ସଂକ୍ରମଣ ବଢିବାର କାରଣ କ’ଣ?
କରୋନାର ଦ୍ୱିତୀୟ ଲହରରେ ଦେଶରେ ଅଚାନକ ଭାବେ ହୁ ହୁ ବଢିଚାଲିଛି ସଂକ୍ରମଣ । ପ୍ରତିଦିନ ନୂଆ ରେକର୍ଡ କରୁଛି କରୋନା । ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ତେବେ କେଉଁ କାରଣ ପାଇଁ ପ୍ରତିଦିନ ଏତେ ଲୋକ ଆକ୍ରାନ୍ତ ହେଉଛନ୍ତି ? ତାର କାରଣ କହିଛନ୍ତି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ।
ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ କହିବା ଅନୁସାରେ, ସଂକ୍ରମଣ ବଢିବାର ଦୁଇଟି ପ୍ରମୁଖ କାରଣ ରହିଛି ।
ପ୍ରଥମଟି ହେଲା, କରୋନା ଟିକା ଆସିଯିବା ପରେ ଲୋକେ କରୋନା ବିରୋଧୀ ସତର୍କତା ଗ୍ରହଣ କରିବା ଛାଡିଦେଲେ । କେହି ଆଉ ନିୟମ ମାନିଲେନି, କେହି ସତର୍କ ହେଲେନି । ହେଲେ ସେତେବେଳକୁ କରୋନାର ପ୍ରକୋପ ପୁରା କମିନଥିଲା । ବରଂ ଭୂତାଣୁ ତାର ରୂପ ବଦଳାଇ ଅଧିକ ସଂକ୍ରାମକ ପାଲଟିଗଲା । ସେହିପରି ଦେଶରେ ଧର୍ମୀୟ ଓ ରାଜନୈତିକ ସଭା ସମିତିରେ କଟକଣା ନଲଗାଇଲେ ଏହା କରୋନା ସଂକ୍ରମଣ ବୃଦ୍ଧିର କାରଣ ପାଲଟିବ ବୋଲି ସେ ଚେତାଇ ଦେଇଛନ୍ତି ।
ଏବେ ଦେଶରେ ସଂକ୍ରମଣ ଯେପରି ବ୍ୟାପୁଛି ସ୍ଥିତି ଅସମ୍ଭାଳ ହୋଇପଡିଲାଣି । ତେବେ ଆଗକୁ ଯଦି ଲୋକେ ସତର୍କ ନୁରୁହନ୍ତି । ସାମାଜିକ ଦୂରତା ଓ ମାସ୍କ ନପିନ୍ଧନ୍ତି, ତେବେ ଆଗକୁ ଆହୁରି ବିପଦ ଆସିପାରେ । ଯାହକୁ ସମ୍ଭାଳିବା ନିୟନ୍ତ୍ରଣ ବାହାରେ ହୋଇଯିବ । ଦେଶରେ ଗତ ୨୪ ଘଂଟାରେ ୨ ଲକ୍ଷ ୬୧ ହଜାର ୫ଶହ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୦୧ଜଣଙ୍କ ମୃତ୍ୟୁ ହୋଇଛି । ତେବେ କେତୋଟି ରାଜ୍ୟରେ ସଂକ୍ରମଣ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।