ଏସପ୍ଲାନେଡ ପାର୍କିଂରେ ଟୀକାକରଣ
ଭୁବନେଶ୍ୱର ଏସପ୍ଲାନେଡ ମଲରେ ଚାଲିଛି ଟୀକାକରଣ । ମଲର ପାର୍କିଂସ୍ଥଳରେ ଆଜିଠୁ ଟୀକାକରଣ ଚାଲିଛି । ୪୫ ବର୍ଷରୁ ଅଧିକ ଲୋକଙ୍କର ୨ୟ ଡୋଜ୍ ପାଇଁ ଡ୍ରାଇଭ ଇନ ବ୍ୟବସ୍ଥା ଆରମ୍ଭ ହୋଇଛି । ଆଜିଠାରୁ ଏସପ୍ଲାନେଡରେ ଟୀକାକରଣ ବ୍ୟବସ୍ଥା ଚାଲିବ । ପ୍ରଥମ ଦିନରେ ୪୦୦ ସ୍ଲଟ୍ ପାଇଁ ଟୀକାକରଣ ହେବ ଏବଂ ପରବର୍ତ୍ତୀ ସମୟରେ ୫୦୦ ସ୍ଲଟ ଖୋଲା ଯିବ । ସ୍ଲଟ ବୁକିଂ କରି ଲୋକେ ସବୁଦିନ ଟୀକା ନେବାକୁ ଆସିପାରିବେ । ତେବେ ଆସିବା ବେଳେ ଆଧାରକାର୍ଡ ଏବଂ ପ୍ରଥମ ଡୋଜର ପ୍ରମାଣପତ୍ର ନେଇ ଆସିବାକୁ ପଡିବ ।

ତେବେ ଭ୍ୟାକ୍ସିନ ପାଇଁ ସବୁ ଟୀକାଦାନ କେନ୍ଦ୍ରରେ ଅସମ୍ଭାଳ ଭିଡ ଲାଗୁଛି । ଭ୍ୟାକ୍ସିନ ପାଇଁ ପ୍ରବଳ ଗହଳି ଖାଲି ଭୁବନେଶ୍ୱରରେ ନୁହେଁ ବରଂ ସାରା ରାଜ୍ୟରେ ଦେଖିବାକୁ ମିଳୁଛି । ତେଣୁ ଲୋକଙ୍କୁ ଏକ ସୁସ୍ଥ, ମୁକ୍ତ ପରିବେଶରେ ଟୀକା ଦେବାକୁ ଏସପ୍ଲାନେଡ ମଲର ପାର୍କିଂ ସ୍ଥଳୀକୁ ବାଛିଚି ବିଏମସି । ସବୁବେଳେ ସାଇନଟାଇଜ ହେଉଥିବା ମଲର ପାର୍କିଂ ବିରାଟ ବଡ ସ୍ଥାନ ହୋଇଥିବାରୁ ଏହା ଏତେ ଗହଳିପୂର୍ଣ୍ଣ ହେବନି । ତେଣୁ ଯେଉଁମାନଙ୍କୁ ସ୍ଲଟ ଆବଣ୍ଟନ ହୋଇଥିବ ସେମାନେ ପାର୍କିଂ ସ୍ଥଳରେ ଅପେକ୍ଷା କରିବେ ଏବଂ ନିଜ ପାଳି ପଡିଲା ପରେ ଟୀକା ନେଇ ମଲର ପ୍ରସ୍ଥାନ ଦ୍ୱାର ଦେଇ ବାହାରେ ଅଧଘଣ୍ଟା ବିଶ୍ରାମ ନେଇ ଘରକୁ ଯାଇ ପାରିବେ ।
ସେପଟେ ସାମାଜିକ ଦୂରତା ପାଇଁ କାରରେ ଆସୁଥିଲେ ଡ୍ରାଇଭର ସହ ଜଣେ ଏବଂ ବାଇକରେ ଆସୁଥିଲେ ଜଣଙ୍କୁ ହିଁ ଅନୁମତି ଦିଆଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସପ୍ଲାନେଡ ମଲରେ କେବଳ ୪୫ ବର୍ଷରୁ ଅଧିକ ଲୋକଙ୍କୁ ୨ୟ ଡୋଜ୍ ଟୀକାକରଣ ହିଁ ଚାଲିବ ।