ବବିଙ୍କୁ ସାମ୍ନା କରିବାକୁ ସାହସ ଜୁଟାଇ ପାରୁନାହାନ୍ତି କି ବିଜେପିର ପୋଷ୍ଟରବୟ?
ବିଜେଡି ସାଧାରଣ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସାମ୍ନା କରିବାକୁ ସାହସ ଜୁଟାଇ ପାରୁନାହାନ୍ତି କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ଏକଥା ଏଥିପାଇଁ ଉଠୁଛି କାରଣ, ସୋସିଆଲ ମିଡ଼ିଆରେ ଅତ୍ୟଧିକ ସକ୍ରିୟ ଥିବା ଧର୍ମେନ୍ଦ୍ରଙ୍କ ଭଳି ନେତା କିପରି ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ସାଇଲେଣ୍ଟ ରହିବାକୁ ପସନ୍ଦ କରୁଛନ୍ତି ତାହାର ଝଲକ ଆଜି ପୁଣିଥରେ ଦେଖିବାକୁ ମିଳିଛି । ବବିଙ୍କ ଟ୍ୱିଟର ଜବାବ ଦେବା ପରିବର୍ତ୍ତେ ଚୁପ୍ ରହିବା କେଉଁଠି ନା କେଉଁଠି ସୂଚାଉଛି ଯେ, ସମ୍ମୁଖ ଯୁଦ୍ଧକୁ ସାମ୍ନା କରିବାକୁ ସତସାହସ ଜୁଟାଇ ପାରୁନାହାନ୍ତି ଧର୍ମେନ୍ଦ୍ର? ନଚେତ ଟ୍ୱିଟରରେ ଅନ୍ୟକୁ ପ୍ରଶ୍ନବାଣରେ ଘାଇଲା କରୁଥିବା ଧର୍ମେନ୍ଦ୍ର କିଭଳି ବବିଙ୍କ ଟ୍ୱିଟର ଜବାବ ଦେବାକୁ ପଛଘୁଞ୍ଚା ଦେଉଥାନ୍ତେ ।
ଏହି ଲଢେଇ ସେତେବେଳେ ଆରମ୍ଭ ହୋଇଛି ଯେତେବେଳେ ବିଜେଡି ସାଂସଦ ଭର୍ତ୍ତୃହରିଙ୍କୁ ନେଇ ମୁହଁ ଖୋଲିଛନ୍ତି ଧର୍ମେନ୍ଦ୍ର । ଭର୍ତ୍ତୃହରିଙ୍କ ଭଳି ବରିଷ୍ଠ ନେତାଙ୍କୁ ତାଙ୍କ ଦଳ ଓଡ଼ିଶା ପାଇଁ କାହିଁକି ଉପଯୋଗ କରୁନି ବୋଲି ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର । ଆଉ ଏହି ପଦିଏ କଥାକୁ ନେଇ ପ୍ରଧାନ ବାବୁଙ୍କୁ ଘେରିଥିଲେ ବିଜେଡିର ହେଭିୱେଟ ନେତା ବବି ଦାସ । ଭର୍ତ୍ତୃହରିଙ୍କ ବୁଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଥିବାରୁ ଧର୍ମେନ୍ଦ୍ରଙ୍କୁ କଲମ୍ବସର ଟ୍ୟାଗ୍ ଦେଇଥିଲେ ବବି । ଏପରିକି ସେହି ସମାନ ଶୈଳୀରେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ରଙ୍କୁ ଘେରିଥିଲେ ବବି । କିନ୍ତୁ ବବିଙ୍କ ଏହି ଟ୍ୱିଟକୁ ନେଇ ପଦିଏ ବି ପ୍ରତିକ୍ରିୟା ଦେଇନଥିଲେ ପ୍ରଧାନ ବାବୁ । କାରଣ ମଞ୍ଜ କଥାଟିଏ ଧରିଥିବାରୁ ମୁକୁ ଭାଇଙ୍କୁ ଆଉ ମୁହଁ ଫିଟାଇବାକୁ ଯେପରି ସୁଯୋଗ ମିଳିନଥିଲା । ଯେଉଁଥିପାଇଁ ସୋସିଆଲ ମିଡ଼ିଆରେ ସାଇଲେଣ୍ଟ ହୋଇଯାଇଥିଲେ ପ୍ରଧାନ ବାବୁ ।
ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ଟ୍ୱିଟରରେ ବବି ରଖିଥିବା ପ୍ରତିକ୍ରିୟାରେ ମଧ୍ୟ ଯଥେଷ୍ଟ ଓଜନ ଥିଲା । ଯେଉଁଥିପାଇଁ ହୁଏତ ପୁଣିଥରେ ବବିଙ୍କୁ ମୁହଁ ଉଠାଇ ପ୍ରଶ୍ନ କରିବାକୁ ସାହସ ଜୁଟାଇ ପାରିନଥିଲେ ମୁକୁ । କାରଣ ବିଜେପି ପାଇଁ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ ଅବଦାନ କଣ ତାହା ଗେରୁଆ ଦଳ ସହ ପୂରା ଦେଶ ଜାଣିଛି । କିନ୍ତୁ ୨୦୧୪ ନିର୍ବାଚନ ପରେ ବିଜେପିକୁ ନିଜ ହାତରେ ଗଢି ତୋଳିଥିବା ଏହି ଦୁଇ ନେତାଙ୍କ ଅବସ୍ଥା ଦଳରେ କଣ ତାହା କହିବାର ବୋଧହୁଏ ଆଉ ଆବଶ୍ୟକତା ନାହିଁ । ଦଳରେ କେଉଁଭଳି ଏହି ଦୁଇ ନେତାଙ୍କୁ ଗୁରୁତ୍ୱହୀନ କରିଦିଆଗଲା ଓ ସକ୍ରିୟ ରାଜନୀତିରୁ ଅବ୍ୟାହତି ଦେଇ କିଭଳି ଦଳୀୟ ରାଜନୀତିରେ ସ୍ଥାଣୁ କରିଦିଆଗଲା ତାହା ଅନେକଙ୍କୁ ବିସ୍ମିତ କରିଥିଲା ଏବଂ ମୋଦିଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ମଧ୍ୟ ଉଠାଇଥିଲା । ତେଣୁ ଯେତେବେଳେ ବବି ବିଜେପିର ଏହି ଦୁର୍ବଳତମ ଦିଗକୁ ନେଇ ଧର୍ମେନ୍ଦ୍ରଙ୍କୁ ଘେରିବା ଆରମ୍ଭ କଲେ ସେତେବେଳେ ଚୁପ୍ ରହିବା ବ୍ୟତୀତ ଆଉ ବୋଧହୁଏ କୌଣସି ଚାରା ନଥିଲା ।
ଧର୍ମେନ୍ଦ୍ର ସିନା ଚୁପ୍ ରହିଲେ କିନ୍ତୁ ତାଙ୍କ ସପକ୍ଷରେ ଓକଲାତି କରିବାକୁ ଆଗେଇ ଆସିଥିଲେ ଦଳର କଥା କୁହାଳିଆ ତୁଣ୍ଡ ସମ୍ବିତ ପାତ୍ର । ବବିଙ୍କୁ ପଢାଇଥିଲେ ମହତାବଙ୍କ ପରିବାରର ଇତିହାସ । ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ ପ୍ରଶ୍ନବାଣରେ ପ୍ରଧାନ ବାବୁଙ୍କ ପାଟି ଖୋଲି ନାହିଁ ଆଉ ଦଳର ଅନ୍ୟ କିଛି ନେତା ମୁକୁଙ୍କ ପାଇଁ ଓକିଲାତି କରିବାକୁ ଆଗେଇ ଆସିଛନ୍ତି । ଏହାପୂର୍ବରୁ ମଧ୍ୟ ମହିଳା ସଶକ୍ତିକରଣକୁ ନେଇ ବବିଙ୍କ ପ୍ରଶ୍ନର ଉତ୍ତର ନଦେଇ ମୌନ ବ୍ରତ ଧାରଣ କରିଥିଲେ ମୁକୁ । ସେତେବେଳେ ମୁକୁଙ୍କ ପାଇଁ ଓକଲାତି କରିବାକୁ ବାହାରିଥିଲେ ବିଜେପି ନେତ୍ରୀ ଲେଖାଶ୍ରୀ । ଆଉ ଏହା ଦର୍ଶାଉଥିଲା ଯେ, କେଉଁଠି ନା କେଉଁଠି ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରଧାନ ବାବୁ । କାରଣ ଥରେ ଆଲୋଚନା ଆରମ୍ଭ ହେଲେ ଏମିିତି ଅନେକ ପ୍ରସଙ୍ଗ ରହିଛି ଯାହାର ଉତ୍ତର ଦେବା ହୁଏତ ଧର୍ମେନ୍ଦ୍ରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଯିବ । କାରଣ ବବିଙ୍କର ପ୍ରଶ୍ନ ମଧ୍ୟ କିଛି ସେହିଭଳି ରହିଛି ଯାହା ମୁକୁଙ୍କ ମୁହଁ ଚୁପ୍ କରିବାକୁ ଯଥେଷ୍ଟ ।