ଘରୋଇ ହସ୍ପିଟାଲରେ ହେବ ଟିକାକରଣ
ରାଜ୍ୟର ଘରୋଇ ହସ୍ପିଟାଲରେ କରୋନା ଟିକାକରଣକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ଓଡିଶାର ଘରୋଇ ହସ୍ପିଟାଲରେ ଦିଆଯିବ କରୋନା ଟିକା । ପ୍ରାୟ ୧୮୩ ଘରୋଇ ହସ୍ପିଟାଲରେ ଟିକାକରଣ ପାଇଁ କେନ୍ଦ୍ର ଅନୁମତି ମିଳିଛି। କେନ୍ଦ୍ରର ଅନୁମତି ନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଅଧିନରେ ଥିବା ବେସରକାରୀ ହସ୍ପିଟାଲ ଓ କ୍ଲିନିକଗୁଡ଼ିକୁ କୋଭିଡ୍ ଟିକାକରଣରେ ସାମିଲ କରିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ। ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାରେ ସାମିଲ ଘରୋଇ ହସ୍ପିଟାଲରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକାକରଣ ହେଉଥିବା ବେଳେ ବିଏସକେୱାଇରେ ଚାଲିଥିବା ୧୮୩ ହସ୍ପିଟାଲକୁ ଟିକାକରଣରେ ସାମିଲ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚିଠି ଲେଖିବା ପରେ କେନ୍ଦ୍ର ଅନୁମତି ଦେଇଛି ।
ରାଜ୍ୟରେ ଘରୋଇ ହସ୍ପିଟାଲଗୁଡିକରେ କରୋନା ଟିକାକରଣ ନେଇ ସମସ୍ୟା ଦେଖାଦେଇଛି । କାରଣ ଆମ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ଲାଗୁ ହୋଇନାହିଁ ଏବଂ ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ୟ୍ୟକାରୀ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ବିଏସକେୱାଇରେ ସାମିଲ ୧୮୩ ଘରୋଇ ହସ୍ପିଟାଲରେ କରୋନା ଟିକାକରଣ ପାଇଁ ଅନୁମତି ଦେବାକୁ କେନ୍ଦ୍ରକୁ ଚିଠି ଲେଖାଯାଇଥିଲା । ମାର୍ଚ୍ଚ ୧ ତାରିଖରୁ ସାରାଦେଶରେ ଦ୍ୱିତୀୟ ପର୍ୟ୍ୟାୟ ଟିକାକରଣ ଆରମ୍ଭ ହେଉଛି । ଏଥିରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ମାଗଣା ଟିକା । ସେହିପରି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଥିବା ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମାଗଣା ଟିକା ଯୋଗାଇ ଦେବେ ସରକାର ।
ଗୋଟିଏ ପଟେ ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହେଉଥିବା ସମୟରେ ଏବେ ଘରୋଇ ମେଡିକାଲରେ ଟିକାକରଣ ହେବା ଖବର ରାଜ୍ୟ ସରକାରଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି ।