ଡି
ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନ ସିଂହାସନରୁ ସ୍ନାନବେଦିକୁ ବିଜେ କରିବେ ଶ୍ରୀଜିଉ। ସ୍ନାନବେଦୀରେ ଗଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ତେବେ ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇନାହିଁ।କୋଭିଡ୍ କଟକଣା ପାଇଁ ବିନା ଭକ୍ତରେ ଚଳିତବର୍ଷର ନୀତିକାନ୍ତି ଅନୁଷ୍ଠିତ ହେବ।
ସ୍ନାନଯାତ୍ରା ଲାଗି ଆଜି ରାତିରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ। ଶ୍ରୀଜିଉ ଧାଡି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରିବେ। ଶ୍ରୀଜିଉମାନେ ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରିବେ। ଏଥିପାଇଁ ବାହୁଟକଣ୍ଟ ଓ ଚାରବନ୍ଧା କାମ ଶେଷ ହୋଇଛି। ୨୪ ତାରିଖ ସକାଳୁ ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହେବ। ଅପରାହ୍ଣ ୪ଟାରୁ ଗଜବେଶ ଓଲାଗି ପରେ ଅପରାହ୍ଣ ୫ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ପରେ ୧୫ ଦିନିଆ ଅଣସର ନୀତି ଆରମ୍ଭ ହେବ।ତେବେ ରଥଯାତ୍ରା ଲାଗି ଗତକାଲି ରାତିରୁ ଶ୍ରୀମନ୍ଦିରକୁ ଆରମ୍ଭ ହୋଇଛି ଦଇତା ପ୍ରବେଶ ନୀତି। ମଙ୍ଗଳ ଆଳତି ପରେ ବିଭିନ୍ନ ବାଡ଼ର ଦଇତା ସେବକ ସିଂହଦ୍ୱାର ଦେଇ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଫେରିଛନ୍ତି।
ଦେବସ୍ନାନ ପୂର୍ଣ୍ଣିମା ପାଇଁ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଆଜି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ୟ୍ୟନ୍ତ ବଳବତ୍ତର ଏହା ରହିବ। ତେବେ ସୁରକ୍ଷା ବ୍ୟବସ୍ଥା ଲାଗି ସହରକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ୫ ଜଣ ଅତିରିକ୍ତ ଏସପି, ୩୫ ପ୍ଲାଟୁନ ଫୋର୍ସ, ୨୩ ଡିଏସ୍ପି, ୪୧ରୁ ଅଧିକ ଇନ୍ସପେକ୍ଟର ଓ ୧୫୦ରୁ ଅଧିକ ଅଧିକାରୀ ମୁତୟନ ହେବେ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ବଡ଼ଦାଣ୍ଡ ଓ ପୁରୀ ପ୍ରବେଶ ପଥରେ ୧୫ଟି ସିସିଟିଭି କ୍ୟାମେରା ଲାଗିବ । କେବଳ ପାସଧାରୀ ସେବାୟତଙ୍କୁ ଶ୍ରୀମନ୍ଦିରକୁ ଛଡ଼ାଯିବ।