ସ୍ୱାସ୍ଥ୍ୟ ମନ୍ତ୍ରୀ ଗଲେ କୁଆଡେ?
ମହାମାରୀ ସମୟରେ ମନ୍ତ୍ରୀଙ୍କ ଦେଖା ନାହିଁ । ସଂକଟ ବେଳେ କୁଆଡେ ଗଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ? ଆଜ୍ଞା ହଁ ଓଡିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଆଉ ଦେଖିବାକୁ ମିଳୁନାହିଁ । ସଂକ୍ରମଣ ସମୟରେ ଯେତେବେଳେ ରାଜ୍ୟରେ ସ୍ଥିତି ଖରାପ ଆଡକୁ ଗତି କରୁଛି,ସେତେବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କୁଆଡେ ଉଭାନ ହୋଇଯାଇଛନ୍ତି । ଲୋକେ ଯେତେବେଳେ ସଂଗୀନ ପରିସ୍ଥିତି ଦେଇ ଗତି କରୁଛନ୍ତି, ସେତେବେଳେ ଓଡିଶାର ଜଣେ ସ୍ୱାସ୍ଥ୍ୟମନ୍ତ୍ରୀ ଅଛନ୍ତି ତାହା ଓଡିଶାବାସୀଙ୍କୁ ଅନୁଭବ ହେଉନାହିଁ । ପ୍ରତିଦିନ ଗଣାମଧ୍ୟମ ସାମନାରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଆସୁଛନ୍ତି, ସଂକ୍ରମଣ ସ୍ଥିତି ନେଇ ପ୍ରତିକ୍ରିୟା ରଖୁଛନ୍ତି, କିନ୍ତୁ ମନ୍ତ୍ରୀଙ୍କୁ ଦେଖିବାକୁ ମିଳୁନାହିଁ ।
ସୀମାନ୍ତବର୍ତୀ ଜିଲ୍ଲା ତଥା ମନ୍ତ୍ରୀଙ୍କ ନିଜ ଅଂଚଳ ଝାରସୁଗୁଡା ଓ ଏହାର ପଡୋଶୀ ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ସାଂଘାତିକ ହୋଇପଡିଛି । ପ୍ରତିଦିନ ଶହ ଶହ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏପରିକି ଝାରସୁଗୁଡା ଜିଲ୍ଲାରେ ୨ ଦିନ ତଳେ ଜଣେ ରୋଗୀ ଅକ୍ସିଜେନ ଅଭାବରୁ ମୃତ୍ୟୁବରଣ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏତେ ସବୁ ପରେ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦେଖାଦର୍ଶନ ମିଳୁନାହିଁ । କି କ୍ୟାମେରା ସାମାନାକୁ ଆସୁନାହାନ୍ତି ମନ୍ତ୍ରୀ ନବ ଦାସ ।
ରାଜ୍ୟରେ ଏବେ ସଂକ୍ରମଣ ୬ ହଜାର ଉପରେ ରହୁଥିବା ବେଳେ କରୋନା ସଂକ୍ରମିତଙ୍କ ପାଇଁ କେତେ ବେଡ ଅଛି ? ଆବଶ୍ୟକ ପରିମାଣର ଅକ୍ସିଜେନ ଅଛି କି ନାହିଁ ? କରୋନା ମୁକାବିଲା ନେଇ ରାଜ୍ୟ ସରକାର କେତେ ପ୍ରସ୍ତୁତ ଅଛନ୍ତି ? ଏସବୁ ନେଇ ପ୍ରତିଦିନ କ୍ୟାମେରା ଆଗକୁ ଆସି ସ୍ୱାସ୍ଥ୍ୟବିଭାଗର ବିଭିନ୍ନ ଅଧିକାରୀ ପ୍ରତିକ୍ରିୟା ରଖୁଛନ୍ତି । ହେଲେ ଏପରି ସ୍ଥିତିରେ ସ୍ୱାସ୍ଥ୍ୟମନ୍ତ୍ରୀ ଥରେ କ୍ୟାମେରା ସାମନାକୁ ଆସି ମୁହଁଖୋଲୁନାହାନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଗଣମାଧ୍ୟମ ସାମନାରେ ପ୍ରତିକ୍ରିୟା ରଖିବାକୁ ଡରୁଛନ୍ତି କି ମନ୍ତ୍ରୀ ନବ ଦାସ?
ଗତ ଦୁଇ ଦିନ ତଳେ ରାଜ୍ୟ ବିଜେପି ସଂପାଦକ ଟଙ୍କଧର ତ୍ରିପାଠୀ ମଧ୍ୟ ଏନେଇ ପ୍ରଶ୍ନ ଉଠାଇଥିଲେ । ମନ୍ତ୍ରୀଙ୍କ ନିଜ ଜିଲ୍ଲା ଓ ପଡୋଶୀ ଜିଲ୍ଲାରେ ସଂକ୍ରମଣ ଅଧିକ ବ୍ୟାପିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅଣୁ ଯନ୍ତ୍ର ନେଇ ଖୋଜିବାକୁ ପଡୁଛି ବୋଲି ଟଙ୍କଧର ତ୍ରିପାଠୀ କହିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଏ ମହାମାରୀ ବେଳେ କାହିଁକି ଚୁପ ରହିଛନ୍ତି ବୋଲି ବିଜେପି ପ୍ରଶ୍ନ ଉଠାଇଥିଲା ।
ରାଜ୍ୟରେ ସଂକ୍ରମଣ ବୃଦ୍ଧି ପରେ ପ୍ରଥମେ ପ୍ରଥମେ ଗଣାମଧ୍ୟମରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କେତୋଟି ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ରାଜ୍ୟରେ ଟିକା ଅଭାବକୁ ନେଇ ମଧ୍ୟ କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀ ଚିଠିେ ଲଖି ଆବଶ୍ୟକ ପରିମାଣର ଟିକା ଯୋଗାଇଦେବାକୁ ଦାବି କରିଥିଲେ । ଟିକା ନେଇ କେନ୍ଦ୍ରକୁ ଚିଠି ଲେଖିବା ପରେ ଉଭାନ ହୋଇଯାଇଛନ୍ତି ନବ ଦାସ ।