THE BYAPINI

ପଦ୍ମ ଦଳର ପ୍ରକୃତି ବଦଳିଲାଣି !

Get real time updates directly on you device, subscribe now.

ଦିନକୁ ଦିନ କରୋନାର ଭିନ୍ନ ଭିନ୍ନ ମ୍ୟୁଟାଣ୍ଟ ଦେଖିବାକୁ ମିଳୁଛି । ଠିକ୍ ସେହିଭଳି ଏବେ ବିଜେପି ରାଜନୀତିରେ ନୂଆ ଭାରିଆଣ୍ଟ ଦେଖିବାକୁ ମିଳୁଛି । ନୂଆ ନେତାଙ୍କୁ ନେଇ ନୂଆ ଷ୍ଟ୍ରାଟେଜି । କିଛି ଏଭଳି ଭାରିଆଣ୍ଟ ଏବେ ପଦ୍ମ ପୋଖରୀରେ ପ୍ରବେଶ କରିଛି । ଦେଶରେ ଅପରେସନ ଲୋଟସକୁ ଆଗକୁ ନେବାକୁ ଏବେ ଅଣ୍ଟା ଭିଡିଛି ବିଜେପି । ଅଥାର୍ତ ପୂରା ଦେଶକୁ ଗେରୁଆମୟ କରିବାକୁ ଆରମ୍ଭ ହୋଇଛି ଋଣନୀତି । ଆଉ ବିଜେପି ଚାଣକ୍ୟଙ୍କ ଏହି ଋଣନୀତିର ସବୁଠୁ ବଡ ଅଂଶବିଶେଷ ହେଉଛି ଆମଦାନୀ ନେତାଙ୍କ ଅଚ୍ଛେଦିନ । ଆସାମ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ୱଶର୍ମା ଶପଥ ନେବା ଓ ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଦାୟିତ୍ୱ ଦିଆଯିବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଦଳର ପୁରୁଖା ନେତାଙ୍କୁ ସାଇଡଲାଇନ କରି ଏହି ଦୁଇ ନେତାଙ୍କ ଉପରେ ଭରସା କରିଛନ୍ତି ବିଜେପିର ଥିଙ୍କଟ୍ୟାଙ୍କ୍ । କୁହାଯାଉଛି ଏବେ ପୂରା ଦେଶକୁ ଗେରୁଆମୟ କରିବାକୁ ଆମଦାନୀ ନେତାଙ୍କ ଉପରେ ଭରସା କରିପାରେ ବିଜେପି ।
ପୂର୍ବରୁ ଆମଦାନୀ ନେତାଙ୍କୁ ନେଇ ଦଳର ଏଭଳି ଆଭିମୁଖ୍ୟ ନଥିଲା । ସଂଘ ବ୍ୟାକଗ୍ରାଉଣ୍ଡରୁ ଆସିଥିବା ନେତାଙ୍କୁ ହିଁ ଦଳରେ ଅଧିକ ପ୍ରାଥମିକତା ମିଳୁଥିଲା । ସଂଘ ପୃଷ୍ଠଭୂମି ଥିଲେ ଦଳରେ ଭଲ ପଦ ପଦବୀ ମିଳିବ ଏଭଳି ଏକ ଧାରଣା ସୃଷ୍ଟି ହୋଇଥିଲା । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାର ଏକ ବଡ ଉଦାହରଣ । କିନ୍ତୁ ବର୍ଷ ବର୍ଷ ଧରି ବିଜେପିରେ ଚାଲି ଆସିଥିବା ଏହି ଟ୍ରେଣ୍ଡରେ ପରିବର୍ତ୍ତନ କରାଯିବା ନେଇ ଆସାମରୁ ଆଭାସ ଦେଇଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । ତେବେ ଏହି ଟ୍ରେଣ୍ଡ କେଉଁ ରାଜ୍ୟ ଉପରେ କିଭଳି ପ୍ରଭାବ ପକାଇବ ତାହା ଅଧିକ ରୋଚକ ସ୍ଥିତି ସୃଷ୍ଟି କରିଛି । ଯଦି ଯୋଗ୍ୟ ଆମଦାନୀ ନେତାଙ୍କୁ ସୁଯୋଗ ଦେଇ ଦଳ ଆଗକୁ ବଢିବାକୁ ବାସ୍ତବରେ ନୀଳନକ୍ସା ପ୍ରସ୍ତୁତ କରୁଥାଏ ତେବେ ଓଡ଼ିଶା ବିଜେପି ରାଜନୀତିରେ ରୋଚକ ସ୍ଥିତି ସୃଷ୍ଟି ହୋଇପାରେ ।

୨୦୧୪ ନିର୍ବାଚନ ସମୟରୁ ହିଁ ପଦ୍ମ ଦଳର ଫୋକସରେ ଓଡ଼ିଶା ରହିଛି । କିନ୍ତୁ ଗତ ୨ଟି ନିର୍ବାଚନରେ ଦଳ ସେତେଟା ସଫଳ ହୋଇପାରିନାହିଁ । ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସାଧାରଣ ନିର୍ବାଚନରେ ଦଳ ଚକମା ଖାଇଛି । ଦିଲ୍ଲୀ ଦରବାରର ପାୱାରଫୁଲ ଚେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଷ୍ଟ୍ରାଟେଜିରେ ଦଳ ଓଡ଼ିଶାରେ ନିର୍ବାଚନ ଲଢିଥିଲେ ମଧ୍ୟ କ୍ଷମତା ରେସରୁ ଏବେ ବି ଢେର ପଛରେ ରହିଛି । ଓଡ଼ିଶା ବିଜେପିର ଚେହେରା କୁହାଯାଉଥିବା ଧର୍ମେନ୍ଦ୍ରଙ୍କୁ ବାରମ୍ବାର ସୁଯୋଗ ଦିଆଯାଇଥିଲେ ମଧ୍ୟ ଦଳ ଏଯାଏଁ ସଫଳତାର ସ୍ୱାଦ ଚାଖିପାରିନି । ମୋଦି ହାୱା ସତ୍ତ୍ୱେ ମଧ୍ୟ ରାଜ୍ୟରେ ଗେରୁଆ ବାନା ଉଡାଇବାକୁ ସକ୍ଷମ ହୋଇପାରି ନାହାନ୍ତି ମୁକୁ । ଯାହା ପାୱାରଫୁଲ ମିନିଷ୍ଟରଙ୍କ ସାଙ୍ଗଠନିକ ଦକ୍ଷତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋଟିଏ ପଟେ ମୁକୁଙ୍କ ବିଫଳତାର ତାଲିକା ଲମ୍ବୁଥିବା ବେଳେ ଅନ୍ୟପଟେ ଦିଲ୍ଲୀ ଦରବାରର ବିଶ୍ୱାସ ଜିଣି ଚାଲିଛନ୍ତି ଆମଦାନୀ ନେତାଙ୍କ ସମେତ କିଛି ନୂଆ ଚେହେରା । ଯେଉଁ ଲିଷ୍ଟରେ ରହିଛନ୍ତି ବୈଜୟନ୍ତ, ଅପରାଜିତାଙ୍କ ଭଳି ଲୋକପ୍ରିୟ ଚେହେରା । ଏଭଳି ସ୍ଥିତିରେ ଆସାମ ଓ ପଶ୍ଚିମବଙ୍ଗ ଫର୍ମୁଲା ଓଡ଼ିଶାରେ ଲାଗୁ କରିବାକୁ ବିଜେପିର ଶୀର୍ଷ ନେତୃତ୍ୱ ଯଦି ମନ ବଳାନ୍ତି ତେବେ ମୁକୁଙ୍କ ରାଜନୈତିକ ଭବିଷ୍ୟତ ପାଇଁ କଣ୍ଟା ସାଜିପାରନ୍ତି ଅପରାଜିତା ଓ ବୈଜୟନ୍ତ ।

ଉଭୟ ବୈଜୟନ୍ତ ଓ ଅପରାଜିତାଙ୍କ ପଛରେ ସଂଘର ଟ୍ୟାଗ୍ ଲାଗିନି ସତ କିନ୍ତୁ ଦୁହେଁ ଯୁବଗୋଷ୍ଠୀଙ୍କ ମଧ୍ୟରେ ବେଶ ଲୋକପ୍ରିୟ । ଯୁବଗୋଷ୍ଠୀ ଏଥିପାଇଁ କହିଲୁ କାରଣ ଉଭୟ ସୋସିଆଲ ମିଡ଼ିଆରେ ପସନ୍ଦର ନେତା । ଆଉ ସୋସିଆଲ ମିଡ଼ିଆର ବ୍ୟବହାର ଅଧିକାଂଶ ଯୁବଗୋଷ୍ଠୀ ହିଁ କରିଥାନ୍ତି । ସଂଘ ପୃଷ୍ଠଭୂମିରୁ ଆସିନଥିବାରୁ ଉଭୟ ନେତାଙ୍କୁ ଦଳରେ ସେତେଟା ଗୁରୁତ୍ୱ ମିଳୁନି ସତ । ଏହାସତ୍ତ୍ୱେ ମଧ୍ୟ ତୃଣମୂଳସ୍ତରରେ ଉଭୟ ନେତାଙ୍କର କ୍ରେଜ ରହିଛି । ଏଭଳିସ୍ଥଳେ ଦଳର ଆସାମ ଓ ପଶ୍ଚିମବଙ୍ଗ ଫର୍ମୁଲା ଉଭୟ ନେତାଙ୍କ ମନରେ ଆଶା ବଢାଇବା ସ୍ୱାଭାବିକ । ଯେହେତୁ ବୈଜୟନ୍ତ ଆସାମର ପ୍ରଭାରୀ ରହିଥିଲେ ତେଣୁ ଅନ୍ୟ ରାଜ୍ୟକୁ ନେଇ ବିଜେପିର ଆଗକୁ ଆଭିମୁଖ୍ୟ କଣ ରହିବ ସେ ବାବଦରେ କିଛି ସଂକେତ ପାଇଥିବେ ନିଶ୍ଚୟ । ଅନ୍ୟପଟେ ମହିଳା କାର୍ଡ ଆଶାରେ ରହିଛନ୍ତି ଅପରାଜିତା । କାରଣ ବିପକ୍ଷ ବିଜେଡିର ସବୁଠୁ ବଡ ଭୋଟବ୍ୟାଙ୍କ ହେଉଛି ମହିଳା । ତେଣୁ ବିଜେଡିର ଏହି ଭୋଟବ୍ୟାଙ୍କକୁ ଭାଙ୍ଗିବାକୁ ହେଲେ ମହିଳା ଚେହେରା ଭାବେ ଦଳର ଶୀର୍ଷ ନେତୃତ୍ୱ ତାଙ୍କ ଉପରେ ଅଧିକ ଭରସା କରିପାରେ ବୋଲି ଭାବୁଥାଇପାରନ୍ତି ଅପରାଜିତା । ଯଦି ଏଭଳି ଚର୍ଚ୍ଚାକୁ ଦଳ ପକ୍ଷରୁ ଗ୍ରୀନ୍ ସିଗନାଲ ମିଳେ ତେବେ ସର୍ବାନନ୍ଦଙ୍କ ଭଳି ପାୱାର କରିଡରରୁ ପୁରୁଖା ଧର୍ମେନ୍ଦ୍ରଙ୍କୁ ଆଉଟ ହେବାକୁ ପଡିପାରେ ନଚେତ ଦିଲ୍ଳୀ ଦରବାର ଭିତରେ ସୀମିତ ରହିବାକୁ ପଡିପାରେ । ଆଉ ଯଦି ଏପରି ହୁଏ ତେବେ ବିଜେପି ଦଳରେ ଆମଦାନୀ ନେତାଙ୍କ ଆଚ୍ଛେଦିନ ଆସୁଥିବା ନେଇ ବାର୍ତ୍ତା ବାହାରକୁ ଆସିବ । ଏହାଦ୍ୱାରା ବିଜେପି ପ୍ରତି ଆମଦାନୀ ନେତାଙ୍କ ବିଶ୍ୱାସ ଓ ଭରସା ବଢିବ । ଏହାବାଦ୍ ବିଜେପିରେ ଉଜ୍ଜଳ ଭବିଷ୍ୟତ ପାଇଁ ସୁଯୋଗ ଖୋଜୁଥିବା ବିରୋଧୀ ଦଳର ନେତାଙ୍କୁ ଏହା ବାଟ ଦେଖାଇବ ।

Get real time updates directly on you device, subscribe now.

Leave A Reply

Your email address will not be published.