ବିଜେପିର ଭରସା ଭର୍ତ୍ତୃହରି!
ବିଜେପିର ମହତାବ କାର୍ଡ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ପରେ ପରେ ରାଜ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସାଂସଦ ଭର୍ତ୍ତୃହରି ମହାତାବଙ୍କୁ ପ୍ରଂଶସା କରିବା କେଉଁଠି ନା କେଉଁଠି ନୂଆ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଏପରିକି ଭର୍ତ୍ତୃହରି ମଧ୍ୟ ପଦ୍ମ ପୋଖରୀ ମୁହାଁ ହେଉଥିବା ଶୁଣିବାକୁ ମିଳୁଛି । ଏଭଳି ଚର୍ଚ୍ଚାରେ କଣ ସତ୍ୟତା ରହିଛି ତାହା ତ ପଛ କଥା । କିନ୍ତୁ ଭର୍ତ୍ତୃହରିଙ୍କ ପ୍ରତି ହଠାତ୍ ଏଭଳି ଆଭିମୁଖ୍ୟ ପଛରେ ବିଜେପିର ଷ୍ଟ୍ରାଟେଜି କଣ ଥାଇପାରେ ତାହାର ଆକଳନ କରିବାର ମଧ୍ୟ ଆବଶ୍ୟକତା ରହିଛି ।
ଭର୍ତ୍ତୃହରିଙ୍କୁ ଗେରୁଆ କ୍ୟାମ୍ପରେ ସାମିଲ କଲେ ବିଜେପିକୁ ସେତେଟା ଫାଇଦା ନ ମିଳିପାରେ ଏକଥା ସତ । ଏହାଛଡା ଭର୍ତ୍ତୃହରି ପଦ୍ମ କ୍ୟାମ୍ପକୁ ଗଲେ ବିଜେଡି ଶିବିରକୁ ମଧ୍ୟ ସେତେଟା କ୍ଷତି ପହଞ୍ଚିବନି । ଏହାସତ୍ତ୍ୱେ ମଧ୍ୟ ଭର୍ତ୍ତୃହରିଙ୍କ ପ୍ରତି ବିଜେପିର ଥିବା ସଫ୍ଟ କର୍ଣ୍ଣର ପଛର ସବୁଠୁ ବଡ କାରଣ ବାପା ହରେକୃଷ୍ଣ ମହତାବ ବୋଲି ଚର୍ଚ୍ଚା ହେଉଛି । ବିଜେଡି ଯେମିତି ବିଜୁ ପଟ୍ଟନାୟକଙ୍କ ନାଁରେ ଭୋଟବ୍ୟାଙ୍କ ତିଆରି କରିଛି, ଠିକ୍ ସେହିଭଳି ଭୋଟବ୍ୟାଙ୍କ ତିଆରି କରିବାକୁ ହରେକୃଷ୍ଣ ମହତାବଙ୍କ ନାଁକୁ ସାମ୍ନାକୁ ଆଣିବାକୁ ଯୋଜନା ପ୍ରସ୍ତୁତ କରୁଥାଇପାରେ ବିଜେପି । ଯେଉଁଥିପାଇଁ ବାରମ୍ବାର ଓଡିଶା ପ୍ରତି ହରେକୃଷ୍ଣ ମହାତାବଙ୍କ ଅବଦାନକୁ ବାରମ୍ବାର ମନେ ପକାଇ ଦେଉଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । ସ୍ୱାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ଓଡ଼ିଶାର ବିକାଶ, ପ୍ରତିଟି କ୍ଷେତ୍ରରେ ମହାତାବଙ୍କ ଅବଦାନ କଣ ତାହା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରାଯାଉଛି । ଆଉ ଏଭଳି କରି ବିଜୁଙ୍କ ଭାବମୂର୍ତ୍ତିକୁ ଟକ୍କର ଦେବା ଭଳି ଋଣନୀତି ବିଜେପି ପ୍ରସ୍ତୁତ କରୁଥିବା ନେଇ ରାଜନୈତିକ ପଣ୍ଡିତ ମାନେ ଆକଳନ କରୁଛନ୍ତି ।
ତେବେ ବିଜୁଙ୍କ ଭାବମୂର୍ତ୍ତିକୁ ଟକ୍କର ଦେବାକୁ ମହତାବ କାହିଁକି, ଏଭଳି ପ୍ରଶ୍ନ ମନରେ ଉଠିବା ସ୍ୱାଭାବିକ । ଆଉ ଏହା ପଛର ସବୁଠୁ ବଡ କାରଣ ହେଲା, ଓଡିଶା ଗଠନରେ ଉଭୟଙ୍କର ଅବଦାନ । ଜଣେ ଆଧୁନିକ ଓଡ଼ିଶାର ନିର୍ମାତା ଓ ଅନ୍ୟ ଜଣେ ନବ ଉତ୍କଳର ନିର୍ମାତା । ରାଜନୈତିକ ଗୁରୁ ହରେକୃଷ୍ଣ ମହତାବ ହୋଇଥିବା ସତ୍ତ୍ୱେ ମଧ୍ୟ ଓଡ଼ିଶା ରାଜନୀତିର ପୃଷ୍ଠା ଖେଳାଇଲେ ଆଗ ଖୋଜାପଡନ୍ତି ବିଜୁ ବାବୁ । ଏବଂ ହରେକୃଷ୍ଣ ମହତାବଙ୍କ ପରିଚୟ କହିଲେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ରୂପେ ସୀମିତ । କିନ୍ତୁ ଏବେ ପୁଣିଥରେ ବିଜୁଙ୍କ ଭାବମୂର୍ତ୍ତିକୁ ଟକ୍କର ଦେବାକୁ ମହତାବଙ୍କ ଓଡ଼ିଶା ପ୍ରତି ଥିବା ଅବଦାନକୁ ଉଜ୍ଜିବୀତ କରିବାକୁ ଗେରୁଆ କ୍ୟାମ୍ପ ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ଯେମିତି ଜାତୀୟସ୍ତରରେ ସର୍ଦ୍ଦାର ପଟେଲଙ୍କ ଫର୍ମୁଲାକୁ ଆପଣାଇଥିଲା ବିଜେପି । ଗାନ୍ଧୀଙ୍କ ନାଁରେ କଂଗ୍ରେସ ପାଖରେ ପକେଟ ଭୋଟବ୍ୟାଙ୍କ ରହିଥିବା ବେଳେ ସର୍ଦ୍ଦାର ପଟେଲଙ୍କୁ ଆଗକୁ ଆଣି ବିଜେପି ଜାତୀୟ ସ୍ତରରେ ଯେଉଁ ଫାଇଦା ପାଇଛି ସେହି ଫର୍ମୁଲା ଓଡ଼ିଶାରେ ଲାଗୁ କରିବାକୁ ଗେରୁଆ କ୍ୟାମ୍ପ ଚାହୁଁଥିବା କୁହାଯାଉଛି । ଅଥାର୍ତ ବିଜୁଙ୍କ ଭାବମୂର୍ତ୍ତିକୁ ଟକ୍କର ଦେବା ପାଇଁ ମହାତାବଙ୍କ ଠାରୁ ବଡ ବ୍ୟକ୍ତିତ୍ୱ ବୋଧ ହୁଏ ଆଉ କେହି ନାହିଁ, ଏହା ବୋଧହୁଏ ବେଶ ଭଲଭାବେ ବୁଝି ସାରିଛି ବିଜେପି ।ଯେଉଁଥିପାଇଁ ହରେକୃଷ୍ଣ ମହତାବଙ୍କୁ ରାଜ୍ୟରେ ସେହିଭଳି ଏକ ଚେହେରା ଭାବେ ବିଜେପି ସାମ୍ନାକୁ ଆଣିବାକୁ ଚେଷ୍ଟା କରିପାରେ ଯାହା ମାଧ୍ୟମରେ ଏକ ବଡଧରଣର ଭୋଟବ୍ୟାଙ୍କ ତିଆରି ହୋଇପାରିବ । ଆଉ ପରବର୍ତ୍ତୀ ସମୟରେ ଭର୍ତ୍ତୃହରିଙ୍କ ଭାୟା ଦେଇ ଏହା ପଦ୍ମ ପୋଖରୀକୁ ଆସିପାରିବ । ଯେମିତି ବିଜୁଙ୍କ ନାଁରେ ବିଜେଡି ପାଖକୁ ଭୋଟ ଯାଉଛି । ତେଣୁ ପୁଅ ଭର୍ତ୍ତୃହରି ଏବେ ବିଜେପିର ଗୁଡବୁକରେ ରହିଛନ୍ତି ବୋଲି କୁହାଯାଉଛି । ଅଥାର୍ତ ଏବେ ଭର୍ତ୍ତୃହରିଙ୍କ ଭରସାରେ ବିଜେପି ରହିଥିବା ଚର୍ଚ୍ଚା ହେଉଛି ।