THE BYAPINI

ବିଜେପି ଏବେ କରିବ କଣ?

Get real time updates directly on you device, subscribe now.

ପରୀକୁ ନ୍ୟାୟ ଦେବା ପାଇଁ ଅଭିଯାନ ଆରମ୍ଭ କରିଥିବା ରାଜ୍ୟ ବିଜେପି ଏବେ ଦୋଛ’କିରେ । ଏସଆଇଟି ପରୀ ମୃତ୍ୟୁ ମାମଲାରେ ସାଂଘାତିକ ଦିଗଟିଏ ସାମ୍ନାକୁ ଆଣିବାପରେ ଦଳ ଏବେ ଆଗକୁ କେଉଁ ଆଭିମୁଖ୍ୟ ନେବ ସେନେଇ ସନ୍ଦିହାନ । କାରଣ ଏହି ପ୍ରସଙ୍ଗକୁ ଏକ ରାଜନୈତିକ ମୋଡ ଦେଇ ଦଳ ଯେଉଁ ଫାଇଦା ହାସଲ କରିବାକୁ ରଣନୀତି ତିଆରି କରିଥିଲା ତାହା ଫସର ଫାଟିଯାଇଥିବା ଚର୍ଚ୍ଚା ହେଉଛି ।

ପରୀକୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ନେଇ ତଥ୍ୟ ସାମ୍ନାକୁ ଆସିବା ପରେ ଅନୁମାନ କରାଯାଉଛି ଖୁବଶୀଘ୍ର ଅପରାଧୀକୁ ମଧ୍ୟ ବାନ୍ଧିବାକୁ ସମର୍ଥ ହେବ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଏସଆଇଟି । ହେଲେ ବିଜେପିକୁ ଏହା ଯେମିତି ଶକ୍ତ ଧକ୍କା ହୋଇଛି । କାରଣ ୧୪୭ ମଣ୍ଡଳୀରେ ପଦଯାତ୍ରା ସହ ଆଗାମୀ ସପ୍ତାହରେ ପରୀ ଗାଁକୁ ଦଳ ପଦଯାତ୍ରା କରିବାକୁ ଘୋଷଣା କରିସାରିଥିଲା । ହେଲେ ଅପରାଧୀକୁ ପୃଷ୍ଠଭୂମିର ପର୍ଦ୍ଦାଫାଶ ହୋଇସାରିଥିବା ବେଳେ କେଉଁ ମୁହଁରେ ବିଜେପି ଆଉ ପଦଯାତ୍ରା କରିବ, ତାକୁ ନେଇ ଆରମ୍ଭ ହୋଇଛି ସମୀକ୍ଷା ।

ପରୀକୁ ନ୍ୟାୟ ଦେବା ପାଇଁ ଆରମ୍ଭ ହୋଇଥିବା ଅଭିଯାନ ଧୀରେ ଧୀରେ ବିଜେପିର ଶକ୍ତି ବୃଦ୍ଧି କରିବାର ରାସ୍ତାରେ ପରିଣତ ହୋଇଥିଲା । ଆଉ ଯାହାକୁ ବେଶ ଚତୁରତାର ସହ ଆଗକୁ ବଢାଉଥିଲା ରାଜ୍ୟ ବିଜେପି । ବିଧାନସଭା ଭିତରେ ଆଉ ବାହାରେ ଦଳ ଆନ୍ଦୋଳନ କରିଥିଲା, ପ୍ରତିବାଦ ବି କରିଥିଲା । ଅରୁଣ ସାହୁଙ୍କ ଇସ୍ତଫା ଏବଂ ସିବିଆଇ ତଦନ୍ତ ଦାବିରେ ଅଡି ବସିଥିଲା ରାଜ୍ୟ ବିଜେପି । ହେଲେ ବିଜେପିର ରଣନୀତି ଏତେ ଶୀଘ୍ର ଫିକା ପଡିଯିବ ଦଳ ତାକୁ କେବେ ମଧ୍ୟ ସ୍ୱପ୍ନରେ ଚିନ୍ତା କରିନଥିବ । ଏସଆଇଟିର ତଦନ୍ତରୁ ମିଳିଥିବା ତଥ୍ୟକୁ ନେଇ ବିଜେପି ଖୁସି ହେବା ବଦଳରେ ଏହାକୁ ବିରୋଧ କରି ରାଜନୈତିକ ରୁଟି ସେକିବା ଆରମ୍ଭ କରିଛି ।

ବିଜେପି ନେତା ରଖୁଥିବା ବୟାନ ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି, କିଭଳି ପରୀକୁ ନ୍ୟାୟ ଦେବା ପାଇଁ ଦଳ କେବେ ମଧ୍ୟ ଚାହୁଁନଥିଲା । ଆଉ ଯେତେବେଳେ ପରୀ ମାମଲାର ପର୍ଦ୍ଦାଫାଶ ହୋଇଛି ସେତେବେଳେ ଦଳ ବିଚଳିତ ହୋଇଛି । ସେହିଭଳି ଅରୁଣ ସାହୁଙ୍କର ଏଥିରେ କୈାଣସି ସଂପୃକ୍ତି ନଥିବା ଜଣାପଡିବା ପରେ ମଧ୍ୟ ବିଜେପି ବିଚଳିତ ହୋଇ ଭିନ୍ନ ଏକ ବୟାନ ସାମ୍ନାକୁ ଆଣିଛି । ଦଳର ଅଭିଯୋଗ ହେଲା, ଅରୁଣ ସାହୁଙ୍କୁ ବଂଚାଇବାକୁ ଏଭଳି ନାଟକ ରଚାଯାଇଛି । ହେଲେ ବିଜେପିକୁ ବୁଝିବାର ଅଛି, ଏସଆଇଟି ରଖୁଥିବା ବୟାନରେ କାମ ଚଳେନି, ଯେତେବେଳେ ଚାର୍ଜଶିଟରେ ସମସ୍ତ ଦିଗକୁ ଏସଆଇଟି ଉଲ୍ଲେଖ କରିବ, ସେତେବେଳେ ଯଦି ଟିମ୍ ବିଫଳ ହେବ ତେବେ ତଦନ୍ତର ସ୍ୱଛତା ନେଇ ପ୍ରଶ୍ନ ଉଠିଯିବ । ରାଜ୍ୟ ବିଜେପି ଏତେ ବିଚଳିତ ହେବା ବଦଳରେ ତଦନ୍ତ ପ୍ରକ୍ରିୟା ଉପରେ ବିଶ୍ୱାସ ରଖିବା ଉଚିତ୍ । ଗୋଟିଏ ଛୋଟିଆ ଛୁଆର ମୃତ୍ୟୁକୁ ନେଇ ରାଜନୀତି କରିବା ବଦଳରେ ଯଦି ନ୍ୟାୟ ଦେବା ପାଇଁ ସତରେ ବିଜେପି ଲଢେଇ କରନ୍ତା ତେବେ ଭିନ୍ନ ଏକ ଦିଗ ସାମ୍ନାକୁ ଆସିପାରନ୍ତା ।

Get real time updates directly on you device, subscribe now.

Leave A Reply

Your email address will not be published.