ଏଥର ପାଳି ପଡିବ କି?
୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏବେ ରାଜ୍ୟସଭା ନିର୍ବାଚନକୁ ନେଇ ସରଗରମ ହୋଇଛି ରାଜ୍ୟ ବିଜେପି ରାଜନୀତି । ସେମିିତିରେ ଦେଖିବାକୁ ଗଲେ ଓଡ଼ିଶାରେ ଏବେ କୌଣସି ରାଜ୍ୟସଭା ଆସନ ଫାଙ୍କା ହେଉନାହିଁ । କିନ୍ତୁ ଅନ୍ୟ ରାଜ୍ୟରୁ ଧର୍ମେନ୍ଦ୍ରଙ୍କ ଭଳି ଜଣେ ଓଡ଼ିଆଙ୍କୁ ପୁଣିଥରେ ବ୍ୟାକଡୋର ଏଣ୍ଟ୍ରି କରାଇବା ନେଇ ବିଜେପି ଶିବିରରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା କୁହାଯାଉଛି । ଆଉ ଏହି ବ୍ୟାକଡୋର ଏଣ୍ଟ୍ରି ପାଇଁ ଦୁଇ ଓଡ଼ିଆ ନେତା ବେଶ ଆଶାୟୀ ଥିବା କୁହାଯାଉଛି । ଆଉ ସବୁଠୁ ବଡ କଥା ହେଲା, ଉଭୟ ନେତାଙ୍କର ଦିଲ୍ଲୀ ଲିଙ୍କ୍ ମଧ୍ୟ ବେଶ ଭଲ । ଆଜ୍ଞା ଆମେ କହୁଛୁ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କଥା ।
୨୦୧୯ ନିର୍ବାଚନରେ ପରାଜିତ ହେବା ପରେ ଉଭୟ ବୈଜୟନ୍ତ ଓ ସମ୍ବିତ ଦଳର ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି । କିନ୍ତୁ ଦଳୀୟ ପଦପଦବୀରେ ଉଭୟଙ୍କର ଆଉ ମନ ଲାଗୁନଥିବା ଭଳି ମନେ ହେଉଛି । ଯେଉଁଥିପାଇଁ ଉଭୟ ବୈଜୟନ୍ତ ଓ ସମ୍ବିତ ରାଜ୍ୟସଭା ଯିବା ପାଇଁ ଏବେ ପାଦ କାଢିଥିବା ନେଇ ଚର୍ଚ୍ଚା ହେଉଛି । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଉଭୟଙ୍କ ଅନୁଗତ ଏବେଠୁ ପୋଷ୍ଟ କରୁଥିବାର ଦେଖିବାକୁ ମିଳୁଛି । ଖାସକରି ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ତେବେ ସୋସିଆଲ ମିଡ଼ିଆରେ ବୁଲୁଥିବା ପୋଷ୍ଟ ଗୁଡିକୁ ପ୍ରାୟୋଜିତ ଥିବା ଭଳି ମନେ ହେଉଛି । କିନ୍ତୁ ଏସବୁ ଭିତରେ ଆସାମ ଫଳାଫଳ ବୈଜୟନ୍ତଙ୍କ ଆଶାକୁ ବଢାଇଥିବା ବେଳେ ସମ୍ବିତଙ୍କ ପାଇଁ ସବୁଠୁ ବଡ ପୁଞ୍ଜି ସାଜିଛି ଟେଲିଭିଜନ ବିତର୍କରେ ଦଳ ପାଇଁ ସୁରକ୍ଷାକବଚ ସାଜି ଛିଡା ହେବା ।
ବିଜେପିର ଆସାମ ବିଜୟ ପଛରେ ବୈଜୟନ୍ତଙ୍କର ବଡ ହାତ ରହିଥିବା କୁହାଯାଉଛି । ପ୍ରଭାରୀ ଭାବେ ଦାୟିତ୍ୱ ନେଇ ଆସାମରେ ପୁଣିଥରେ ପଦ୍ମ ଫୁଟାଇବା ପାଇଁ ପରିଶ୍ରମ କରିଥିବାରୁ ପୁରସ୍କାର ବାବଦରେ ରାଜ୍ୟସଭା ଆସନ ମିଳିବ ବୋଲି ବୈଜୟନ୍ତ ଓ ତାଙ୍କ ସମର୍ଥକ ଆଶା ବାନ୍ଧି ବସିଛନ୍ତି । ଯେଉଁଥିପାଇଁ ବୈଜୟନ୍ତ ଏବେ ଦିଲ୍ଲୀ ଛାଡି ଆସିବା ମୁଡରେ ନାହାନ୍ତି । କିନ୍ତୁ ଆସାମ ବିଜୟ ପଛରେ ବୈଜୟନ୍ତଙ୍କ ଯୋଗଦାନ କଣ ରହିଛି ସେନେଇ ଏଯାଏଁ ବିଜେପିର ଶୀର୍ଷ ନେତୃତ୍ୱ ମୁହଁ ଖୋଲୁନାହାନ୍ତି । ଏପରିକି ଆସାମ ବିଜୟ ପାଇଁ ବୈଜୟନ୍ତଙ୍କୁ ଏଯାଏଁ ଦଳର ଶୀର୍ଷ ନେତୃତ୍ୱଙ୍କ ଠାରୁ ଧନ୍ୟବାଦ ଟିଏ ମଧ୍ୟ ମିଳିନାହିଁ । ଏଭଳି ସ୍ଥଳେ ରାଜ୍ୟସଭା ପାଇଁ ବୈଜୟନ୍ତ ଯେଉଁ ଆଶା ବାନ୍ଧିଛନ୍ତି ତାହା କିଭଳି ପୂରଣ ହେବ ତାହା ସବୁଠୁ ବଡ ପ୍ରଶ୍ନ ।
ଅନ୍ୟପଟେ ନିର୍ବାଚନ ଠାରୁ ଆରମ୍ଭ କରି ମହାମାରୀ ପର୍ୟ୍ୟନ୍ତ, ଟେଲିଭିଜନ ବିତର୍କରେ ମୁଖପାତ୍ର ଭାବେ ଦଳ ପାଇଁ ସୁରକ୍ଷା କବଚ ସାଜିଛନ୍ତି ସମ୍ବିତ । ଗତ କିଛି ବର୍ଷ ହେବ ଏହି ଭୂମିକାରେ ସମ୍ବିତଙ୍କୁ ଦେଖିବାକୁ ମିଳୁଛି । ଶାଣିତ ଯୁକ୍ତି ବଳରେ ବିରୋଧୀଙ୍କୁ ଚୁପ୍ କରାଉଥିବା ସମ୍ବିତ ଦଳର ଶୀର୍ଷ ନେତୃତ୍ୱଙ୍କ ଗୁଡବୁକରେ ରହିଛନ୍ତି । ରାଜ୍ୟସଭାରେ ବିରୋଧୀଙ୍କୁ ନିଜ ଯୁକ୍ତି ବଳରେ ଚୁପ୍ କରିବା ଭଳି ନେତା ଦଳ ଆବଶ୍ୟକ କରୁଥିବା ବେଳେ ସମ୍ବିତଙ୍କ ନାଁ ଚର୍ଚ୍ଚାକୁ ଆସିଛି । ଏହାଛଡା ସମ୍ବିତ ଗତ କିଛି ଦିନ ହେବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟତର ହେଉଥିବାର ଦେଖିବାକୁ ମିଳୁଛି । କୁହାଯାଉଛି ପ୍ରତିବଦଳରେ ସମ୍ବିତଙ୍କ ପାଇଁ ଦିଲ୍ଲୀ ଦରବାରରେ ଲବି କରିବାକୁ ପ୍ରସ୍ତୁତ ଅଛନ୍ତି ଧର୍ମେନ୍ଦ୍ର । ତେଣୁ ରାଜ୍ୟସଭା ପାଇଁ ଯଦି ପଣ୍ଡା-ପାତ୍ରଙ୍କ ମଧ୍ୟରେ ରେସ୍ ହୁଏ ତେବେ ପ୍ରଧାନ ଭାଇଙ୍କ ସହଯୋଗରେ ଏହି ରେସରେ ଆଗରେ ରହିବେ ପାତ୍ର ।