ନିର୍ବାଚନ ଆସିଲା, ସିବିଆଇ ଫେରିଲା ?
ନିର୍ବାଚନ ଆସିଲେ ସିବିଆଇ କ୍ରିୟାଶୀଳ ହୁଏ । ଭାରତୀୟ ରାଜନୀତିରେ ଏମିତି ଅନେକ ନଜିର ରହିଛି ଯେତେବେଳେ ଯେଉଁ ରାଜ୍ୟରେ ଭୋଟ ପଡିବାକୁ ଥାଏ ସେତେବେଳେ ଉକ୍ତ ରାଜ୍ୟର ନେତାଙ୍କର ଫାଇଲ ଝାଡି ଝୁଡି ସିବିଆଇ ପୁଣି ବାହାର କରେ । ରାଜନୀତିରେ ଏହି ଅଭିଯୋଗ କିଛି ନୁଆ ନୁହେଁ । ଓଡିଶାରେ ପଂଚାୟତ ନିର୍ବାଚନ ହେଉ ଅବା ସାଧାରଣ ନିର୍ବାଚନ ଆଗରୁ ଅବା କୈାଣସି ଉପନିର୍ବାଚନ ଥିଲେ ସିବିଆଇର ନେତାଙ୍କୁ ନୋଟିସ ଦେବା କଥା ହଠାତ୍ ମନେ ପଡିଯାଏ । ଖାଲି ସିବିଆଇ ନୁହେଁ ଅନେକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ହଠାତ କ୍ରିୟାଶୀଳ ହୋଇଯାଆନ୍ତି । ରାଜ୍ୟରେ ଏଭଳି ଘଟଣାକ୍ରମକୁ ନେଇ ଅନେକ ସବାର ତର୍କ ବିତର୍କ ହୋଇଛି । ମତ ପ୍ରକାଶ ପାଇଛି, କିଭଳି ସିବିଆଇ ରାଜନୈତିକ ଦଳର ହାତବାରିସି ସାଜିଛି । ‘ପଂଜୁରୀ ଭିତରେ ଶୁଆ’ ଏହି ବୟାନକୁ କେହି ଭୁଲିନଥିବେ । ଓଡିଶାରେ ନିର୍ବାଚନ ବେଳେ ଯେଉଁ ସ୍ଥିତି ଦେଖିବାକୁ ମିଳିଥିଲା, ଠିକ ସମାନ ଘଟଣା ଦେଖିବାକୁ ମିଳୁଛି ପଶ୍ଚିମବଙ୍ଗରେ ।
ତାରିଖ ଘୋଷଣା ହୋଇନାହିଁ, ହେଲେ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଯାଇଛି । ରାଜନୈତିକ ହିଂସା ପରେ ଏବେ କ୍ଷମତାସୀନ ଟିଏମସି ଏବଂ ବିଜେପି ମଧ୍ୟରେ ଆଇନଗତ ଯୁଦ୍ଧ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ଘରେ ସିବିଆଇ ଟିମ୍ ପହଁଚିବା ପରେ ନୁଆ ବିବାଦ ଆରମ୍ଭ ହୋଇଛି । ରିପୋର୍ଟ ଅନୁସାରେ, କୋଇଲା ଚୋରା ଚାଲଣ ଘଟଣାରେ ପଚରାଉଚରା କରିବାକୁ ସିବିଆଇ ଟିମ୍ ଏକ ନୋଟିସ ନେଇ ଅଭିଷେକଙ୍କ ଘରକୁ ଯାଇଥିଲା । ଅଭିଷେକଙ୍କ ଘରେ ସିବିଆଇ ଦେଇଥିବା ସମନ ମୁତାବକ ଅଭିଷେକଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ କୋଇଲା ଚୋରା ଚାଲାଣ ନେଇ ୨୪ ଘଣ୍ଟା ମଧ୍ୟରେ ପଚରାଉଚରା କରାଯିବ । ସେହିଭଳି ଅଭିଷେକଙ୍କ ପତ୍ନୀଙ୍କ ପରେ ତାଙ୍କ ଶାଳୀ ମେନକା ଗମ୍ଭୀରଙ୍କୁ ମଧ୍ୟ କୋଇଲା ଚୋରା ଚାଲଣ ଘଟଣାରେ ପଚରାଉଚରା ପାଇଁ ସମନ ପଠାଇଛି ସିବିଆଇ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମେନକାଙ୍କୁ ଆଜି ତଦନ୍ତରେ ଯୋଗଦେବାକୁ କୁହାଯାଇଛି। ପଚରାଉଚରା ପାଇଁ ସିବିଆଇ ଟିମ୍ ତାଙ୍କ ବାସଭବନକୁ ଯିବେ। ୧୧ଟାରେ ତାଙ୍କୁ ପଚରାଉଚରା କରାଯିବ ବୋଲି କୁହାଯାଉଛି । ଅଭିଯୋଗ ହେଉଛି ଯେ, କୋଇଲା ମାଫିଆ ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ଟିଏମସି ନେତାମାନଙ୍କୁ ନିୟମିତ ଟଙ୍କା ପ୍ରଦାନ କରୁଥିଲେ। ଏହି ଟଙ୍କା ଦଳର ଯୁବ ନେତା ବିନୟ ମିଶ୍ରଙ୍କ ମାଧ୍ୟମରେ ବିଭିନ୍ନ କାମରେ ଲାଗୁଥିଲା, ଯିଏ ଏବେ ଫେରାର ଅଛନ୍ତି। ତାଙ୍କ ବିରୋଧରେ ସିବିିଆଇ ଜାମିନ ବିହୀନ ୱାରେଣ୍ଟ ଜାରି କରିସାରିଛି। ଠିକ୍ ନିର୍ବାଚନ ଆଗରୁ ସିବିଆଇର ଏଭଳି ପଦକ୍ଷେପ ଦର୍ଶାଉଛି, ପଶ୍ଚିମବଙ୍ଗରେ ଟିଏମସି ଏବଂ ବିଜେପି ମଧ୍ୟରେ କ୍ଷମତା ହାସଲ କରିବାକୁ ଚାଲିଥିବା ଲଢେଇ କିଭଳି ରୁପ ବଦଳାଉଛି । ଚିଟଫଣ୍ଡ ଦୁର୍ନୀତିରେ ଫଶିଥିବା ଅନେକ ନେତା ଆଜିର ଦିନରେ ବିଜେପିରେ ଅଛନ୍ତି ହେଲେ ସେମାନଙ୍କ ଉପରେ ଆଭିମୁଖ୍ୟ ନରମିଯାଇଛି, ଆଉ କ୍ଷମତାରେ ଥିବା ଦଳ ଟିଏମସି ପାଇଁ ଆଭିମୁଖ୍ୟ କଡା ଥିବା କୁହାଯାଉଛି ।