ବିଜେଡିକୁ କମବ୍ୟାକ୍ କରିବେ କି ବୈଜୟନ୍ତ?
ପଦ୍ମ ଦଳରେ ପଶ୍ଚାତାପ କରୁଛନ୍ତି କି ପଣ୍ଡା ବାବୁ?
ପୁରୁଣା ଦଳକୁ ଫେରିବାକୁ ଚାହୁଁଛନ୍ତି କି ପଣ୍ଡା ବାବୁ? ଅଥାର୍ତ ବିଜେଡିକୁ କମବ୍ୟାକ୍ କରିବାକୁ ମନ ବଳାଇଲେଣି କି ବୈଜୟନ୍ତ ପଣ୍ଡା । ଏ ପ୍ରସଙ୍ଗ ଏଥିପାଇଁ ଉଠୁଛି କାରଣ, ଆଜି ପ୍ରବାଦ ପୁରୁଷ ତଥା ଓଡ଼ିଶାର ଜନନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକରେ ଏମିତି କିଛି ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏହି ଚର୍ଚ୍ଚା ସେତେବେଳେ ଜନ୍ମ ନେଇଛି ଯେତେବେଳେ ବିଜୁଙ୍କୁ ମନେ ପକାଇଛନ୍ତି ଉଭୟ ବୈଜୟନ୍ତ ଓ ତାଙ୍କ ପାରିବାରିକ ମାଲିକାନାରେ ଥିବା ଗଣମାଧ୍ୟମ ସଂସ୍ଥା । ହଁ ଆପଣ କହିପାରନ୍ତି, ଦିବଙ୍ଗତ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇବାରେ ଅସୁବିଧା କେଊଁଠି । କଣ ଅନ୍ୟ ଗଣମାଧ୍ୟମ ଚ୍ୟାନେଲରେ ବିଜୁଙ୍କୁ ନେଇ ଖବର ପରିବେଷଣ କରାଯାଇନାହିଁ । ଏଭଳି ଯୁକ୍ତିକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି କିନ୍ତୁ ଏହାସତ୍ତ୍ୱେ ମଧ୍ୟ ବିଜୁଙ୍କ ଶ୍ରାଦ୍ଧବାର୍ଷିକକୁ ନେଇ ବୈଜୟନ୍ତଙ୍କ ଟ୍ୱିଟ୍ ଓ ତାଙ୍କ ପାରିବାରିକ ମାଲିକାନାରେ ଥିବା ଗଣମାଧ୍ୟମ ସଂସ୍ଥାରେ ଯେଉଁ ଢଙ୍ଗରେ ଆଜି ଖବର ପରିବେଷଣ କରାଯାଇଛି ତାହା ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।
ସକାଳେ ବିଜୁଙ୍କୁ ଅଙ୍କଲ ଭାବେ ଟ୍ୱିଟ୍ କରି ବୈଜୟନ୍ତ ମନେପକାଇବା ଓ ସନ୍ଧ୍ୟାରେ ବିଜୁଙ୍କ ଅନ୍ତିମ ସଂସ୍କାରରୁ ଓଟିଭିର ଖବରଯାତ୍ରା ଆରମ୍ଭ ହୋଇଥିବା ନେଇ ଉକ୍ତ ଗଣମାଧ୍ୟମର ପ୍ରାଇମ ଟାଇମରେ ଖବର ବାଜିବା କିଛି ଭିନ୍ନ ସଂକେତ ଦେଊଥିଲା । କାରଣ ପ୍ରାଇମ ଟାଇମର ଏହି ଷ୍ଟୋରୀରେ ବିଜୁଙ୍କ ଶେଷକୃତ୍ୟ ସମୟର ଭାବବିହ୍ୱଳ କଲା ଭଳି ଭିଜୁଆଲ ବ୍ୟବହାର କରାଯାଇଥିଲା । ଏପରିକି ନବୀନ ଓ ବୈଜୟନ୍ତ ନିକଟତର ଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଏହାବାଦ୍ ବୈଜୟନ୍ତଙ୍କ ଟ୍ୱିଟରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା । ଶେଷକୃତ୍ୟ ବେଳେ ନବୀନଙ୍କ ପଛରେ ଛିଡା ହୋଇଥିବାର ଫଟୋ ସେୟାର କରିଥିଲେ ବୈଜୟନ୍ତ । ବିଜୁଙ୍କ ଭଳି ବ୍ୟକ୍ତିତ୍ୱକୁ ପ୍ରଂଶସାରେ ପୋତି ପକାଇବା ସହ ବୈଜୟନ୍ତ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।
ତେବେ କୁହାଯାଉଛି ବିଜୁଙ୍କୁ ନେଇ ଏଭଳି ଭାବଭରା ଷ୍ଟୋରୀ ଉକ୍ତ ଗଣମାଧ୍ୟମରେ ପ୍ରଥମ ନୁହେଁ । ଦୀର୍ଘବର୍ଷ ପୂର୍ବେ ବିଜୁଙ୍କୁ ନେଇ ଏଭଳି ଏକ ସ୍ପେଶାଲ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଆଉ ସେତେବେଳେ ଏହି ଷ୍ଟୋରୀ ମାଧ୍ୟମରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ବିଜେଡି ରାଜନୀତିରେ ବୈଜୟନ୍ତଙ୍କ ଦବଦବା ବଢାଇବା ସହ ଇମେଜ ବା ଭାବମୂର୍ତ୍ତିକୁ ଉପରକୁ ଉଠାଇବାକୁ ପ୍ରୟାସ କରାଯାଇଥିଲା ବୋଲି ଚର୍ଚ୍ଚା ହୁଏ । କିନ୍ତୁ ବିଜେଡିକୁ ବାଏ ବାଏ କରିବା ପରେ ବିଜୁଙ୍କୁ ନେଇ ଉକ୍ତ ଗଣମାଧ୍ୟମ ସଂସ୍ଥାରେ ଏତେଟା ସକ୍ରିୟତା ଦେଖିବାକୁ ମିଳିନଥିଲା । କିନ୍ତୁ ଆଜି ବିଜୁଙ୍କୁ ନେଇ କେବଳ ଟିଭି କିମ୍ବା ଟ୍ୱିଟରେ ନୁହେଁ ଡିଜିଟାଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ ଥିଲା ବୈଜୟନ୍ତ ପାରିବାରିକ ମାଲିକାନାର ଥିବା ଗଣମାଧ୍ୟମ ସଂସ୍ଥା । ଭାବବିହ୍ୱଳ ପୋଷ୍ଟ, ଶେଷକୃତ୍ୟର ସେହି ଆଖିଭିଜା ଦୃଶ୍ୟକୁ ସାମ୍ନାକୁ ଆଣିବା ପଛର କାରଣ କଣ? ହଠାତ୍ ଏଭଳି ଭକ୍ତି କାହିଁକି? ଚଳିତବର୍ଷ ଭଳି ଗତ ବର୍ଷ ତ କାଇଁ ବିଜୁଙ୍କୁ ନେଇ ଏତେ ଭାବବିହ୍ୱଳ ହୋଇନଥିଲା ଉକ୍ତ ଗଣମାଧ୍ୟମ ସଂସ୍ଥା ।
କଣ ଏଭଳି କରି ବିଜେଡି ମୁଖିଆଙ୍କ ମନ ଜିଣିବା ସହ ସବୁଜ ଶିବିରକୁ ଫେରିବାକୁ ଚାହୁଁଛନ୍ତି କି ବୈଜୟନ୍ତ?
ଏକଥା ଏଥିପାଇଁ କୁହାଯାଉଛି, କାରଣ ରାଜ୍ୟ ପଦ୍ମ ପୋଖରୀରେ ଏଯାଏଁ ବୈଜୟନ୍ତଙ୍କୁ ସେତେଟା ଗୁରୁତ୍ୱ ମିଳିନାହିଁ । ଏପରିକି ବିଜେପିର ରାଜ୍ୟ ଚେହେରା ତାଲିକାରୁ ମଧ୍ୟ ବୈଜୟନ୍ତ ଏକପ୍ରକାର ବାଦ୍ ପଡିସାରିଲେଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟ ଚେହେରା ଭାବେ ଯେଉଁ କିଛି ନେତାଙ୍କ ନାଁ ସାମ୍ନାକୁ ଆସୁଛି ସେମାନଙ୍କ ସହ ବୈଜୟନ୍ତଙ୍କର ଶୀତଳ ଯୁଦ୍ଧ ଚାଲିଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ତେଣୁ ରାଜ୍ୟ ବିଜେପିର ରାଜନୀତିରେ ବୈଜୟନ୍ତ ଏବେ ଏକପ୍ରକାର ଏକଘରକିଆ ବା କୋଣଠେସା ହୋଇ ରହିଥିବା କୁହାଯାଉଛି । ତେବେ ରାଜନୀତିରେ ସବୁବେଳେ ଉଚ୍ଚ ସ୍ୱପ୍ନ ଦେଖୁଥିବା ବୈଜୟନ୍ତଙ୍କ ପକ୍ଷେ ଏହା ଏକପ୍ରକାର ଅସହ୍ୟ ହେଲାଣି ବୋଲି ଶୁଣିବାକୁ ମିଳୁଛି । କେବଳ ଦଳୀୟ ପଦବୀ ଦେଇ ବୈଜୟନ୍ତଙ୍କୁ ସନ୍ତୁଷ୍ଟ କରାଯାଇଛି, କିନ୍ତୁ ଦଳୀୟ ମାମଲାରେ ବୈଜୟନ୍ତ ସେମିତି ଅଲୋଡା ହୋଇ ରହିଥିବା କୁହାଯାଉଛି । ଯେଉଁଥିପାଇଁ ପଦ୍ମ ଦଳକୁ ଆସି ହୁଏତ ପଶ୍ଚାତାପ କରୁଥାଇପାରନ୍ତି ବୈଜୟନ୍ତ । କାରଣ ୨୦୧୭ ପୂର୍ବରୁ ବୈଜୟନ୍ତଙ୍କୁ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ବୋଲି ମଧ୍ୟ କୁହାଯାଉଥିଲା । ତେଣୁ ପୁଣିଥରେ ପୁରୁଣା ଦଳକୁ ଫେରି ବଡ ଭୂମିକାରେ ନଜର ଆସିବାକୁ ମନ ବଳାଇଥାଇପାରନ୍ତି ବୈଜୟନ୍ତ । ଯେଉଁଥିପାଇଁ ଆଜି ଗୋଟିଏ ଦିନ ପାରିବାରିକ ମାଲିକାନାରେ ଥିବା ଗଣମାଧ୍ୟମ ଓ ଏହାର ଡିଜିଟାଲ ପ୍ଲାଟଫର୍ମକୁ ବିଜୁଙ୍କ ଉଦ୍ଦେଶ୍ୟରେ ବୋଧହୁଏ ସର୍ମପି ଦେଇଥିଲେ ବୈଜୟନ୍ତ । ଆଉ ତାହା ବି କେବଳ ବିଜେଡ଼ି ସୁପ୍ରିମୋଙ୍କ ବିଶ୍ୱାସ ଜିଣିବାକୁ ବୋଲି ଚର୍ଚ୍ଚା ହେଉଛି ।