୧୧ ଜିଲ୍ଲାରେ ଟିକାକରଣ ବନ୍ଦ
ସଂକ୍ରମଣ ବଢୁଥିବା ବେଳେ କରୋନାକୁ ମାତ ଦେବା ପାଇଁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ହେଲେ ଆବଶ୍ୟକ ଟିକା ନଥିବାରୁ ରାଜ୍ୟର ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଟିକାକରଣ ହେଉନାହିଁ ।କୋଭିସିଲ୍ଡ ଟିକା ଅଭାବ ଯୋଗୁଁ ରାଜ୍ୟରେ ଟିକାକରଣ ଅଭିଯାନ ଧିମେଇ ଯାଇଛି।
୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ଥିବା ବେଳେ କେବଳ ୧୨୩ଟି କେନ୍ଦ୍ରରେ ଟିକାକରଣ ଚାଲିଛି । ଆଜି ୧ଲକ୍ଷ କୋଭିସିଲ୍ଡ ଟିକା ଆସିବ ବୋଲି ସୂଚନା ମିଳିଛି । ମଙ୍ଗଳବାର ସୁଦ୍ଧା ରାଜ୍ୟରେ ମାତ୍ର ୧୯ ହଜାର ଡୋଜ୍ କୋଭିସିଲ୍ଡ୍ ଟିକା ରହିଛି । ଏଣେ ୨୯ ଏପ୍ରିଲ ସୁଦ୍ଧା ୮ଲକ୍ଷ ୯୦ ହଜାର ବ୍ୟକ୍ତି ଦ୍ବିତୀୟ ଡୋଜ୍ ଟିକା ନେବାକୁ ଥିଲେ, ଏହି ସଂଖ୍ୟା ଆହୁରି ବଢ଼ି ଯାଇଛି । ଏପରି ସ୍ଥିତିରେ ରାଜ୍ୟରେ ଦ୍ବିତୀୟ ପର୍ୟ୍ୟାୟ ଟିକାକରଣ ବାଧାପ୍ରାପ୍ତ ହୋଇଛି ।
ଟିକା ନଥିବାରୁ ସମସ୍ତଙ୍କୁ ଟିକା ଦିଆଯାଇପାରୁନାହିଁ । ଫଳରେ ଟିକାକରଣ ପ୍ରକିୟା ବାଧାପ୍ରାପ୍ତ ହେଉଛି । ରାଜ୍ୟରେ ଆଜି ସୁଦ୍ଧା ୧୯ ହଜାର ୯୦୦ କୋଭିସିଲ୍ଡ ଟିକା ମହଜୁଦ ରହିଥିବା ବେଳେ କୋଭାକ୍ସିନ ରହିଛି ୩ଲକ୍ଷ ୧୫ ହଜାର ୫୩୦ ଡୋଜ । ରାଜ୍ୟରେ ଏପର୍ୟ୍ୟନ୍ତ ୫୯ ଲକ୍ଷ ୪ ହଜାର ୩୧୪ ଜଣ ଟିକା ନେଇ ସାରିଲେଣି । ଟିକାକରଣ କେନ୍ଦ୍ରରେ ଦ୍ବିତୀୟ ଡୋଜ୍ ନେବାକୁ ଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦେବାକୁ କୁହାଯାଇଛି, କାରଣ ୬ ରୁ ୮ସପ୍ତାହ ଭିତରେ ଦ୍ବିତୀୟ ଡୋଜ୍ ଟିକା ନେବା ଜରୁରୀ । ସୋମବାର ସୁଦ୍ଧା ରାଜ୍ୟରେ ୫୯ଲକ୍ଷ ୪ହଜାର ୩୧୪ ସଂଖ୍ୟକ ଟିକାକରଣ ହୋଇଛି। ଏଥିରେ ୪୫ବର୍ଷରୁ ଅଧିକ ବର୍ଗର ୪୩ଲକ୍ଷ ୪୭ହଜାର ୩୫୫ ହିତାଧିକାରୀ ରହିଛନ୍ତି