ପଦ ଏକ, ଆଶାୟୀ ଅନେକ…
ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା । ବିଜେଡି ନେତା ସୁବାସ ଚୌହ୍ୱାନଙ୍କ ଅକାଳ ବିୟୋଗ ପରେ ପରିଷଦର ଅଧ୍ୟକ୍ଷ ପଦ ଫାଙ୍କା ପଡିଛି । ଦୀର୍ଘ ୬ ମାସରୁ ଅଧିକ ସମୟ ହେବ ପରିଷଦର ଅଧ୍ୟକ୍ଷ ପଦ ଫାଙ୍କା ପଡିଥିଲେ ମଧ୍ୟ ଏହି ପଦ ପାଇଁ ଏଯାଏଁ ନୂଆ ନାଁ ସାମ୍ନାକୁ ଆସିନି । ଯେତେ ଅଧିକ ଦିନ ଅଧ୍ୟକ୍ଷ ପଦ ଫାଙ୍କା ପଡୁଛି ଆଶାୟୀଙ୍କ ସଂଖ୍ୟା ମଧ୍ୟ ସେତିକି ଅଧିକ ବଢିବାରେ ଲାଗିଛି । ତେଣୁ ଖୁବଶୀଘ୍ର ଏହି ପଦରେ ଜଣେ ବିଶ୍ୱାସୀ ଲୋକଙ୍କୁ ବସାଇବାକୁ ପାୱାର କରିଡରରେ ଜୋରଦାର ପ୍ରସ୍ତୁତି ଚାଲିଥିବା ଚର୍ଚ୍ଚା ହେଉଛି । ତେବେ ପାୱାର କରିଡରର ସେ ବିଶ୍ୱାସୀ ବ୍ୟକ୍ତି ଜଣକ କିଏ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଆଁ ଖାଇବାକୁ କାହା ନାଁରେ ନବୀନ ମୋହର ମାରିବେ ତାହା ଏବେ ବି ସସପେନ୍ସ ଘେରରେ ।
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ହାତେଇବାକୁ ଏବେଠୁ ଆଶାୟୀ ଅଣ୍ଟା ଭିଡ଼ିଲେଣି । ଏପରିକି ଏହି ପଦ ପାଇଁ ହେଭିୱେଟଙ୍କ ମଧ୍ୟରେ ଆରମ୍ଭ ହେଲାଣି ରେସ୍ । ଆଉ ଚର୍ଚ୍ଚାରେ ଯେଉଁ କିଛି ଜଣଙ୍କ ନାଁ ରହିଛି ତାହା ଆପଣଙ୍କୁ ମଧ୍ୟ ଚକିତ କରିବ । ଏହି ପଦ ପାଇଁ ରାଜ୍ୟର ମୁଖ୍ୟ ଶାସନ ସଚିବ ଥିବା ଅସିତ ତ୍ରିପାଠୀଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅସିତଙ୍କ ଘର ବଲାଙ୍ଗୀର ଅଞ୍ଚଳରେ ହୋଇଥିବା ବେଳେ ଖୁବଶୀଘ୍ର ଅସିତଙ୍କ କାର୍ୟ୍ୟକାଳ ମଧ୍ୟ ସରି ଆସୁଛି । ଯାହା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି । ତେଣୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ପରେ ଅସିତଙ୍କୁ ଏହି ଗୁରୁଦାୟିତ୍ୱ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । କାରଣ ଅସିତଙ୍କ ପାଇଁ ଏକ ବଡ କୋଟରୀ ଲବି ଆରମ୍ଭ କରିଥିବା ବେଳେ ନବୀନଙ୍କ ଗୁଡବୁକରେ ମଧ୍ୟ ଅସିତ ରହିଛନ୍ତି । ତେଣୁ ନୂଆବର୍ଷରେ ନୂଆ ଦିଗରେ କ୍ୟାରିୟର ଆରମ୍ଭ କରିପାରନ୍ତି ଅସିତ ।
ଅନ୍ୟପଟେ ବ୍ୟୁରୋକ୍ରାଟରୁ ରାଜନେତା ପାଲଟିଥିବା ନଳିନୀ ପ୍ରଧାନଙ୍କ ନାଁ ମଧ୍ୟ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ରେସରେ ଆଗରେ ରହିଛି । ୨୦୧୯ରେ ବିଜେଡି ଟିକେଟରେ ସମ୍ବଲପୁର ଲୋକସଭା ଆସନରୁ ଲଢିଥିବା ନଳିନୀ ପରାଜିତ ହେବା ପରେ ରାଜନୀତିରୁ ଏକପ୍ରକାର ଅଦୃଶ୍ୟ ହୋଇଯାଇଛନ୍ତି । କିନ୍ତୁ ପାୱାର କରିଡର ସହ ଅତି ଉତ୍ତମ ସମ୍ପର୍କ ରଖିଥିବା ନଳିନୀ ଏବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଆଡକୁ ନଜର ପକାଇଥିବା କୁହାଯାଉଛି । ଏହି ସମ୍ମାନଜନକ ପଦବୀ ସହ ପୁଣିଥରେ ରାଜନୀତିରେ ଅଦ୍ଭ୍ୟୁଦୟ ହେବାକୁ ନଳିନୀ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି । କିନ୍ତୁ ୨୦୧୯ରେ ଯେହେତୁ ନଳିନୀଙ୍କୁ ଲଢିବାକୁ ସୁଯୋଗ ମିଳିଥିଲା ଓ ଏଥିରେ ସେ ସଫଳ ହୋଇପାରିନଥିଲେ ତେଣୁ ନଳିନୀଙ୍କ ରାଜନୀତି କ୍ୟାରିୟର ଗ୍ରାଫ୍ ପରିଷଦର ଅଧ୍ୟକ୍ଷ ପଦ ପାଇଁ କଣ୍ଟା ସାଜିପାରେ ।
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ପାଇଁ ଆଉ ଜଣେ ବଡ ଦାବିଦାର ହେଉଛନ୍ତି ବିଜେଡିର ପୁରୁଣା ସିପାହୀ ପୁଷ୍ପେନ୍ଦ୍ର ସିଂହଦେଓ । ନବୀନଙ୍କ ଚତୁର୍ଥ ପାଳିରେ ବେଶ ପ୍ରଭାବଶାଳୀ ଥିବା ପୁଷ୍ପେନ୍ଦ୍ର ୨୦୧୯ ନିର୍ବାଚନରେ କଳାହାଣ୍ଡି ଲୋକସଭା ଆସନରୁ ପରାଜିତ ହେବା ପରେ ପାୱାର କରିଡରରୁ ଏକପ୍ରକାର ଦୂରେଇ ରହିଛନ୍ତି । ତେଣୁ ପୁଣିଥରେ ପାୱାର କରିଡରକୁ ଫେରିବାକୁ ପରିଷଦର ଅଧ୍ୟକ୍ଷ ପଦ ପୁଷ୍ପେନ୍ଦ୍ରଙ୍କ ପାଇଁ ସବୁଠୁ ବଡ ଅସ୍ତ୍ର ସାଜିପାରେ । ତେଣୁ ଏହି ସୁଯୋଗକୁ ସହଜରେ ହାତଛଡା କରିବାକୁ ଚାହିିଁବେ ନାହି ପୁଷ୍ପେନ୍ଦ୍ର । ଯେଉଁଥିପାଇଁ ନିଜ ସ୍ତରରେ ଏବେଠୁ ପୁଷ୍ପେନ୍ଦ୍ର ଲବି ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି ।
ସେହିଭଳି ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ମଧ୍ୟ ଆଶାୟୀ ତାଲିକାରେ ଆଗରେ ରହିଛନ୍ତି । ରାସେଶ୍ୱରୀଙ୍କୁ ଏହି ରେସରେ ଆଗରେ ରଖିଛି ମହିଳା କାର୍ଡ । ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଉଥିବା ନବୀନ ପରିଷଦର ଅଧ୍ୟକ୍ଷ ପଦ ପାଇଁ ମହିଳା କାର୍ଡ ଖେଳିପାରନ୍ତି ବୋଲି କୁହାଯାଉଛି । ଯଦି ମୁଖ୍ୟମନ୍ତ୍ରୀ ମହିଳା ଚେହେରାରେ ମୋହର ମାରନ୍ତି ତେବେ ରାସେଶ୍ୱରୀ ପ୍ରଥମ ପସନ୍ଦ ପାଲଟିପାରନ୍ତି । କିନ୍ତୁ ସବୁବେଳେ ଆଶ୍ଚର୍ୟ୍ୟଚକିତ କଲାଭଳି ନିଷ୍ପତ୍ତି ନେଉଥିବା ନବୀନ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ନବୀନ ନିଜର ପୁରୁଣା ସିପାହୀ ନା ବ୍ୟୁରୋକ୍ରାଟ ବାବୁଙ୍କୁ ନୂଆ ଦାୟିତ୍ୱ ଦେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।
୨୦୧୯ ନିର୍ବାଚନରେ ପରାଜିତ ନେତାଙ୍କୁ ନବୀନ ନୂଆ ସୁଯୋଗ ଏଯାଏଁ ଦେଇନାହାନ୍ତି । ହୁଏତ ସଂଜୟ ଦାସବର୍ମା ଏଥିରେ ଏକ ବ୍ୟତିକ୍ରମ ଥାଇପାରନ୍ତି ହେଲେ ଦଳୀୟ ଟିକେଟ ପାଇ ପରାଜିତ ହୋଇଥିବା ପ୍ରାର୍ଥୀଙ୍କୁ ପୁଣି ଥରେ ସୁଯୋଗ ଦିଆଗଲେ ଦଳରେ ବିଶୃଙ୍ଖଳା ବଢିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । ତେଣୁ କେହି ନୂଆ ଚେହେରା ଏହି ଆସନରେ ବସିବା ଦେଖିବାକୁ ମିଳିପାରେ ।