ୱିକେଣ୍ଡରେ ରାଜଧାନୀ ଚାଲ!
ଜିଲ୍ଲା ସ୍ତରରେ ଏବେ ବିଚିତ୍ର ସ୍ଥିତି । ଶୁକ୍ରବାର ସନ୍ଧ୍ୟା ହୋଇଗଲେ କିଛି ନିର୍ଦ୍ଦିଷ୍ଟ ବିଭାଗର ବାବୁ ଏବେ ଆଉ ନିଜ ନିଜ କର୍ମକ୍ଷେତ୍ରରେ ରହିବାକୁ ଚାହୁଁନାହାନ୍ତି । ମନ ତାଙ୍କର ରାଜଧାନୀ ମୁହାଁ ହୋଇଯାଉଛି । ଶୁକ୍ରବାର ଅପରାହ୍ନରୁ ସୋମବାର ଅପରାହ୍ନ ଯାଏଁ ପୁର୍ତ୍ତ, ଜଳସଂପଦ ଏବଂ ଗ୍ରାମ୍ୟଉନ୍ନୟନ ବିଭାଗର ଜିଲ୍ଲାସ୍ତରର ଅଫିସ୍ ଖାଲି ହୋଇଯାଉଥିବା ଦେଖିବାକୁ ମିଳୁଛି । ମିଳୁଥିବା ସୁଚନା ଅନୁସାରେ ଏହି ବାବୁମାନେ ନିଜ ପରିବାରକୁ ଭୁବନେଶ୍ୱର, କଟକରେ ଛାଡି ଜିଲ୍ଲାରେ କାର୍ଯ୍ୟ କରୁଥିବାରୁ ସେମାନେ ଭେଟିବାକୁ ଚାଲିଆସୁଛନ୍ତି । ଫଳରେ ପ୍ରଶାସନ ଏକ ପ୍ରକାରର ସ୍ଥାଣୁ ପାଲଟିଯାଉଛି । ଅନେକ କାମ ପଡିରହୁଛି, ଉନ୍ନୟନମୁଳକ କାମ ଠପ୍ ହୋଇଯାଉଛି । ଆଉ ମଉଜ କରିବାକୁ ଅଧିକାରୀ ମୁହାଁଇ ଯାଉଛନ୍ତି ରାଜଧାନୀ । ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ସରକାର ସମସ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ହେଲେ ଲାଗୁଛି ଏହାକୁ ଲାଗୁ କରିବାକୁ ଯେମିତି ଚାହୁଁନାହାନ୍ତି ବାବୁମାନେ ।
ରାଜ୍ୟ ସରକାର ଶନିବାରକୁ ଯେବେଠାରୁ ଛୁଟି ଘୋଷଣା କଲେ, ଏହାକୁ ବାବୁମାନେ ଶୁକ୍ରବାର ଠାରୁ କାର୍ଯ୍ୟକାରୀ କରାଉଥିବାର ଦେଖିବାକୁ ମିଳୁଛି । ଫିଲଡ ଭିଜିଟ ନାଁରେ ନିଜ ଇଲାକାର ଦୁର୍ଗମ ଅଂଚଳକୁ ଯାଉଛନ୍ତି ବୋଲି ଜଣାଇଦେଇ ଟ୍ୱିନସିଟି ମୁହାଁ ହେଉଛନ୍ତି । ନା କେହି ପ୍ରଶ୍ନ ଉଠାଉଛନ୍ତି ନା ଏହାକୁ ରୋକିବାକୁ କେହି ପଦକ୍ଷେପ ନେଉଛନ୍ତି । ଫଳରେ ୫-ଟି ତାର ମୁଳ ଲକ୍ଷ୍ୟରୁ ବିଚ୍ୟୁତ ହେଉଥିବା ଦେଖିବାକୁ ମିଳିଛି । ଠିକ ସମୟରେ, ସ୍ୱଛତାର ସହ କାର୍ଯ୍ୟ କରିବାକୁ ଯେଉଁ ମୁଳମନ୍ତ୍ର ଅଧିକାରୀଙ୍କ କାନରେ ଫୁଙ୍କା ଯାଇଥିଲା ତାକୁ ଶୁନ୍ୟରେ ଉଡାଇ ଦେଇଛନ୍ତି ଏହି ବାବୁମାନେ । ପୁଅ ଝିଅଙ୍କୁ ଭୁବନେଶ୍ୱର, କଟକର ଦାମୀ ସ୍କୁଲରେ ପଢାଉଛନ୍ତି, ଆଉ ସେମାନଙ୍କୁ ରାଜଧାନୀ ଆଖପାଖରେ ରଖି ଚାକଚକ୍ୟ ଏବଂ ଆଭିଜାତ୍ୟ ଭରା ଜୀବନ ବଂଚିବାକୁ ଦେଉଛନ୍ତି । ଆଉ ନିଜେ ଯେଉଁ ଅଂଚଳର ବିକାଶ କରିବାକୁ ସୁଯୋଗ ପାଇଛନ୍ତି ତାପ୍ରତି ଆଖି ବୁଜି ଦେଇଛନ୍ତି ।
ବଡ କଥା ହେଉଛି, ଜିଲ୍ଲାପାଳ ମାନେ ଦିନ ରାତି ଏକ କରି ଜିଲ୍ଲାର ବିକାଶ ପାଇଁ ନିଷ୍ପତ୍ତି ନେଉଛନ୍ତି ଆଉ ତାକୁ କାର୍ଯ୍ୟକାରୀ କରୁଛନ୍ତି । ହେଲେ ଏହାକୁ ଲାଗୁ କରିବା ଯେଉଁ ଅଧିକାରୀଙ୍କ ଉପରେ ନ୍ୟସ୍ତ କରୁଛନ୍ତି ସେମାନେ ନିଜ କର୍ତ୍ତବ୍ୟରେ ଢିଲା ମାରୁଥିବା ଦେଖୀବାକୁ ମିଳିଛି । କିଛି ନା କିଛି ବାହାନା କରି କେମିତି ସମୟ ଅତିବାହିତ କରି ସେଥିପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । ଖାସ କରି ପୁର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଏବଂ ଜଳସେଚନ ବିଭାଗର ଜିଲ୍ଲାସ୍ତରର କାର୍ଯ୍ୟାଳୟରେ ଏଭଳି ବିଚିତ୍ର ପରିସ୍ଥିତି ଦେଖିବାକୁ ମିଳୁଛି । ଠିକା କାମ ଠାରୁ ଆରମ୍ଭ କରି, ନିମ୍ନମାନର କାମକୁ ବିଲ୍ କରାଇ ହେଉଥିବା ପିସି କାରବାର ବାବଦରେ ସମସ୍ତେ ଅବଗତ ଅଛନ୍ତି । ହେଲେ ଏବେ ଯେଉଁ ନୁଆ ଧାରା ଆରମ୍ଭ ହୋଇଛି, ତାହା ୩ ଦିନ ଗୋଟିଏ କାର୍ଯ୍ୟାଳୟକୁ ଅଚଳ କରିଦେଉଛି । ଶୁକ୍ରବାର ଅପରାହ୍ନ ପରଠାରୁ, ସୋମବାର ଅପରାହ୍ନ ଯାଏଁ କୈାଣସି ବି ଅଧିକାରୀ ଆଉ ଅଫୀସର ରହୁନାହାନ୍ତି । ଶୁକ୍ରବାର ଅଫିସ୍ ଆଟେଣ୍ଡ କରିଦେଇ ଜିଲ୍ଲା ଛାଡିଦେଉଛନ୍ତି ଯେ ସୋମବାର ଯାଇ ଜିଲ୍ଲାରେ ପହଁଚୁଛନ୍ତି । ଫଳରେ ସାଧାରଣ ଲୋକଙ୍କ ଠାରୁ ଆରମଭ କରି ଅନେକ ବ୍ୟକ୍ତି ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି ।
୫-ଟି ସଚିବଙ୍କ ନଜର ଏହି ଦିଗ ପ୍ରତି ପଡିବାର ଆବଶ୍ୟକତା ରହୁଛି । କାରଣ ଶୀର୍ଷସ୍ତରରେ ନିଆଯାଉଥିବା ନିଷ୍ପତ୍ତି କାର୍ଯ୍ୟକାରୀ ଏମାନେ କରିଥାନ୍ତି । ଯଦି ଏଥିରେ କୈାଣସି ଅଧିକାରୀ ଖିଲାପ୍ କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି । ସେହିଭଳି ଆଉ ଏକ ସାଂଘାତିକ ଦିଗ ମଧ୍ୟ ସାମ୍ନାକୁ ଆସୁଛି । ଏହି ବାବୁ ମାନେ କେମିତି କେମିତି ତିନି ବର୍ଷ ଜିଲ୍ଲା ସ୍ତରରେ କାଟିବେ ଆଉ ତାପରେ ପୁଣି ରାଜଧାନୀ ମୁହାଁ ହେବେ ସବୁବେଳେ ସେଇ ଚେଷ୍ଟାରେ ରହିଲେ । ଯାହା ଜିଲ୍ଲା ପ୍ରତି ସେମାନଙ୍କର ବିତୃଷ୍ଣା ଭାବକୁ ଦର୍ଶାଉଛି । ଅର୍ଥାତ୍, ଶରୀର ଜିଲ୍ଲାରେ ରହିବ କିନ୍ତୁ ଆତ୍ମା ରହିବ ରାଜଧାନୀରେ । ଫଳରେ ବିକାଶ କିଭଳି ହେବ ତାକୁ ସହଜରେ ଆପଣମାନେ ଅନୁମାନ କରିପାରୁଥିବେ ।
ଏସବୁ ସରକାରୀ ଅଧିକାରୀ ମାନଙ୍କର ସଂପତ୍ତିର ପରିମାଣ କେତେ ତାକୁ ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକତା ଅଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସରକାରୀ ଅଧିକାରୀ ନିଜ ସଂପତ୍ତି ତାଲିକା ଦେବା ବାଧ୍ୟତାମୂଳକ । ହେଲେ ଦୁର୍ନୀତି କରି ଟଙ୍କା ଉପାର୍ଜନ କରୁଥିବା କିଛି ଅଧିକାରୀଙ୍କ ବେନାମୀ ସଂପତ୍ତି ବାବଦରେ ଟେର୍ ପାଇବା ମଧ୍ୟ ମୁସ୍କିଲ ହୋଇଗଲାଣି । ନା ଭିଜିଲାନଓ ଏମାନଙ୍କୁ ଧରିପାରୁଛି ନା ସରକାରଙ୍କ ୫-ଟି ଛାଟ ଏମାନଙ୍କ ଉପରେ ପଡିପାରୁଛି । ଫଳରେ ଏମାନେ ଦୁର୍ନୀତି ପରେ ଦୁର୍ନୀତି କରିଚାଲିଛନ୍ତି । ଆଉ ସାଧାରଣ ଲୋକ ସରକାରଙ୍କ ଉନ୍ନୟନମୁଳକ ଯୋଜନା ଠାରୁ ଦୁରରେ ରହୁଛନ୍ତି । କାମ କରୁଥିବା ଠିକାଦାର ଏବଂ କଂଟ୍ରାକ୍ଟରଙ୍କର ବିଲ୍ ଜାଣିଶୁଣି କ୍ଲିୟର କରୁନାହାନ୍ତି । ପିସି ପାଇବା ପାଇଁ ମନୋଭାବ ଏଭଳି ହେଲାଣି ଯେ, କାହା ନିର୍ଦ୍ଦେଶକୁ ବି ଏମାନେ ଖାତିର କରୁନାହାନ୍ତି । ଯଦି ଜିଲ୍ଲା ସ୍ତରର ଏସବୁ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରୁ ସରପ୍ରାଇଜ୍ ଚେକ୍ ହୁଅନ୍ତା ଏବଂ ନିଜେ ୫-ଟି ସଚିବ ଏହାକୁ ମନିଟର୍ କରନ୍ତେ ତେବେ ସରକାରୀ ଅଧିକାରୀ ମାନେ ନିଜ ଦାୟିତ୍ୱ ପ୍ରତି ସଚେତନ ହୁଅନ୍ତେ ଏବଂ ସେମାନଙ୍କର ରାଜଧାନୀ ପ୍ରୀତିରେ ବ୍ରେକ ଲାଗନ୍ତା ।