ଧର୍ମେନ୍ଦ୍ରଙ୍କ ପଛରେ ଶାହା, ଅପରାଜିତାଙ୍କୁ ସମର୍ଥନ ଦେଉଛନ୍ତି ନଡ୍ଡା?
ରାଜ୍ୟ ବିଜେପିରେ ଅସଲ ନେତା କିଏ? ଗଣମାଧ୍ୟମରେ ବରିଷ୍ଠ ନେତା ତଥା ବିଧାୟକ ମୋହନ ମାଝୀ ରଖିଥିବା ଏକ ଉତ୍ତର ଏବଂ ପ୍ରକୃତ କାର୍ଯ୍ୟଶୈଳୀକୁ ଦେଖିଲେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । ଖାସ୍ କରି ପୁରୀ ମନ୍ଦିର ବିକାଶ କାର୍ଯ୍ୟ ଏବଂ ଏକାମ୍ରକ୍ଷେତ୍ର ପ୍ରକଳ୍ପକୁ ନେଇ ଏଭଳି ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି । ଦଳର ବିଧାୟକ ଗଣମାଧ୍ୟମକୁ କହିଥିଲେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ବୟାନ ରଖନ୍ତି, ତାହାହିଁ ରାଜ୍ୟ ବିଜେପିର ମତ । ହେଲେ ଏଥିରେ ସତ୍ୟତା କେତେ, ତାକୁ ନେଇ ଏବେ ଦଳୀୟ ମହଲରେ ଚର୍ଚ୍ଚା । କାରଣ ୨ ବର୍ଷ ତଳେ ଦଳରେ ସାମିଲ ହୋଇ ପ୍ରଶାସକରୁ ସାଂସଦ ହୋଇଥିବା ଅପରାଜିତା ଷଡଙ୍ଗୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଶୁଣୁନଥିବା କୁହାଯାଉଛି । ଦଳୀୟ ସଂଗଠନ ବାହାରେ ନିଜର ଏକ ସଂଗଠନ କରି କାର୍ଯ୍ୟ କରୁଛନ୍ତି । ପାର୍ଟି ଅଫିସକୁ କମ୍ ଆସୁଛନ୍ତି, ନିଜର ଏକ ସ୍ୱତନ୍ତ୍ର ଅଫିସ କରି ପୁରା ରାଜ୍ୟର ସ୍ଥିତି ଉପରେ ମୁଣ୍ଡ ଖେଳାଉଛନ୍ତି । ସରଳ ଭାଷାରେ କହିବାକୁ ଗଲେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରୋକ୍ଷରେ ଚ୍ୟାଲେଂଜ ଦେଇଚାଲିଛନ୍ତି ଏହି ନେତ୍ରୀ ।
ପୁରୀ ଗସ୍ତରେ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ଦିର ବିକାଶ ପାଇଁ ନିଜ ଦରମାରୁ ଲକ୍ଷେ ଟଙ୍କା ଦାନ କଲେ । ହେଲେ ଅପରାଜିତା ଷଡଙ୍ଗୀ ଯାଇ ତାକୁ ଖୋଲାଖୋଲି ବିରୋଧ କଲେ । ରାଜ୍ୟ ବିଜେପି ବିଧାୟକ ଦଳ ବିଧାନସଭାରେ ଏନେଇ ଆସିଥିବା ସଂକଳ୍ପ ପ୍ରସ୍ତାବକୁ ସମର୍ଥନ କଲେ, ଅପରାଜିତା ବିରୋଧ କଲେ । ସେହିଭଳି ଏକାମ୍ରକ୍ଷେତ୍ର ପାଇଁ ମଧ୍ୟ ଦଳ ଭିତରେ ଅଲଗା ଅଲଗା ଆଭିମୁଖ୍ୟ ଦେଖିବାକୁ ମିଳିଲାଣି । ଦୁଇ କେନ୍ଦ୍ରମନ୍ତ୍ରୀ ଗୋଟିଏ ପ୍ରକାରର କଥା କହୁଛନ୍ତି, ସାଂସଦ ଭିନ୍ନ କଥା କହୁଛନ୍ତି । ରାଜ୍ୟ ବିଜେପିରେ ଯେ ତାଳମେଳର ଅଭାବ ତାହାନୁହେଁ ବରଂ ଲାଗୁଛି ଦିଲ୍ଲୀରୁ ଅପରାଜିତାଙ୍କୁ ମିଳୁଥିବା ସମର୍ଥନ ଆଉ ସାହାସକୁ ସେ ରାଜ୍ୟ ରାଜନୀତିରେ ଦେଖାଉଛନ୍ତି । ସାରା ଓଡିଶାରେ ନିଜର ଏକ ବେସ୍ ତିଆରି କରି ଧର୍ମେନ୍ଦ୍ରଙ୍କୁ ଚ୍ୟାଲେଂଜ ଦେଉଛନ୍ତି ଏହି ନେତ୍ରୀ । ଯାହା ଫଳରେ କର୍ମୀଙ୍କ ମନରେ ଦ୍ୱନ୍ଦ୍ୱ ଦେଖିବାକୁ ମିଳୁଛି । ସେମାନେ କାହା କଥା ଶୁଣିବେ ଆଉ କାହା କଥା ଅନୁସାରେ କାର୍ଯ୍ୟ କରିବେ ।
ରାଜ୍ୟ ବିଜେପିରେ ଚାଲିଥିବା ଚର୍ଚ୍ଚା ଅନୁସାରେ, ଧର୍ମେନ୍ଦ୍ରଙ୍କୁ ଧୀରେ ଧୀରେ ଦଳ ସାଇଡ୍ କରିବା ଆରମ୍ଭ କଲାଣି । ଅପରାଜିତାଙ୍କୁ ଦିଲ୍ଲୀରୁ ଗ୍ରୀନ ସିଗନାଲ ମିଳିଥିବା ଦଳର କର୍ମୀ କହୁଛନ୍ତି । ହେଲେ ଏଥିରେ ବାସ୍ତବତା କମ୍ ଥିବା ଜଣାପଡୁଛି । ମୁଳ କଥା ହେଲା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଅମିତ ଶାହା କ୍ୟାମ୍ପର ଲୋକ ଆଉ ଅପରାଜିତା ହେଉଛନ୍ତି ଜେ. ପି. ନଡ୍ଡାଙ୍କ କ୍ୟାମ୍ପର ଲୋକ । ତେଣୁ ଦୁଇ କ୍ୟାମ୍ପ ମଧ୍ୟରେ ଏବେ ଶୀତଳ ଯୁଦ୍ଧ ଚାଲିଛି । ଯଦିଓ ଉପରକୁ ସବୁ କିଛି ଠିକ ଲାଗୁଛି, ତେବେ ନିରିଖେଇ ଦେଖିଲେ ଜାଣିପାରିବେ, କିଭଳି ଦଳ ଭିତରେ ସ୍ଥିତି ବିସ୍ଫୋରକ ଅବସ୍ଥାରେ ରହିଛି । ଯାହାର ପ୍ରଭାବ କର୍ମୀ ଆଉ ସାମ୍ନାକୁ ଆସି ବକ୍ତବ୍ୟ ରଖୁଥିବା ନେତାଙ୍କ ଉପରେ ପଡୁଛି । କେଉଁ ଆଭିମୁଖ୍ୟ ରଖିବେ ଆଉ କଣ କହିବେ, କେଉଁ ନେତାଙ୍କ କଥାରେ ଚାଲିବେ, ଏକ ବଡ ସମସ୍ୟା ଦଳ ଭିତରେ ସୃଷ୍ଟି କରିଥିବା ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି ।