ବିଜେଡିକୁ ଅଡୁଆ, ସୋସିଆଲ ମିଡିଆ ! ନେତା ସବଳ, ଦଳ ଦୁର୍ବଳ
ସୋସିଆଲ ମିଡିଆକୁ ଜାଣିଶୁଣି ବିଜୁ ଜନତା ଦଳ ନିଜକୁ ଦୁର୍ବଳ କରି ରଖୁଛି ନା ଏହା ପଛରେ ଏକ ବଡ ଷଡଯନ୍ତ୍ର ରହିଛି, ତାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା । ଦଳରେ ଏକାଧିକ ଯୁବନେତା ରହିଛନ୍ତି ଯେଉଁମାନେ ନିଜ ନିଜ ବ୍ୟକ୍ତିଗତ ସୋସିଆଲ ମିଡିଆ ପେଜରେ ଖୁବ ସକ୍ରିୟ । ହେଲେ ଯେତେବେଳେ ଦଳ କଥା ଆସୁଛି, ସେମାନେ ସେଥିରେ ମୁଣ୍ଡ ପୁରାଉ ନାହାନ୍ତି । ଆଉ ବେଳେ ବେଳେ ସ୍ଥିତି ଏମିତି ହେଉଛି ଯେ, ଦଳ ନିନ୍ଦିତ ମଧ୍ୟ ହେଉଛି । ସରକାରୀ ସ୍କୁଲରେ ପାଠ ପଢିଲେ ମେଡିକାଲ ଆଉ ଇଂଜିନିୟରିଂ ନାମଲେଖା ବେଳେ ସଂରକ୍ଷଣ ବ୍ୟବସ୍ଥା ନେଇ କ୍ୟାବିନେଟ ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବାକୁ ଯାଇ ଏକ ଟ୍ୱିଟର ଟ୍ରେଣ୍ଡ ଆରମ୍ଭ କରାଯାଇଥିଲା । ହେଲେ ଏଥିରେ ଯେଉଁ ଲଜ୍ଜାକର ଘଟଣା ଘଟିଲା, ତାହା ୨୦ ବର୍ଷ ଧରି କ୍ଷମତାରେ ଥିବା ଦଳଠାରୁ ଆଶା କରାଯାଏ ନାହିଁ ।
ଏହି ଟ୍ୱିଟର ଟ୍ରେଣ୍ଡ ବେଳେ ଦେଖିବାକୁ ମିଳିଲା, ଅନେକ ବିଧାୟକ, ସାଂସଦ, ନେତା, ମନ୍ତ୍ରୀ ଦଳର କର୍ମୀ ଗୋଟିଏ ହିଁ ଲେଖା କପି ପେଷ୍ଟ କରିଚାଲିଥିଲେ । ଥ୍ୟାଙ୍କୁ ୟୁ ନବୀନ ପଟ୍ଟନାୟକ ନାଁରେ ଚାଲିଥିବା ଏହି ଟ୍ରେଣ୍ଡ ଦଳର ସୋସିଆଲ ମିଡିଆ ଟିମର ଅସଲ ମୁଖା ଖୋଲି ଦେଇଥିଲା । ବଡ କଥା ହେଉଛି ଯେତେବେଳେ ବିଜେପି ସୋସିଆଲ ମିଡିଆ କ୍ୟାମ୍ପେନ ଜରିଆରେ ନିଜର ଏକ ବେସ୍ ତିଆରି କରିବାକୁ ଚାହୁଁଛି ସେତେବେଳେ ବିଜେଡି ଏଥିରେ ପଛରେ ରହିବା କାହିଁକି ହଜମ ହେଉନାହିଁ । କୁହାଯାଉଛି ବିଜେଡି ତାର ସୋସିଆଲ ମିଡିଆ ପେଜକୁ ଶକ୍ତିଶାଳୀ କରିବାକୁ କିଛି ଲୋକଙ୍କୁ ନିଯୁକ୍ତି ଦେଇଛି । ହେଲେ ସେମାନେ ଏହି କାର୍ଯ୍ୟକୁ ସଠିକ ଭାବେ ତୁଲାଇବା ବଦଳରେ ନାଁକୁ ମାତ୍ର କାମ କରି ସାରିଦେଉଛନ୍ତି । ଏପରିକି ଦଳର ବିଧାୟକ ଆଉ ସାଂସଦକଙ୍କ ଟ୍ୱିଟର ହ୍ୟାଣ୍ଡେଲ ଭେରିଫାଏଡ ହୋଇଥିଲେ ମଧ୍ୟ ଏହାକୁ ପରିଚାଳନା ସେମାନେ ନିଜେ କରୁନଥିବା ଚର୍ଚ୍ଚା ହୁଏ । ଯେଉଁ ସ୍ଥାନରେ ବିଜେଡି ସୋସିଆଲ ମିଡିଆ ଚାଲୁଛି, ସେଠାରୁ ହିଁ ଏସବୁ ଆଇଡିରେ କିଛି ନା କିଛି ପୋଷ୍ଟ ହୋଇଥାଏ ବୋଲି କୁହାଯାଉଛି । ହେଲେ ଏହାର ସତ୍ୟତା ଉପରେ ଅଧିକ ଅନୁସନ୍ଧାନ ବ୍ୟାପିନି ପ୍ରତିନିଧିଙ୍କ ପକ୍ଷରୁ ଜାରି ରହିଛି ।
ଆଗାମୀ ୨୦୨୪ ନିର୍ବାଚନରେ ସୋସିଆଲ ମିଡିଆର ଏକ ବଡ ପ୍ରଭାବ ରହିବ । ହ୍ୱାଟସଆପ, ଟ୍ୱିଟର, ଫେସବୁକ ଜରିଆରେ ଜନତାଙ୍କ ମଧ୍ୟରେ ଏକ ଓପିନିୟନ ତିଆରି କରାଯାଇପାରିବ । ଗତ ୨୦୧୭ ପଂଚାୟତ ନିର୍ବାଚନରେ ଦଳ ବିଜେପି ଠାରୁ ଝଟକା ପାଇବା ପରେ ତାର ସୋସିଆଲ ମିଡିଆ ପେଜ ସବୁ ଆରମ୍ଭ କରିଥିଲା । ହେଲେ ୩ ବର୍ଷ ପରେ ମଧ୍ୟ ଏହାକୁ ଏକ ଶକ୍ତିଶାଳୀ ମିଡିୟମ ଭାବେ ତିଆରି କରାଯାଇପାରିନାହିଁ । ବିଜେପି ଯେଉଁଭଳି ତାର ସୋସିଆଲ ମିଡିଆ ପେଜରେ ଶକ୍ତି ସଂଗ୍ରହ କରି ରଖିଛି, ଏହାଠାରୁ ଢେର ପଛରେ ବିଜେଡି ରହିଛି । ଏହା ପଛରେ ଏକ ବଡ କାରଣ ରହିଛି, ଯେଉଁ ଯୁବନେତାଙ୍କ ଉପରେ ଦଳର ଦାୟିତ୍ୱ ରହିଛି, ସେମାନେ ସୋସିଆଲ ମିଡିଆ ପେଜର ଶକ୍ତିକୁ ବୁଝିନାହାନ୍ତି, ଅବା ଦଳ ପାଇଁ ଏହା କିଭଳି ଉପଯୋଗୀ ହେବ ତାକୁ ଠଉରେଇ ପାରିନାହାନ୍ତି । କିନ୍ତୁ ବ୍ୟକ୍ତିଗତ ଭାବେ ନିଜ ନିଜ ପେଜରେ ସକ୍ରିୟ ରହି ଲୋକଙ୍କ ବିଶ୍ୱାସ ଜିତିବାକୁ ଉଦ୍ୟମ କରୁଛନ୍ତି ।
ଅନ୍ୟ ଏକ ବଡ ଦିଗ ହେଲା, ଯେଉଁ କିଛି ଏଜେନସୀ ବା ବ୍ୟକ୍ତି ବିଜେଡିର ସୋସିଆଲ ମିଡିଆ ପେଜ ପାଇଁ କଂଟେଣ୍ଟ ତିଆରି କରୁଛନ୍ତି ବା ସୋସିଆଲ ମିଡିଆ ପ୍ଲାନ ତିଆରି କରୁଛନ୍ତି, ସେମାନଙ୍କର ଦୁରଦୃଷ୍ଟିର ଅଭାବ ଯୋଗୁଁ ଦଳ ପାଇଁ ହାସ୍ୟାସ୍ପଦ ସ୍ଥିତି ସୃଷ୍ଟି ହେଉଥିବା ଚର୍ଚ୍ଚା ଚାଲିଛି । କାରଣ ଯଦି ବିଧାୟକ ଏବଂ ସାଂସଦଙ୍କ ହ୍ୟାଣ୍ଡେଲରୁ ଗୋଟିଏ ମେସେଜ ପୋଷ୍ଟ ହେବ, ତାହେଲେ ଜଣାପଡିବ ଯେ ସୋସିଆଲ ମିଡିଆର ଶକ୍ତିକୁ ଶାସକ ଦଳ ଠିକ ଭାବେ ବୁଝିନାହିଁ । ଆଗାମୀ ପଂଚାୟତ ଏବଂ ସହର ଭୋଟ ଆଗରୁ ଯଦି ଏନେଇ ଦଳ ଦୃଷ୍ଟି ନଦିଏ ତେବେ ହୁଏତ ୨୦୧୭ ଭଳି ସ୍ଥିତି ପୁଣି ସୃଷ୍ଟି ହୋଇପାରେ ।