ଆଉ କେତେ ମିଛ କହିବେ ଜାଗୀ ମଙ୍ଗତ ପଣ୍ଡା?
ହାଇକୋର୍ଟଙ୍କ ରାୟରୁ ଗୋଟିଏ କଥା ସ୍ପଷ୍ଟ ଶାସକ ଦଳର ଇଙ୍ଗିତରେ ଓଟିଭି ବିରୁଦ୍ଧରେ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଥିବା ଯୁକ୍ତିକୁ ଗ୍ରହଣ କରାଯାଇ ପାରିବ ନାହିଁ । ତଥାପି ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଲଗାତର ଭାବେ ସରକାରଙ୍କ ଉପରକୁ ଅଙ୍ଗୁଳି ଉଠାଇ ଚାଲିଛନ୍ତି । କଥା ଓଡିଶା ସୀମା ଅତିକ୍ରମ କରି ଏବେ ଦିଲ୍ଲୀ ସ୍ତରରେ ପହଁଚିଲାଣି । ହେଲେ ମୂଳ କଥାଟିକୁ ନେଇ ଆଜି ମଧ୍ୟ ଜାଗୀ ପଣ୍ଡା ଚୁପ ରହିଛନ୍ତି । ସାରୁଅରେ ନିୟମକୁ ମାଡି ମକଚି କିଣାଯାଇଥିବା ଜମିରେ ହୋଇଥିବା ବେଆଇନ କାରବାରରେ ଉଭୟ ଜୟ ଓ ଜାଗୀ ସାମିଲ ଅଛନ୍ତି କି ନାହିଁ?
୨୨ ଜଣ ଅନୁସୁଚିତ ଜାତି ବର୍ଗର ଲୋକଙ୍କ ଠାରୁ ଚଂଚକତା କରି ଜମି କିଣାଯାଇଥିବା ନେଇ ଯେଉଁ ଅଭିଯୋଗ ଆସିଥିଲା, ହାଇକୋର୍ଟ ତାଉପରେ ମଧ୍ୟ ସ୍ପଷ୍ଟ ଆଭିମୁଖ୍ୟ ରଖିଛନ୍ତି । ଯେଉଁଥିରେ ତିନୋଟି ସାଂଘାତିକ ପ୍ରଶ୍ନ ଉଠିଛି ।
ପ୍ରଶ୍ନ – ୦୧
ଜଣେ କମ ଦରମା ପ୍ରାପ୍ତ କର୍ମଚାରୀ (ରବୀ ସେଠୀ) ତଥା ଅନୁସୁଚିତ ଜାତି ବର୍ଗର ବ୍ୟକ୍ତି ହୋଇଥିବାରୁ ପିଟିସନର ଅନ୍ୟ ମାନଙ୍କ ସହ ମିଶି ସାରୁଅରେ ଜମି କିଣିବାକୁ ଷଡଯନ୍ତ୍ର କରିଥିଲେ କି?
ପ୍ରଶ୍ନ – ୦୨
ଯେଉଁ ୨୨ ଜଣଙ୍କ ଠାରୁ ଜମି କିଣାଯାଇଥିଲା, ସେମାନେ ଉଚିତ ମୂଲ୍ୟ ପାଇଥିଲେ ନା ନାହିଁ?
ପ୍ରଶ୍ନ – ୦୩
ଜମି ରବୀ ସେଠୀଙ୍କ ନାଁରେ କିଣାହେଲା ପରେ ଚାପ ପ୍ରୟୋଗ କରି ଚଂଚକତା ଜରିଆରେ ଜମିକୁ ଓଡିଶା ଇନଫ୍ରାଟେକ ନାଁରେ ଟ୍ରାନସଫର କରାଯାଇଥିଲା କି?
ଏହି ତିନୋଟି ମୂଳ ପ୍ରଶ୍ନର ଉତ୍ତର ଦେବା ବଦଳରେ ଜାଗୀ ମଙ୍ଗତ ପଣ୍ଡା ଭିକ୍ଟିମ କାର୍ଡ ଖେଳିବାରେ ବ୍ୟସ୍ତ ଅଛନ୍ତି । ଅର୍ଥାତ୍, ସରକାର ସେମାନଙ୍କୁ କୁଆଡେ ଜାଣିଶୁଣି ହଇରାଣ ହରକତ କରୁଛନ୍ତି । ସରକାରୀ କଳ ପ୍ରୟୋଗ କରି ମାଳମାଳ କେସ୍ କରାଯାଉଛି ଆଉ କର୍ମଚାରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି ।
ଏବାବଦରେ ମଧ୍ୟ ହାଇକୋର୍ଟ ସ୍ପଷ୍ଟ ଆଭିମୁଖ୍ୟ ରଖି କହିଛନ୍ତି, ହୁଏତ ଗତ କିଛି ଦିନ ମଧ୍ୟରେ ଜାଗୀ ମଙ୍ଗତ ପଣ୍ଡାଙ୍କ କଂପାନୀ ନାଁରେ ଏକାଧିକ ମାମଲା ରୁଜ୍ଜୁ ହୋଇଛି, ହେଲେ ସବୁ ମାମଲାକୁ ଗୋଟିଏ ଦୃଷ୍ଟିକୋଣରୁ ଦେଖାଯାଇ ପାରିବ ନାହିଁ । ସବୁଗୁଡିକର ବିଚାର ଅଲଗା ଅଲଗା ହେବାର ଆବଶ୍ୟକତା ରହୁଛି । ତେଣୁ ଶାସକ ଦଳର ଇଙ୍ଗିତରେ ମାମଲା ସବୁ ହେଉଛି ବୋଲି ପିଟିସନରଙ୍କ ପକ୍ଷରୁ ଯେଉଁ ଯୁକ୍ତି ରଖାଯାଉଛି, ତାକୁ ଖାରଜ କରିବାର ଆବଶ୍ୟକତା ରହୁଛି ।
ସେହିଭଳି ରବୀ ସେଠୀଙ୍କ ଠାରୁ ଯେତେବେଳେ ଜମି ଓଡିଶା ଇନଫ୍ରାଟେକ ନାଁକୁ ଆସିଲା ସେତେବେଳେ କୈାଣସି ଆର୍ଥିକ କାରବାର ହୋଇନଥିଲା, ଏପରିକି ରବୀ ସେଠୀ ସ୍ପଷ୍ଟ ଭାବେ କହିଥିଲେ ତାଙ୍କୁ ଧମକ ଦିଆଯାଇଥିଲା ସାଦା କାଗଜରେ ଦସ୍ତଖତ କରିବା ପାଇଁ, ତେଣୂ ପିଟିସନରଙ୍କ ପକ୍ଷରୁ ଯାହା ଯୁକ୍ତି ଉପସ୍ଥାପନ କରାଯାଉଛି, ତାକୁ ଗ୍ରହଣ କରାଯାଇ ପାରିବ ନାହିଁ । ଅର୍ଥାତ୍ ବେଆଇନ କାରବାର କରି ନିଜକୁ ବଂଚାଇବାକୁ ଯାଇ ଅଯଥା ସରକାରଙ୍କ ଉପରେ ଦୋଷ ଲଦିବାକୁ ଯେଉଁ ଚକ୍ରାନ୍ତ ହୋଇଥିଲା, ତାହା ଫସର ଫାଟିଗଲା ।
ହେଲେ ଏହାପରେ ଚୁପ ରହିବା ବଦଳରେ ତଦନ୍ତରେ ସାହାଯ୍ୟ ସହଯୋଗ କରିବା ପରିବର୍ତ୍ତେ ଜାଗୀ ପଣ୍ଡା ଜାତୀୟ ଗଣମାଧ୍ୟମକୁ ଢାଲ କରିବା ଆରମ୍ଭ କଲେ । ହାଇକୋର୍ଟଙ୍କ ରାୟ ଆସିବା ପରେ ଦୁଇ ପୃଷ୍ଠାର ଏକ ପ୍ରେସ ରିଲିଜ ତାଙ୍କ ପକ୍ଷରୁ ଦିଆଗଲା । ଯେଉଁଥିରେ କୁହାଗଲା, କୈଣସି ଜାତୀୟ ଏଜେନସୀ ଦ୍ୱାରା ଏହାର ତଦନ୍ତ କରାଯାଉ । ଜାତୀୟ ଗଣମାଧ୍ୟମ ଏହି ପୁରା ମାମଲାର ନିରପେକ୍ଷ ରିପୋର୍ଟ ପ୍ରକାଶ କରୁ । ସେହିଭଳି ସରକାରୀ ସ୍ତରରେ ପଡୁଥିବା ଚାପ ଏବଂ ବିଜେଡିର ଭୂମିକାକୁ ମଧ୍ୟ ଏଥିରେ ଉଲ୍ଲେଖ କରିବାକୁ ଭୂଲି ନାହାନ୍ତି ଜାଗୀ ।
ହେଲେ ଯେଉଁ ଦିଗ ଗୁଡିକୁ ସେ ଭୁଲି ଯାଇଛନ୍ତି, ତାହା ପୁଣି ମନେ ପକାଇଦେବାର ଆବଶ୍ୟକତା ରହୁଛି । ଆଶା କରୁଛୁ, ଆମେ ପଚାରୁଥିବା ପ୍ରଶ୍ନର ସେ ସଠିକ ଆଉ ସ୍ପଷ୍ଟ ଉତ୍ତର ରଖିବେ…
୧- ସାରୁଅ ଜମି କାରବାରରେ ରବୀ ସେଠୀଙ୍କୁ ବ୍ୟବହାର କରାଯାଇଥିଲା କି?
୨- ରବୀ ସେଠୀଙ୍କୁ ଏତେ ପରିମାଣର ଅର୍ଥ କିଏ ଦେଇଥିଲା? ଟଙ୍କା କେଉଁଠୁ ଆସିଥିଲା?
୩- ଜମି ରବୀ ସେଠୀଙ୍କ ନାଁକୁ ଆସିବା ପରେ ଓଡିଶା ଇନଫ୍ରାଟେକ ଦଖଲକୁ କେମିତି ଗଲା?
୪- ଯଦି ରବୀ ସେଠୀଙ୍କ ଠାରୁ କଂପାନୀ ଜମି ନେଲା, ତାଙ୍କୁ କେତେ ଅର୍ଥ ପ୍ରଦାନ କରିଥିଲା?
୫- ପ୍ରଦାନ କରାଯାଇଥିବା ଅର୍ଥର କୈଣସି ତଥ୍ୟ କଂପାନୀ ପାଖରେ ରହିଛି କି?
୬- ଜମି କାରବାରରେ କଳାଧନର ବ୍ୟବହାର ହୋଇଛି କି?
୭- ଦଳିତଙ୍କ ଜମି କିଣିବାକୁ ଜଣେ ଦଳିତଙ୍କୁ ବ୍ୟବହାର କରିଥିଲା କି କଂପାନୀ?
୮- କାରସାଦି ଆଉ ଚଂଚକତା ଧରା ପଡିବା ପରେ ସରକାରଙ୍କୁ ଦୋଷ କାହିଁକି?
ଯେଉଁ ଜାତୀୟ ଗଣମାଧ୍ୟମ ସବୁକୁ ନିରପେକ୍ଷ ରିପୋର୍ଟ ପ୍ରକାଶ କରିବାକୁ ମ୍ୟାଡମ ଜାଗୀ ପଣ୍ଡା ଆହ୍ୱାନ ଦେଉଛନ୍ତି, ସେମାନେ ମଧ୍ୟ ଏସବୁ ପ୍ରଶ୍ନର ଉତ୍ତର ଖୋଜିବାର ଆବଶ୍ୟକତା ରହୁଛି । ନଚେତ ଲାଗିବ ଜାଗୀ ପଣ୍ଡାଙ୍କୁ ଦୃଷ୍ଟିରୁ ମିଛ ଖବରକୁ ଏକପାଖିଆ ଭାବେ ପ୍ରସାରିତ କରିବାକୁ ଉଦ୍ୟମ କରାଯାଉଛି ।