THE BYAPINI

ମୌନ ରହିଲେ, ମନ୍ତ୍ରୀ ପଦ ସୁରକ୍ଷିତ… !

Get real time updates directly on you device, subscribe now.

ରାଜ୍ୟରେ ମନ୍ତ୍ରୀଙ୍କର କାମ କଣ? ଏ ପ୍ରଶ୍ନ ଆଜି ଏଥିପାଇଁ ଉଠିଛି କାରଣ ରାଜ୍ୟ ମହାମାରୀ ଭଳି ମହାବିପଦର ସାମ୍ନା କରୁଥିବା ବେଳେ ଏଯାଏଁ ମନ୍ତ୍ରୀଙ୍କର ଦେଖାଦର୍ଶନ ମିଳୁନାହିଁ । ମନ୍ତ୍ରୀଙ୍କ ବଦଳରେ ମହାମାରୀ ମୁକବିଲାର ମୋର୍ଚ୍ଚା ସମ୍ଭାଳିଛନ୍ତି ଅଫିସର । ସମୀକ୍ଷା ଠାରୁ ଆରମ୍ଭ କରି ସାମ୍ବାଦିକ ସମ୍ମିଳନୀ ପର୍ୟ୍ୟନ୍ତ ପ୍ରତିଟି କ୍ଷେତ୍ରରେ ମନ୍ତ୍ରୀଙ୍କ ବଦଳରେ ସାମ୍ନାକୁ ଆସୁଛନ୍ତି ଅଫିସର । ଯାହା ରାଜ୍ୟର ମନ୍ତ୍ରୀ ମାନଙ୍କ ଦାୟିତ୍ୱବୋଧ ଉପରେ ପ୍ରଶ୍ନର ପାହାଡ ଛିଡା କରିଛି ।

ରାଜ୍ୟରେ ଅଫିସର ରାଜ ଚାଲୁଥିବା ନେଇ ପୂର୍ବରୁ ବିରୋଧୀ ମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ତେବେ ସରକାରଙ୍କୁ ବଦନାମ କରିବାକୁ ବିରୋଧୀ ଏଭଳି ଅଭିଯୋଗ କରୁଥିବା ନେଇ ମନ୍ତ୍ରୀ ମାନେ ସଫେଇ ଦେଉଥିଲେ । କିନ୍ତୁ ବିରୋଧୀଙ୍କ ଏଭଳି ବୟାନକୁ ଏବେ ବଳ ଯୋଗାଇଛି ସରକାରଙ୍କ ମହାମାରୀ ମୁକାବିଲା । ଯେଉଁଥିରେ ମନ୍ତ୍ରୀଙ୍କ ବଦଳରେ ଖୋଜା ପଡୁଛନ୍ତି ଅଫିସର । ସଂକ୍ରମଣ ଏଡାଇବାକୁ ପ୍ରତିଟି ସମୀକ୍ଷା ବୈଠକରେ ଅଫିସରଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଅଫିସରଙ୍କ ମାନଙ୍କ ପରାମର୍ଶକ୍ରମେ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଉଛି । କିନ୍ତୁ ଏହି ବୈଠକରେ ମନ୍ତ୍ରୀ ଉଭାନ ରହୁଛନ୍ତି । କେବଳ ସ୍ୱାସ୍ଥ୍ୟ ବିଭାଗ ନୁହେଁ ବରଂ ସବୁ ବିଭାଗ ମନ୍ତ୍ରୀଙ୍କର ଏବେ ସମଦଶା ।
ମହାମାରୀ ମୁକାବିଲା ଆରମ୍ଭରୁ ଆଜିଯାଏଁ, ଖୁବ୍ କ୍ୱଚିତ୍ ମନ୍ତ୍ରୀଙ୍କୁ ସ୍ୱଳ୍ପ ସମୟ ପାଇଁ ମିଡିଆ ସାମ୍ନାକୁ ଆସିଥିବାର ଦେଖିବାକୁ ମିଳିଛି । କାରଣ ଅଫିସର କୋଟରୀ ମାଧ୍ୟମରେ ମହାମାରୀର ଟିକିନିକି ତଥ୍ୟ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚା ଯାଉଛି । ତେଣୁ ମନ୍ତ୍ରୀଙ୍କୁ ଆଉ ଏତେଟା ଖୋଜୁନାହାନ୍ତି ସରକାର । ଏପରିକି କରୋନା ଲଢେଇରେ ମନ୍ତ୍ରୀ ଓ ବିଧାୟକଙ୍କ ଅପେକ୍ଷା ଅଫିସରଙ୍କୁ ବୋଧହୁଏ ଅଧିକ ଭରସା କରିଛନ୍ତି ନବୀନ । ଯେଉଁଥିପାଇଁ ବଛା ବଛା ଅଫିସରଙ୍କୁ ନେଇ କରୋନା ଯୁଦ୍ଧ ଲଢିବାକୁ ମହାମାରୀ ମୈଦାନକୁ ଓହ୍ଲାଇଛନ୍ତି ନବୀନ ।

୪.୩୦ରେ ହେଉଥିବା ପ୍ରତିଟି ସାମ୍ବାଦିକ ସମ୍ମିଳନୀରେ କରୋନା ବାବଦରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଫିସରଙ୍କ ମାଧ୍ୟମରେ ରାଜ୍ୟବାସୀଙ୍କୁ ଦିଆଯାଉଛି । କିନ୍ତୁ ଏଯାଏଁ ଏହି ସାମ୍ବାଦିକ ସମ୍ମିଳନୀରେ କୌଣସି ମନ୍ତ୍ରୀଙ୍କ ମୁହଁ ଦେଖିବାକୁ ମିଳିଲା ନାହିଁ । ଏହାବାଦ୍ କରୋନା ହସ୍ପିଟାଲ ଗୁଡିକରେ ଅଫିସର ମାନେ ବୁଲୁଥିବା ବେଳେ ମନ୍ତ୍ରୀଙ୍କର ଦେଖାଦର୍ଶନ ମିଳୁନାହିଁ । ଏଭଳି ସ୍ଥଳେ ପ୍ରଶ୍ନ ଉଠୁଛି ଯଦି ସବୁ କାମ ଅଫିସର କରିବେ ତେବେ ରାଜ୍ୟରେ ମନ୍ତ୍ରୀ କରିବେ କଣ? ରାଜ୍ୟରେ ମନ୍ତ୍ରୀଙ୍କୁ ରବରଷ୍ଟାମ୍ପ ଭଳି ବ୍ୟବହାର କରାଯାଉନି କି? ରାଜ୍ୟରେ ମନ୍ତ୍ରୀପଦ କଣ କେବଳ ନାଁକୁ ମାତ୍ର? କାରଣ ପୂର୍ବରୁ ମନ୍ତ୍ରୀ ମାନେ ହିଁ ବିଭିନ୍ନ ନିଷ୍ପତି ବାବଦରେ ଗଣମାଧ୍ୟମକୁ ଅବଗତ କରୁଥିଲେ କିନ୍ତୁ ଏବେ ସେହି ଟ୍ରେଣ୍ଡ ବଦଳିଛି । ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ ରାଜ୍ୟରେ ଚାଲିଥିବା ଅଫିସର ରାଜରେ ମନ୍ତ୍ରୀମାନେ ନିଜର ଗୁରୁତ୍ୱ ହରାଇବା ସହ ଦାୟିତ୍ୱବୋଧ ଭୁଲି ଯାଉଛନ୍ତି । ନଚେତ ଯେଉଁଠି ମହାମାରୀ ମୁକାବିଲା ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଉଛି ସେଠାରେ ମନ୍ତ୍ରୀ ଓ ବିଧାୟକଙ୍କୁ ସାଇଡଲାଇନ କରିବା ପଛର ସଂକେତ ବା କଣ?

ଏତେ ସବୁ ପରେ ମଧ୍ୟ ମୌନ ଅବତାରରେ ରାଜ୍ୟର ମନ୍ତ୍ରୀଗଣ । ଆଉ ଏହା ପଛର ସବୁଠୁ ବଡ କାରଣ ହେଲା ମନ୍ତ୍ରୀପଦ ଲୋଭ । କାଳେ ମୁହଁ ଖୋଲିଲେ ମନ୍ତ୍ରୀ ପଦ ଚାଲିଯିବ ସେଥିପାଇଁ ମହାମାରୀ ମୁକାବିଲା ଦାୟିତ୍ୱ ନ ମିଳିଲେ ମଧ୍ୟ କେହି ପାଟି ଫିଟାଇବାକୁ ସାହସ ଜୁଟାଇ ପାରୁନାହାନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.