ଆମେରିକାରେ ମାସ୍କ କଟକଣା କୋହଳ
ଆମେରିକାରେ କରୋନା କଟକଣା କୋହଳ । ଆମେରିକା, ମାସ୍କ ପିନ୍ଧିବାକୁ ନେଇ ନିୟମରେ ପରିବର୍ତନ କରିଛି । ଏଣିକି ଟିକା ନେଇସାରିଥିବା ବ୍ୟକ୍ତି ଆମେରିକାରେ ବିନା ମାସ୍କରେ ବାହାରକୁ ଯାଇପାରିବେ । ହେଲେ ଭିଡ ଯାଗାକୁ ଗଲେ ମାସ୍କ ପିନ୍ଧିବାକୁ କୁହାଯାଇଛି । ଏଠାକାର ସରକାରଙ୍କ ପକ୍ଷରୁ ଜାରି ହୋଇଛି ଏଭଳି ନିର୍ଦ୍ଦେଶନାମା । ଆମେରିକାରେ ପ୍ରାୟ ଅଧାରୁ ଅଧିକ ବ୍ୟକ୍ତିଙ୍କଠାରେ ଟିକାକରଣ ହୋଇସାରିବା ପରେ ସିଡିସି ପକ୍ଷରୁ ଏଭଳି କୁହାଯାଇଛି ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ବ୍ୟାପକ ଟିକାକରଣ ଫଳରେ ବୟସ୍କଙ୍କ ମୃତ୍ୟୁରେ ୮୦ ପ୍ରତିଶତ ହ୍ରାସ ଦେଖା ଦେଇଛି । ସେହିପରି କରୋନା ସଂକ୍ରମଣ ମଧ୍ୟ ୧୬ ପ୍ରତିଶତ ହ୍ରାସ ପାଇଛି । ଆମେରିକାରେ ପ୍ରାୟ ୧୪ କୋଟି ଲୋକଙ୍କୁ ଫାଇଜର ଟିକାର ପ୍ରଥମ ଡୋଜ୍ କିମ୍ବା ଜନସନ ଆଣ୍ଡ ଜନସନର ଟିକା ଦିଆଯାଇଛି ।
ଏକାଧିକ ବ୍ୟକ୍ତି ବାହାରେ ବୁଲାବୁଲି କରିବା କିମ୍ବା ରେଷ୍ଟୁରାଂଟରେ ଏକାଠି ଖାଇପାରିବେ ବୋଲି ଘୋଷଣା ହୋଇଛି । ଟିକା ନେଇଥିବା ବ୍ୟକ୍ତି ଓ ଟିକା ନେଇନଥିବା ବ୍ୟକ୍ତି ମଧ୍ୟ ଏକାଠି ହୋଇପାରିବେ ବୋଲି ସିଡିସି କହିଛି । କିନ୍ତୁ ସଭାସମିତି ସହ ସେଲୁନ, ସପିଂ ମଲ ଓ ସିନେମା ହଲରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।