ଫୋକସରେ ପଶ୍ଚିମ ଓଡିଶା
ଏବେ ରାଜ୍ୟ ସରକାରଙ୍କ ଫୋକସରେ ପଶ୍ଚିମ ଓଡିଶା । ଫାଇଭ ଟି ସଚିବ ଆଜି ସମ୍ବଲପୁର ଗସ୍ତ କରି ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ଦେଖିଛନ୍ତି । ସେହପିରି ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ ରାଉରକେଲା ଗସ୍ତ କରି ବିପିୟୁଟି ପରିସରରେ ନିର୍ମିତ ହେବାକୁ ଥିବା ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମର ସ୍ଥାନ ପରିଦର୍ଶନ କରିଛନ୍ତି ।
ମା’ ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ଆରମ୍ଭ ହୋଇଛି ବ୍ଲୁ ପ୍ରିଣ୍ଟ । ପଶ୍ଚିମ ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନ ସହ ସମଲେଶ୍ବରୀ ପୀଠର ଘନିଷ୍ଠ ସଂପର୍କ ରହିଛି । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ତୀର୍ଥଯାତ୍ରୀ ଓ ପର୍ୟ୍ୟଟକ ମା’ ଙ୍କ ଆଶୀର୍ବାଦ ପାଇଁ ଆସିଥାନ୍ତି । ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମନ୍ଦିରର ସୌନ୍ଦର୍ୟ୍ୟକରଣ ଓ ପାରିପାର୍ଶ୍ବିକ ଉନ୍ନତିକରଣ କାର୍ୟ୍ୟ ନେଇ ସମୀକ୍ଷା କରାଯାଇଛି । କୋଭିଡର ପୂର୍ବରୁ ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ବରୀ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତିକରଣ ପାଇଁ ଘୋଷଣା କରିଥିଲେ । ସମଲେଶ୍ବରୀ ମନ୍ଦିର ବିକାଶ ପ୍ରକଳ୍ପରେ ମନ୍ଦିରର ସୌନ୍ଦର୍ୟ୍ୟକରଣ ସହିତ ପାରିପାର୍ଶିକ ବିକାଶ, ଐତିହ୍ୟ କରିଡରର ବିକାଶ, ଭୋଗମଣ୍ଡପ, ଯାତ୍ରୀ ଓ ଭକ୍ତ ନିବାସ, ପାର୍କିଂ ସୁବିଧା ଏବଂ ନଦୀ ସମ୍ମୁଖ ଭାଗର ବିକାଶକୁ ଅନ୍ତର୍ଭୁକ୍ତ କରାଯାଇଛି । ରାଜ୍ୟ ସରକାରଙ୍କର ୫-ଟି କାର୍ୟ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ୟ୍ୟକାରୀ କରାଯିବ । ୨ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ୟ୍ୟ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ସେହିପରି ରାଉରକେଲା ବିପିୟୁଟି ପରିସରରେ ନିର୍ମିତ ହେବାକୁ ଥିବା ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମର ସ୍ଥାନ ପରିଦର୍ଶନ କଲେ ଫାଇଭ ଟି ସଚିବ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାଡିୟମ ନିର୍ମାଣ ନେଇ ଘୋଷଣା କରିସାରିଥିବା ବେଳେ ଏହାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏପ୍ରିଲରୁ ଆରମ୍ଭ ହେବ ଷ୍ଟାଡିୟମ ନିର୍ମାଣ କାମ । ୨୦୨୨ ସୁଦ୍ଧା ଏହି ଷ୍ଟାଡିୟମର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ଏହି ସ୍ଥାନର ଅନୁଧ୍ୟାନ କରାଯାଇଛି । ମାତ୍ର ଏକ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ୟ୍ୟ ଶେଷ ହେବ ବୋଲି ସ୍ଥିର ହୋଇଛି । ୧୦ରୁ ୧୫ ଏକର ଜମିରେ ଏହି ହକି ଷ୍ଟାଡିୟମ୍ ନିର୍ମାଣ କରାଯିବ ।
ନୂଆ ଷ୍ଟାଡିୟମ ଜାନୁୟାରୀ ୨୦୨୩ରେ ଓଡିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପର ଅନ୍ୟତମ ଆୟୋଜନ ସ୍ଥଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେବେ ଏକା ସାଙ୍ଗରେ ଏହି ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସି ଖେଳ ଦେଖିପାରିବାର ସୁବିଧା କରାଯିବ ଯାହା ହକିର ହବ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।