THE BYAPINI

‘ବିପିଏଲ’ରେ ବର୍ଷା, ସଂକେତ କଣ?

Get real time updates directly on you device, subscribe now.

ଖଲ୍ଲିକୋଟ କଲେଜ ଷ୍ଟାଡିୟମରେ ବିଜୁ ପ୍ରିମିୟର ଲିଗରେ ବର୍ଷା ପ୍ରିୟଦର୍ଶନୀ ଅତିଥି ହୋଇ ଯୋଗଦେବା ରାଜନୈତିକ ସମୀକରଣକୁ ବିଗାଡି ଦେଇଛି । ଏହା ଅନୁଭବଙ୍କ ପାଇଁ ସତର୍କଘଂଟି ବୋଲି ସମୀକ୍ଷକ ମତ ରଖୁଥିବା ବେଳେ ଆଗାମୀ ଦିନରେ ବିଜେଡିରେ ସାମିଲ ହେବେ କି ବର୍ଷା, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ବିଧାୟକ ବିକ୍ରମ ପଣ୍ଡା ତାଙ୍କୁ ଆମନ୍ତ୍ରିତ କରିଥିଲେ ବୋଲି ବର୍ଷା ନିଜ ଫେସବୁକ ପେଜରେ ଉଲ୍ଲେଖ କରିଛନ୍ତି । ହେଲେ ଏହା ଶୁଣିବାକୁ ଯେତିକି ସରଳ, ଅସଲ କଥା ଖୁବ ଜଟିଳ ବୋଲି କୁହାଯାଉଛି । ଓଲିଉଡ ଷ୍ଟାର ଭାବେ ବର୍ଷାଙ୍କୁ ଯଦି ବ୍ରହ୍ମପୁରର ବିଜେଡି ନେତା ଡାକିଥିବେ ତେବେ ଠିକ୍ ଅଛି, ହେଲେ ଏହା ପଛରେ ଯଦି ରାଜନୈତିକ ପ୍ରଭାବକୁ ଆକଳନ କରିବାକୁ ଗୁପ୍ତ ଭାବେ ଉଦ୍ୟମ ଆରମ୍ଭ ହୋଇଥିବ ତେବେ ଏହା କିଛି ନେତା ଆଉ ନେତା ହେବାକୁ ଆଶା ରଖିଥିବା ବ୍ୟକ୍ତିଙ୍କ ନିଦ ଉଡାଇଦେବ ।

Courtesy – https://www.facebook.com/TeamVarshaOfficial

୨୦୧୯ ନିର୍ବାଚନ ପରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ବିଜେଡି କ୍ଷମତାକେନ୍ଦ୍ରଙ୍କ ନିକଟତର ପାଲଟି ଯାଇଛନ୍ତି । କୁହାଯାଉଛି, କ୍ଷମତାକେନ୍ଦ୍ରଙ୍କ ବିନା ଇଙ୍ଗିତରେ ବା ସଂଗଠନର କ୍ଷମତାଶାଳୀଙ୍କ ବିନା ନିର୍ଦ୍ଦେଶରେ ସେ କିଛି କରନ୍ତି ନାହିଁ । ଏମିତିରେ ବି ଗଂଜାମ ରାଜନୀତିର ମଙ୍ଗ କିଏ ଧରିବ ତାକୁ ନେଇ ସମୀକ୍ଷା ଚାଲିଥିବା ବେଳେ, ବିନା ପରାମର୍ଶ ଲୋଡି ବର୍ଷାଙ୍କ ଉଭୟ ଚନ୍ଦ୍ରଶେଖର ଏବଂ ବିକ୍ରମ ଅତିଥି କରି ଡାକିବାକୁ ଚିନ୍ତା କରିଥିବେ ଏହା କଳ୍ପନାର ବାହାରେ ବୋଲି ବ୍ରହ୍ମପୁର ରାଜନୀତିକୁ ନିକଟରୁ ଦେଖୁଥିବା ବ୍ୟକ୍ତି ମତ ରଖିଛନ୍ତି । ଏମିତିରେ ମଧ୍ୟ ବିଜୁ ଜନତା ଦଳରେ ଏକାଧିକ ଷ୍ଟାର ଅଛନ୍ତି, ଯେଉଁମାନଙ୍କର କ୍ରେଜ ଯଥେଷ୍ଟ ଅଧିକ । ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ବଦଳରେ ବର୍ଷାଙ୍କୁ ଡାକିବା ଅନେକ ଚର୍ଚ୍ଚା ସୃଷ୍ଟି କରିଛି । ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା ପରେ ଦଳ ଭିତରେ ଅନୁଭବ କୋଣଠେସା ହେଉଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ବର୍ଷା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ନିଜର ଏକ ବେସ୍ ତିଆରି କରିବାକୁ ଚାହୁଁଥିବା କୁହାଯାଉଛି । ବିଜୁ ପ୍ରିମିୟର ଲିଗରେ ଅତିଥି ଭାବେ ଯୋଗଦେଇ ସେ ଧୀରେ ଧୀରେ ଗୋଟିଏ ଗୋଟିଏ ପାହାଚ ଆଗଉଥିବା ବରିଷ୍ଠ ସାମ୍ବାଦିକ ମତ ରଖିଛନ୍ତି ।

ସେମିତିରେ ବି ବ୍ରହ୍ମପୁରରୁ ଦୁଇ ଥର ସାଂସଦ ହୋଇଥିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଅନୁଭବ କେନ୍ଦ୍ରାପଡା ଭଳି ଅସନରୁ ନିର୍ବାଚିତ ହୋଇଛନ୍ତି । ମୁନା ଖାଁ ଏବେ ରାଜ୍ୟସଭା ସାଂସଦ । ଆକାଶ ଦାସନାୟକ ବିଧାୟକ ଥିଲେ ଏବେ ମୋ କଲେଜ ଦାୟିତ୍ୱରେ । କୁନା ତ୍ରିପାଠୀଙ୍କୁ ଦଳ ଚଳଚିତ୍ର ନିଗମ ଦାୟିତ୍ୱ ଦେଇଛି । ପୁର୍ବରୁ ଅନେକ ଅଭିନେତାଙ୍କୁ ଦଳ ନିର୍ବାଚନ ମୈଦାନକୁ ଓହ୍ଲାଇ ସଫଳତା ପାଇଛି । ଟିକେଟ ପାଇବା ପାଇଁ ଆଶା ରଖି ଦଳରେ କାର୍ଯ୍ୟ କରୁଥିବା ଅଭିନେତା ଅଭିନେତ୍ରୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ଅଧିକ । ଏଭଳି ସ୍ଥଳେ ବର୍ଷା ପ୍ରିୟଦର୍ଶନୀ ଏନେଇ ମନରେ ଚିନ୍ତା କରୁଥିଲେ କିଛି ଅସୁବିଧା ନାହିଁ । ହୁଏତ ବର୍ଷା ରାଜନୀତିକୁ ନଆସି ସାମାଜିକ କାର୍ଯ୍ୟକ୍ରମ ଜରିଆରେ ମନୋନିବେଶ ବି କରିପାରନ୍ତି । ସେ ନିଜର କାର୍ଡ ଏଯାଏଁ ଖୋଲିନାହାନ୍ତି, ହେଲେ ଅନୁଭବଙ୍କ ପାଇଁ ଆଗାମୀ ରାଜନୈତିକ ଯାତ୍ରା ଯେ ଆହ୍ୱାନଭରା ହେବ ଏଥିରେ କୈାଣସି ସନ୍ଦେହ ନାହିଁ । ଯଦି ବର୍ଷା ବିଜେଡିକୁ ଆସନ୍ତି, ଆଉ ଦଳ ତାଙ୍କୁ ଆଗାମୀ ପଂଚାୟତ ନିର୍ବାଚନ ଅଗରୁ ସାରା ରାଜ୍ୟରେ ପ୍ରଚାର ମୈଦାନକୁ ଓହ୍ଲାଏ ତେବେ ଏକ ବଡ ଧରଣର ରାଜନୈତିକ ହଟଚମଟ ହୋଇପାରେ । ବର୍ଷା ନିଜର ଗୋଟି କିଭଳି ଚଳାଉଛନ୍ତି, ତାଉପରେ ରାଜନୈତିକ ସମୀକ୍ଷକ ନଜର ରଖିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.