ମାସ୍କ ପିନ୍ଧୁନ, ମେଡିକାଲ ଯିବ…!
ମାଡି ଆସୁଛି ଘୋର ବିପଦ । ପୁଣି ଧଡଧଡ ହେଲାଣି ଛାତି । ଲହଲହ ଜିଭ କରି କାୟା ମେଲାଇବା ଆରମ୍ଭ କଲାଣି କରୋନାର ୨ୟ ଲହର । ଦେଶରେ ସାଙ୍ଘାତିକ ହେଲାଣି ସଂକ୍ରମଣ ସ୍ଥିତି । ଅନେକ ରାଜ୍ୟରେ ବି ଫେରିଲାଣି ଲକଡାଉନ ପରିସ୍ଥିତି । ହୁ ହୁ ବଢୁଥିବା କରୋନାକୁ ରୋକିବାକୁ ଅନେକ ରାଜ୍ୟ କଟକଣା ବି କଡା କଲେଣି । ଆଉ ୟାରି ଭିତରେ ପଡିଶା ପାଇଁ ଡରିଲାଣି ଓଡିଶା । ଅନ୍ୟରାଜ୍ୟ ଓଡିଶା ପାଇଁ କାଳେ କାଳ ସାଜିବ ସେଥିପାଇଁ ସଜାଗ ହେଲେଣି ସରକାର, ସତର୍କ ହେଲାଣି ପ୍ରଶାସନ । କିନ୍ତୁ ସାଧାରଣ ଲୋକଙ୍କ କିଛି ଫରକ ପଡୁନି । ଅଚିନ୍ତାରେ ଅମାନିଆ, ଅବୁଝା ଲୋକେ । ମାସ୍କ କଣ ହେବ, କରୋନା ତ ନାହିଁ । କରୋନା ହେଲେ ହେବ ତାବୋଲି କଣ ବୁଲିବାନି ନା, କୁଆଡେ ବାହାରିବାନି… କିଛି ଏମିତି ଅବାନ୍ତର ଯୁକ୍ତିକରି କୋଭିଡ ନିୟମ ଭାଙ୍ଗୁଛନ୍ତି ଲୋକେ । ଯେଉଁଥିପାଇଁ କରୋନା ଉପରମୁହାଁ ହେଲାଣି ।

ଭିଡକୁ ଆଉ ଭୟ ନାହିଁ । ସାନିଟାଇଜର ଆଉ ସାଥିରେ ରହୁନି । କେଉଁ ଥାକରେ ପଡିଛି ଯେ ଖୋଜିଲେ ବି ମିଳୁନି । ବାବାରମ୍ବାର ହାତଧୁଆ ରୁଟିନରୁ ହଜିଗଲାଣି । ଏତେ ଥର କିଏ ହାତ ଧୋଇବ । କରୋନା ବଢୁ ଧୋଇବା । ବାହାରୁ ବୁଲିବାଲି ଆସିଲେ ବି ନା ସାବୁନରେ ହାତଧୁଆ ହେଉଛି ନା ମାସ୍କ ସଫା କରାଯାଉଛି । ମାସ୍କ ପରିଷ୍କାର ତ ରଖିବା ଦୂରର କଥା କେତେ ଜଣ ଆଉ ମାସ୍କ ପିନ୍ଧୁଛନ୍ତି କହିଲେ । ଅଧିକାଂଶ ଲୋକ ମାସ୍କ ଭୁଲିଗଲେଣି । ଖାଲି ଫାଇନ ଡରରେ କାନରେ ଝୁଲେଇ ଦେଉଛନ୍ତି । କିଏ ମାସ୍କ ବେକରେ ପିନ୍ଧୁଛି ତ କିଏ ପାଟି ତଳକୁ । ନାକ ଉପରେ କାହାର ମାସ୍କ ରହୁନି । ଭାଇ ତମର ମାସ୍କ କାଇଁ ପଚାରିଲେ କହୁଛନ୍ତି, ଅଣନିଶ୍ୱାସୀ ଲାଗୁଛି, କେତେ ପିନ୍ଧିବା, ପକେଟରେ ରଖିଦେଇଛି । ମହାମାରୀ ମୁକାବିଲା ପ୍ରାଥମିକ ଅସ୍ତ୍ର ଏବେ ମୁହଁରୁ ଯାଇ ପକେଟରେ ପହଞ୍ଚିଲାଣି । ଏଇୟା ହେଉଛି ଆମ ଦେଶ, ରାଜ୍ୟ, ସମାଜର ସ୍ଥିତି । ଯେଉଁଠି ଲୋକ ସଚେତନ ନୁହଁନ୍ତି ସେଠି ସରକାର ବା କଣ କରିପାରିବେ । ଯେତେ ନିୟମ କଡାକଡି କଲେ ବି ଆମାନିଆ ପରା ଅବାଟରେ ଯିବେ ।
ଗତ ବର୍ଷ ଏହି ସମୟରେ ଲୋକେ ଏକ ପ୍ରକାର ଛାନିଆ ହୋଇଯାଇଥିଲେ । କରୋନା ପାଇଁ ସବୁଠି କୋକୁଆ ଭୟ ଖେଳିଯାଇଥିଲା । କରୋନା କଣ ? କେଉଁଠୁ ଆସିଲା ? କେଉଁ ପ୍ରଭାବ ପକାଇବ ମାନବ ଜାତି ଉପରେ ? ଏଇ ଚିନ୍ତା ସମସ୍ତଙ୍କୁ ଘାରୁଥିଲା । ଛୁଇଁଦେଲେ ସଂକ୍ରମଣ ବ୍ୟାପିଯିବ ବୋଲି ଲୋକେ ହାତେ ଦୂରରେ ରହୁଥିଲେ । ମଣିଷ ମଣିଷଙ୍କୁ ଘୃଣା କରୁଥିଲା । ମୁହଁରୁ ମାସ୍କ ବାହାରୁନଥିଲା । ହାତ ଘନଘନ ଧୁଆ ହେଉଥିଲା, ସାନିଟାଇଜର ଜରୁରୀ ଜିନିଷ ପାଲଟିଥିଲା । ଆଉ ବଜାରରେ ମାସ୍କ, ସାନିଟାଇଜରର ଅଭାବ ଦେଖାଗଲା । ହେଲେ ଠିକ ବର୍ଷେ ପରେ କରୋନା ୨ ଥର ଫେରୁଛି । ପୂର୍ବଥର ଠାରୁ ଏଥର ଭୟଙ୍କର ହୋଇ ଆସୁଛି କିନ୍ତୁ ଆମର ଫରକ ପଡୁନି । ଲୋକେ ଆଉ ଡରୁନାହାନ୍ତି । ଟିଭି, ପେପରେ, ଗଣମାଧ୍ୟମରେ ଯେତେ ସଚେତନ ସତର୍କ କରାଇଲେ ବି କେହି ଶୁଣୁ ନାହାନ୍ତି । ତେଣୁ ଏଥର ସଂକ୍ରମଣ ବ୍ୟାପିଲେ ସାଙ୍ଘାତିକ ହେବ ବୋଲି ଆଶଙ୍କା କରାଯାଉଛି । ତେଣୁ ମାସ୍କ ନପିନ୍ଧିରେ କୋଭିଡ ହସ୍ପିଟାଲ ଯିବା ସୁନିଶ୍ଚିତ ଅର୍ଥାତ କରୋନା ହେବା ଥୟ…
ସେପଟେ ସ୍ଥିତି ଦିନକୁ ଦିନ ବିଗୁଡୁ ଥିବାରୁ କଟକଣା କଡା କରିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ଏପ୍ରିଲ ପାଇଁ ଗାଇଡଲାଇନ ଜାରି କରି କେନ୍ଦ୍ର ରାଜ୍ୟକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଛି । ଅନ୍ୟପଟେ ଗତକାଲି ମୁଖ୍ୟମନ୍ତ୍ରୀ କରୋନା ସମୀକ୍ଷା କରି କଡାକଡି କରିଛନ୍ତି ନିୟମ । ବାହାଘରରେ ୫୦୦ ବଦଳରେ ୨୦୦ ଲୋକଙ୍କୁ ଅନୁମତି ଥିବାବେଳେ ଶୁଦ୍ଧିକ୍ରିୟାରେ ୫୦ ଲୋକଙ୍କ ଅନୁମତି ଅଛି । ଲକଡାଉନ ସ୍ଥିତିକୁ ରାଜ୍ୟ ଫେରିବାକୁ ଚାହୁଁନି, ପୂର୍ବର ସେ ସ୍ଥିତି ଆଉ ଥରେ ନଆସୁ ତେଣୁ ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାମାଜିକ ଦୂରତା ରକ୍ଷା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ନିୟମ ପାଳନ ଉପରେ ନଜର ରଖିବାକୁ ପୋଲିସକୁ ଦାୟିତ୍ୱ ଦିଆଯାଇଛି । ତେଣୁ ବେଳ ହୁଁ ସାବଧାନ । ଏବେଠୁ ସତର୍କ, ସଚେତନ ନହେଲେ ପୁଣି ବିଗିଡିପାରେ ସ୍ଥିତି । ମଣିଷ ଯାଇପାରେ ମେଡିକାଲ ।