ଧର୍ମେନ୍ଦ୍ରଙ୍କ ପାଇଁ ଲମ୍ବା ଲାଇନ… ଅପରାଜିତା, ବୈଜୟନ୍ତଙ୍କ ବେଳକୁ ?
ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମହିଳା ସଂରକ୍ଷଣ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କଲେନି ଯେ, ବିଜେପି କିଭଳି ବିଚଳିତ ଆଉ ବିଭାଜିତ ତାର ସ୍ପଷ୍ଟ ପ୍ରମାଣ ସାରା ଓଡିଶାବାସୀ ପାଇଗଲେ । ଏକଥା ଉଣା ଅଧିକେ ସମସ୍ତେ ଜାଣିଥିଲେ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଭିତରେ ଅହି ନକୁଳ ସଂପର୍କ ରହିଛି । କିଏ କାହା ସହ ଭଲରେ ଦୁଇପଦ କଥା ହୁଅନ୍ତିନି । ଦିଲ୍ଲୀରେ ସମସ୍ତେ ପ୍ରତିପକ୍ଷର ଚେର କାଟିବାରେ ବ୍ୟସ୍ତ । ଗତ ୨୪ ଘଂଟା ଭିତରେ ଏମିତି କିଛି ଘଟଣା ଘଟିଛି, ଯାହା ସ୍ପଷ୍ଟ ଦର୍ଶାଉଛି ଦଳ କିଭଳି ବହୁ ଭାଗରେ ବିଭାଜିତ ହୋଇଯାଇଛି ।
ଧର୍ମେନ୍ଦ୍ର ପ୍ରଧାନଙ୍କୁ ମହିଳା ସଂରକ୍ଷଣ ନେଇ ପ୍ରଶ୍ନ କରିଥିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଆଉ ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ବଂଚାଇବାକୁ ନେତାଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଲାଣି । କେତେବେଳେ ଦଳର ପଦାଧିକାରୀ ତ ପୁଣି କେତେବେଳେ ବିରୋଧୀ ଦଳ ନେତା । ସମସ୍ତେ ବାହାରିଯାଇଛନ୍ତି ବବି ଦାସଙ୍କୁ ଜବାବ ଦେବାକୁ । ହେଲେ କେନ୍ଦ୍ରମନ୍ତ୍ରୀ କିନ୍ତୁ ଏଯାଏଁ ଚୁପ ଅଛନ୍ତି । ପଦୁଟିଏ ବି କାହିନାହାନ୍ତି । କାରଣ ସେ ଜାଣିଛନ୍ତି, ଯେଉଁ ପ୍ରସଙ୍ଗ ବିଜେଡି ଉଠାଇଛି, ତାହା ଅତି ସମ୍ବେଦନଶୀଳ । ବୁଝିବିଚାରୀ କାମନକଲେ ପୁଣୀ ଏକ ବଡ ଭୋଟବ୍ୟାଙ୍କ ଦଳ ବିରୋଧରେ ତିଆରି ହୋଇଯିବ ।
ହେଲେ ଯେଉଁ ଦିଗଟି ଆମେ ଆପଣଙ୍କ ସାମ୍ନାକୁ ଆଣିବାକୁ ଯାଉଛୁ ତାହାହେଲା, କେନ୍ଦ୍ରମନ୍ତ୍ରୀଙ୍କୁ ବବି ଦାସ ପ୍ରଶ୍ନ କଲେ ବୋଲି ଅନେକ ନେତା ସାମ୍ନାକୁ ଆସି ତାଙ୍କୁ ଜବାବ ଦେଲେ । ହେଲେ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବୈଜୟନ୍ତ ପଣ୍ଡାଙ୍କୁ ଯେତେବେଳେ ସରକାର ଅଡୁଆରେ ପକାଇଥିଲେ, ଅପରାଜିତାଙ୍କ ବିରୁଦ୍ଧରେ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଫେରାଦ ହୋଇଥିଲେ, ସେତେବେଳେ କେତେଜଣ ନେତା ଉଭୟଙ୍କୁ ସୁରକ୍ଷା ଦେବାକୁ ଆସିଥିଲେ । ରାଜ୍ୟ ବିଜେପିର ଦୋମୁହାଁ ନୀତି କଣ ପାଇଁ? କାହିଁକି କେବଳ ଧର୍ମେନ୍ଦ୍ରଙ୍କ ପାଇଁ ପୁରା ବିଜେପି ବିଚଳିତ । ନିର୍ବାଚନ ଲଢି ଜିତିଥିବା ଅପରାଜିତାଙ୍କୁ କାହିଁକି ରାଜ୍ୟ ବିଜେପି ହତାଦର କରୁଛି? ଯେମିତି କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷାରେ ଦଳ ବାହାରିଲା, ସେମିତି ଅନ୍ୟ ନେତାଙ୍କ ବେଳକୁ ଦଳ କାହିଁକି ବାହାରିଲାନି?
ବଡ କଥା ହେଉଛି, ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ପ୍ରଧାନ ଅଖଣ୍ଡ କ୍ଷମତାର ଅଧିକାରୀ ଥିଲେ । ଏବେ ସେ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । କୁହାଯାଉଛି, ସଂଗଠନରେ ବସିଥିବା ସବୁ ନେତା କୁଆଡେ ତାଙ୍କ ଅନୁଗତ । ହେଲେ ଦିଲ୍ଲୀରୁ ମିଳୁଥିବା ସୂଚନା ଅନୁସାରେ ଧର୍ମେନ୍ଦ୍ର କୁଆଡେ ଆଉ ଗୁଡବୁକରେ ନାହାନ୍ତି । ଅପରାଜିତା ଆଉ ବୈଜୟନ୍ତଙ୍କ କାନ୍ଧ ଉପରେ ଭରସା କରି ଦିଲ୍ଲୀ ନେତୃତ୍ୱ ଓଡିଶାରେ ଆଗକୁ ବଢିବାକୁ ଚାହୁଁଛନ୍ତି । ଦିଲ୍ଲୀକୁ ବାର୍ତ୍ତା ଯାଇଛି ଯେଉଁ ପର୍ଯ୍ୟନ୍ତ ଧର୍ମେନ୍ଦ୍ର ଓଡିଶା କଥାରେ ମୁଣ୍ଡ ଖେଳାଉଥିବେ ସେଯାଏଁ ଦଳ ଆଗକୁ ବଢିପାରିବ ନାହିଁ । ତେଣୁ ୨୦୧୯ ପରେ ଚୁପ ରହିଥିବା କେନ୍ଦ୍ରମନ୍ତ୍ରୀ ହଠାତ୍ ବିଳିବିଳେଇବା ଆରମ୍ଭ କରିଛନ୍ତି । ହେଲେ ତାଙ୍କ ପାଦ ତଳୁ ଯେ ମାଟି ଖସିଗଲାଣି, ଏକଥା ସେ ବୁଝିପାରୁନାହାନ୍ତି । ଶୁଣିବାକୁ ମିଳୁଛି, ନିଜ ଇଶାରାରେ ଯେଉଁ ନେତା କର୍ମୀଙ୍କୁ କେନ୍ଦ୍ରମନ୍ତ୍ରୀ ନଚାଉଛନ୍ତି, ସେମାନେ ଖୁବଶୀଘ୍ର ତାଙ୍କ ବିରୁଦ୍ଧରେ ବିଦ୍ରୋହ କରିପାରନ୍ତି ।