THE BYAPINI

ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ

Get real time updates directly on you device, subscribe now.

ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ । ରବିବାର ସକାଳେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାସ୍ଥିତ ତାପୋଭାନ ନିକଟରେ ବରଫ ଅତଡ଼ା ଖସି ପଡ଼ିଛି। ଋଷିଗଙ୍ଗା ଉପରେ ନିର୍ମିତ ବନ୍ଧ ଭାଙ୍ଗି ଯାଇଛି ଓ ବନ୍ୟା ପରିସ୍ଥିତି ଉପୁଜିଛି। ଘଟଣାରେ ୧୦୦ରୁ ୧୫୦ ଶ୍ରମିକଙ୍କ ମୃତ୍ୟୁ ହେଉଥିବା ଆଶଙ୍କା କରାଯାଉଛି । ଏହି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଗାଁ ନିକଟ ଦେଇ ବହି ଯାଇଥିବା ନଦୀକୂଳରେ ରହୁଥିବା ଲୋକଙ୍କୁ ଦୂରକୁ ଚାଲି ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଚମୋଲି ଜିଲ୍ଲାର ରେଣି ଗାଁ ନିକଟରେ ପାହାଡ଼ ଉପରୁ କ୍ଷୀପ୍ର ବେଗରେ ଜଳସ୍ରୋତ ମାଡି ଆସିଥିଲା । ନନ୍ଦାଦେବୀ ଗ୍ଲାସିଅରର ଏକ ଅଂଶ ଭାଙ୍ଗିବା ପରେ ଧଉଳି ଗଙ୍ଗା ନଦୀରେ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଧଉଳି ଗଙ୍ଗା କୂଳରେ ରହୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ହରିଦ୍ୱାର, ଋଶିକେଶ ଓ ଶ୍ରୀନଗରେ ଆଲର୍ଟ ଜାରି ହୋଇଛି । ଗଙ୍ଗା ନଦୀକୂଳରେ ଥିବା ସମସ୍ତ ଜିଲ୍ଲା ଜଳସ୍ତର ବୃଦ୍ଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନ୍‌ଡିଆର୍‌ଏପ୍‌, ଏସ୍‌ଡିଆର୍‌ଏଫ୍‌ ଓ ପିଏସ ଫ୍ଲୁଡ୍ କମ୍ପାନୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି।

ଜୋଷୀମଠ ମଲାରୀଆ ବ୍ରିଜ୍ ଓ ନିକଟରେ ଥିବା ଘରଗୁଡ଼ିକ ମଧ୍ୟ ଧୋଇଯାଇଛି। ନଦୀକୂଳ ପାଖରେ ଥିବା ଗାଁ ଲୋକମାନଙ୍କୁ ସୁରକ୍ଷତି ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ପଡ଼ୋଶୀ ଉତ୍ତର ପ୍ରଦେଶର ନଦୀକୂଳିଆ ଅଞ୍ଚଳବାସୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ହେଲପଲାଇନ ନମ୍ବର ଜାରି କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକେ କୌଣସି ପ୍ରକାରର ସାହାଯ୍ୟ ପାଇଁ ୧୦୭୦ ବା ୯୫୫୭୪୪୪୪୮୬ରେ ଯୋଗାଯୋଗ କରିପାରିବେ।

ହିମସ୍ଖଳନ କାରଣରୁ ବିଦ୍ୟୁତ୍ ପ୍ରକଳ୍ପ ଋଷି ଗଙ୍ଗା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏହି ପ୍ରକଳ୍ପରେ କାର୍ୟ୍ୟ କରୁଥିବା ପ୍ରାୟ ୪୦ରୁ ୫୦ଜଣ ଶ୍ରମିକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ୟ୍ୟ ଚାଲିଛି। ତେବେ ଭୁବୈଜ୍ଞାନିକ ପାଖାପାଖି ୮ ମାସ ପୂର୍ବରୁ ଏହିଭଳି ବିପର୍ୟ୍ୟୟକୁ ନେଇ ଚେତାବନୀ ଦେଇଥିଲେ। ସେତେବେଳେ ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ ସମ୍ଭବତଃ ଆଜି ଏତେ ବଡ ଦୁର୍ଘଟଣାରୁ ଲୋକଙ୍କୁ ରକ୍ଷା କରାଯାଇ ପାରିଥାନ୍ତା।

Get real time updates directly on you device, subscribe now.

Leave A Reply

Your email address will not be published.