THE BYAPINI

କାହିଁକି ଇସ୍ତଫା ଦେବେ ଅରୁଣ ସାହୁ?

Get real time updates directly on you device, subscribe now.

ବିଧାନସଭା ଚାଲିପାରୁ ନାହିଁ । ବାରମ୍ବାର ଗୃହରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ । ରାଜ୍ୟ ସରକାର ପ୍ରଥମେ କ୍ରାଇମବ୍ରାଂଚ ତଦନ୍ତ କଥା କହିଲେ, ଏବେ ମୁଖ୍ୟମନ୍ତ୍ରୀ ଏସଆଇଟି ତଦନ୍ତ ଯାଏଁ ଗଲେଣି । ହେଲେ ବିରୋଧୀ ନାରାଜ । ସନ୍ତୁଷ୍ଟ ହେଉ ନାହାନ୍ତି ବରଂ ଆଭିମୁଖ୍ୟ ଶାଣିତ କରି ଇସ୍ତଫା ଦାବି କରୁଛନ୍ତି । ହେଲେ ଆନ୍ଦୋଳନ କରୁଥିବା ନେତାଙ୍କୁ ଆମର ପ୍ରଶ୍ନ – ଅରୁଣ ସାହୁ କାହିଁକି ଇସ୍ତଫା ଦେବେ?

ସତରେ ରାଜ୍ୟରେ ବିରୋଧୀ ଦଳ ଯେ କେବଳ ନାମକୁ ମାତ୍ର ଅଛନ୍ତି, ଏକଥା ପୁଣି ପ୍ରମାଣିତ କରିବାକୁ ବେଶୀ ସମୟ ଲାଗିବ ନାହିଁ । ଜୁଲାଇ ମାସରେ ନୟାଗଡରୁ ପରୀ ଅପହରଣ ଘଟଣା ଘଟିଲା, କିଛି ଦିନ ପରେ ଘର ପଛପଟୁ ଅଖାରେ ପରୀର ମୃତଦେହ ଉଦ୍ଧାର ହେଲା । ଏହା ନିହାତି ଏକ ସମ୍ବେଦନଶୀଳ ପ୍ରସଙ୍ଗ, ଯାହାର ମୂଳରେ ପୁଲିସ ପହଂଚି ଅପରାଧୀଙ୍କୁ ଗିରଫ କରିବା କଥା । ହେଲେ ଏହା ସମ୍ଭବପର ହେଲାନାହିଁ, ଆଉ ପରୀର ବାପା, ମା ଯେତେବେଳେ ବିଧାନସଭା ଗେଟରେ ଆସି ଆତ୍ମଦାହ ଉଦ୍ୟମ କଲେ ସେତେବେଳେ ଘଟଣା ପୁଣି ଦାନା ବାନ୍ଧିଲା, ଆଉ ଆମ ବିରୋଧୀ ଦଳଙ୍କର ନିଦ ଭାଙ୍ଗିବା ଭଳି ଜଷ୍ଟିସ ଫର୍ ପରୀ କ୍ୟାମ୍ପେନ ଆରମ୍ଭ କଲେ ।

କହିବାର ଉଦ୍ଦେଶ୍ୟ ହେଉଛି, ବିରୋଧୀ ଦଳ ବିଜେପି ଆଉ କଂଗ୍ରେସର ନଜର ସେତେବେଳେ ଗୋଟିଏ ଘଟଣା ଉପରକୁ ଯାଉଛି, ଯେତେବେଳେ ପରୀର ବାପା, ମା ଆସି ରାଜଧାନୀରେ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି । ଆଉ ସେତେବେଳ ଯାଏଁ, ଉଭୟ ରାଜନୈତିକ ଦଳ ଏହାର ଶୋର ଶଦ୍ଦ ପାଉନାହାନ୍ତି । ଏମିତି ନୁହେଁ ଯେ, ମିଡିଆରେ ଏହି ଘଟଣା ପ୍ରସାରିତ ହୋଇନାହିଁ । ହେଲେ ରାଜ୍ୟରେ ବିରୋଧୀଦଳର ନିଦ ସେତେବେଳେ ଭାଙ୍ଗୁଛି, ଯେତେବେଳେ କଥା ବିଧାନସଭା ଗେଟ ସାମ୍ନା ଯାଏଁ ଆସୁଛି । ତେଣୁ ଆଜି ଯେଉଁ ବିରୋଧୀ ଦଳ ନ୍ୟାୟ ମାଗୁଛି, ଏତେଦିନ ଧରି ନିଦରେ ଶୋଇଥିଲା ନା କଣ? ଏହି ପ୍ରଶଯନ ବି ଉଠିବା ସ୍ୱାଭାବିକ ।

ଏବେ ଆସିବା ମୁଳ ମୁଦ୍ଦାକୁ । କାହିଁକି ଇସ୍ତଫା ଦେବେ ଅରୁଣ ସାହୁ? ଯେଉଁ ନ୍ୟାୟରେ ରାଜ୍ୟରେ ବିଜେପି ଅରୁଣ ସାହୁଙ୍କ ଇସ୍ତଫା ମାଗୁଛି, ସେହି ନ୍ୟାୟରେ ବିଜେପି ଶାସିତ ଅନେକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇସାରିବା କଥା । ଏକଥା କଣ ରାଜ୍ୟ ବିଜେପିର ନେତାଙ୍କୁ ଶିଖାଇବାର ଆବଶ୍ୟକତା ରହୁଛି ଯେ, କେବଳ ଗୋଟିଏ ଅଭିଯୋଗ ଆଧାରରେ ଜଣେ ମନ୍ତ୍ରୀପଦ ଛାଡିଦେବାର ଆବଶ୍ୟକତା ରହୁଛି । ଏମିତି ହେଲେ ତ, ହାଥରସ ଘଟଣାରେ କିମ୍ବା ଉନ୍ନାଓ ପ୍ରସଙ୍ଗରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ସାରିବା କଥା । କାରଣ ଉଭୟ ଘଟଣାରେ ବିଜେପି ନେତା, ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଥିଲା । ସେହିଭଳି ମହାରାଷ୍ଟ୍ରରେ ପାଲଘରରେ ଘଟିଥିବା ଘଟଣା ପାଇଁ କଣ ଉଦ୍ଧବ ସରକାରର ପତନ ହୋଇଥିଲା କି? ନା ମେଂଟରେ ଅଂଶୀଦାର ଥିବା କଂଗ୍ରେସ ଏଠି ପାଟି ଖୋଲିଥିଲା?

ରାଜ୍ୟ ବିଜେପିର ନେତାଙ୍କ ସାହାସ ଅଛି କି, ସେମାନେ ଅରୁଣ ସାହୁଙ୍କ ଇସ୍ତଫା ଦାବି କଲା ଭଳି ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ପ୍ରସଙ୍ଗ ଉଠାଇବେ । ଆମେ ଜାଣିଛୁ, ଏହା ସେମାନେ କରିପାରିବେ ନାହିଁ, ତେଣୁ ଗୋଟିଏ ଦେଶରେ ଦୁଇ ପ୍ରକାରର ଆଭିମୁଖ୍ୟ ଗୋଟିଏ ଦଳର କେମିତି ହୋଇପାରିବ । ଅରୁଣ ସାହୁ ଯଦି ଭୁଲ କରିଛନ୍ତି, ତଦନ୍ତ ହେଲେ ଆଭିମୁଖ୍ୟ ଆସୁରି ସ୍ପଷ୍ଟ ଓ ଶାଣିତ ହେବ । କାରଣ ଅତୀତରେ ଅନେକ ମନ୍ତ୍ରୀଙ୍କ ପଦ ଚୁଟକିରେ ମୁଖ୍ୟମନ୍ତ୍ରୀ ନେଇ ଯାଇଛନ୍ତି । ମାତ୍ର ବିରୋଧୀ ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ସମୟ ନଷ୍ଟ କରି ଗୋଟିଏ ଯିଦିରେ ଅଡି ବସିବା ଶୋଭନୀୟ ଲାଗୁନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.