THE BYAPINI

ପିପିଲି କଥା ବୁଝୁନାହାନ୍ତି କି ଧର୍ମେନ୍ଦ୍ର?

Get real time updates directly on you device, subscribe now.


ପିପିଲି ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ମୈଦାନକୁ ଓହ୍ଲାଇବା ପୂର୍ବରୁ ଚାଲିଛି ଯୁଦ୍ଧ ଜିତିବାକୁ ପ୍ରସ୍ତୁତି । ପୁଣିଥରେ ପିପିଲିରେ ଶଙ୍ଖନାଦ କରିବାକୁ ବିଜେଡି ମାଷ୍ଟରପ୍ଲାନ କରୁଥିବା ବେଳେ କଂଗ୍ରେସ ମଧ୍ୟ ପିପିଲିରେ ହାତ ଉଠାଇବାକୁ ଦୃଢୋକ୍ତି ପ୍ରକାଶ କରିଛି । ଆଉ ଏହା ଭିତରେ ଗେରୁଆ କ୍ୟାମ୍ପ କେମିତି ବା ପଛରେ ରୁହନ୍ତା । ପିପିଲିରେ ପଦ୍ମ ଫୁଟାଇବାକୁ ବିଜେପି ବନ୍ଦ କୋଠରୀ ଭିତରେ ବ୍ଲୁ-ପ୍ରିଣ୍ଟ କରୁଛି । କିନ୍ତୁ ରାଜ୍ୟ ବିଜେପିରେ ପୋଷ୍ଟରବୟ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିପିଲି ପଲିଟିକ୍ସରୁ ସତେ ଯେପରି ଦୂରେଇ ରହିଥିବା ଭଳି ଅନୁଭୂତ ହେଉଛି । ଆଉ ଏହା ଭିତରେ ଚର୍ଚ୍ଚା ହେଉଛି, ଧର୍ମେନ୍ଦ୍ର ବୁଝୁନାହାନ୍ତି ପିପିଲି କଥା? ଆଉ ଏଭଳି ଚର୍ଚ୍ଚା ହେବା ପଛର ବଡ କାରଣ ମଧ୍ୟ ରହିଛି, ଯାହାକୁ ତର୍ଜମା କଲେ କିଛି ଏହିଭଳି ବି ସଂକେତ ମିଳୁଛି ।

ପିପିଲି ବାଜି ଜିତିବାକୁ ବିଜେପି କ୍ୟାମ୍ପ ପକ୍ଷରୁ ଲଗାତାର ବୈଠକ ବସୁଛି । ପ୍ରାର୍ଥୀ କିଏ ହେବ ତାହା ସ୍ଥିର ହୋଇନାହିଁ ସତ କିନ୍ତୁ ପିପିଲିରେ କେମିତି ଗେରୁଆ ବାନା ଉଡିବ ସେଥିପାଇଁ ଋଣକୌଶଳ ପ୍ରସ୍ତୁତିରେ ଲାଗିଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । ନୂଆ ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କ ଠାରୁ ଆରମ୍ଭ କରି ଦଳର ରାଜ୍ୟ ସଭାପତି ଏପରିକି ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ପିପିଲି ଦଖଲ ପାଇଁ ନୀଳନକ୍ସା ପ୍ରସ୍ତୁତିରେ ଜି ଜାନ୍ ଲଗାଇଛନ୍ତି । କିନ୍ତୁ ଏହି ପୂରା ଦୃଶ୍ୟପଟ୍ଟରେ ନଜରକୁ ଆଦୌ ଆସୁନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଲଗାତାର ଦୁଇଥର କବାଟକିଳା ବୈଠକ ହୋଇଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କର ଦର୍ଶନ ମିଳିନି । ଯାହା ପିପିଲି ପାଇଁ ପଦ୍ମ ପଲିଟିକ୍ସକୁ ଆହୁରି ରୋଚକ କରିଛି ।

ଉପ-ନିର୍ବାଚନରେ ପଦ୍ମ ଦଳର ପରାଜୟ
ପିପିଲି ଉପ-ନିର୍ବାଚନ ପାଇଁ ପଦ୍ମ ଦଳ ପକ୍ଷରୁ ଏଯାଏଁ କୌଣସି ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇନାହିଁ ସତ । ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହେବା ପରେ ସ୍ପଷ୍ଟ ହେବ ଯେ, ଧର୍ମେନ୍ଦ୍ରଙ୍କର ପିପିଲି ଉପ-ନିର୍ବାଚନରେ ସିଧାସଳଖ ସଂପୃକ୍ତି ରହିବ କି ନାହିଁ । କିନ୍ତୁ ଏଯାଏଁ ଧର୍ମେନ୍ଦ୍ରଙ୍କର ସାଇଡଲାଇନ ହେବା ପଛରେ ଯେଉଁ ଦିଗ ଗୁଡିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ତାହା ବିଜେଡି ପାଇଁ ଆର୍ଶୀବାଦ ପାଲଟିପାରେ । କୁହାଯାଉଛି ପିପିଲି ଉପ-ନିର୍ବାଚନକୁ ନେଇ ଧର୍ମେନ୍ଦ୍ର ଏଯାଏଁ ଆକ୍ଟିଭମୋଡକୁ ନ ଆସିବା ପଛର ସବୁଠୁ ବଡ କାରଣ ପୂର୍ବ ଉପ-ନିର୍ବାଚନ ଗୁଡିକରେ ବିଜେପିର ପରାଜୟ । ଧର୍ମେନ୍ଦ୍ର ରାଜ୍ୟ ବିଜେପିର ବଡ ଚେହେରା ଭାବେ ସାମ୍ନାକୁ ଆସିବା ପରେ ରାଜ୍ୟରେ ୫ଟି ଉପ-ନିର୍ବାଚନ ହୋଇଛି । ଆଉ ପ୍ରତିଟି ଉପ-ନିର୍ବାଚନରେ ପଦ୍ମ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି । ଯେଉଁଥିରେ ବିଜେପୁର ଓ ପାଟକୁରା ଭଳି ହାଇ ଭୋଲଟେଜ ଆସନ ରହିଛି । ଏହି ୫ ଉପ-ନିର୍ବାଚନରେ ଧର୍ମେନ୍ଦ୍ରଙ୍କର ଋଣନୀତି ଅନୁସାରେ ବିଜେପି ମୈଦାନକୁ ଓହ୍ଲାଇଥିଲା ବୋଲି ଚର୍ଚ୍ଚା ହୁଏ । କିନ୍ତୁ ପ୍ରତିଟି ନିର୍ବାଚନରେ ବିଜେପିର ପରାଜୟ ଧର୍ମେନ୍ଦ୍ରଙ୍କର ରାଜନୈତିକ ଭାବମୂର୍ତ୍ତି ଓ ପତିଆରାକୁ ହ୍ରାସ କରୁଥିବା ନେଇ ସଂକେତ ଦେଇଛି । ତେଣୁ ପୁଣିଥରେ ଉପ-ନିର୍ବାଚନ ପରାଜୟର ବୋଝ ନିଜ ମୁଣ୍ଡରେ ଲଦିବାକୁ ବୋଧହୁଏ ଚାହୁଁନାହାନ୍ତି ଧର୍ମେନ୍ଦ୍ର ।

ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପରାଜୟକୁ ନା!
ପିପିଲି ଉପ-ନିର୍ବାଚନ ପରେ ଆଗକୁ ରାଜ୍ୟରେ ହେବ ପୌର ଓ ପଞ୍ଚାୟତ ନିର୍ବାଚନ । ୨୦୨୪ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ସେମିଫାଇନାଲ ସଦୃଶ । ତେଣୁ ଏହି ନିର୍ବାଚନ ପୂର୍ବରୁ କୌଣସି ରିସ୍କ ନେବାକୁ ଚାହୁଁନଥାଇପାରନ୍ତି ଧର୍ମେନ୍ଦ୍ର । କାରଣ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଯେଉଁଭଳି ପ୍ରଦର୍ଶନ କରିଥିଲା ତାହାର ସମସ୍ତ ଶ୍ରେୟ ନିଜ ସପକ୍ଷରେ ନେଇଥିଲେ ଧର୍ମେନ୍ଦ୍ର । ତେଣୁ ପୁଣିଥରେ ସେହିଭଳି ପ୍ରଦର୍ଶନ ଦୋହାରାଇବାକୁ ଧର୍ମେନ୍ଦ୍ର ନିଶ୍ଚୟ ଚେଷ୍ଟା କରିବେ । ଅନ୍ୟପଟେ ବିଜେଡିର ଗଡ ଥିବା ପିପିଲିରେ ଗେରୁଆ ବାନା ଉଡାଇବା ଏତେ ସହଜ ମଧ୍ୟ ନୁହେଁ ଏକଥାକୁ ବେଶ ଭଲ ଭାବରେ ଆକଳନ କରିଥାଇପାରନ୍ତି ଧର୍ମେନ୍ଦ୍ର । ଦଳୀୟ ଭୋଟବ୍ୟାଙ୍କ ଓ ନବୀନଙ୍କ ଲୋକପ୍ରିୟତା ପିପିଲିରେ ବିଜେପିକୁ ବ୍ୟାକଫୁଟକୁ ଠେଲି ଦେଇପାରେ । ଏଭଳି ସ୍ଥଳେ ଯଦି ପିପିଲି ଆସନରେ ପଦ୍ମ ନ ଫୁଟୁଛି ତେବେ ପରାଜୟର ବୋଝ ନେତୃତ୍ୱ ନେଉଥିବା ନେତାଙ୍କ ମୁଣ୍ଡରେ ବୋଳାଯିବ । ଏଭଳିସ୍ଥଳେ ପରାଜୟ ସହ ଦଳୀୟ ମହଲରେ ନିଜର ଛବି ଖରାପ କରିବାକୁ କିଏ ବା ଚାହିଁବ? ତେଣୁ ପୌର ଓ ପଞ୍ଚାୟତ ନିର୍ବାଚନରେ ପିପିଲି ପରାଜୟର ଟ୍ୟାଗ୍ ଧରି ନ ଓହ୍ଲାଇବାକୁ ମନ ବଳାଇଥାଇ ପାରନ୍ତି ମୁକୁ ଭାଇ?

ପୁରନ୍ଦେଶ୍ୱରୀଙ୍କ ମାତ୍ରାଧିକ ହସ୍ତକ୍ଷେପ!
ଦଳୀୟ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ନୂଆ ପ୍ରଭାରୀ ଭାବେ ପୁରନ୍ଦେଶ୍ୱରୀ ନିଯୁକ୍ତି ପାଇବାପରେ ରାଜ୍ୟ ବିଜେପିରେ ଧର୍ମେନ୍ଦ୍ରଙ୍କର କାଟତି ପୂର୍ବପେକ୍ଷା ଟିକିଏ କମିଛି । ଦଳୀୟ ନେତାଙ୍କୁ ନିଜ ଷ୍ଟାଇଲରେ ହ୍ୟାଣ୍ଡେଲ କରୁଛନ୍ତି ପୁରନ୍ଦେଶ୍ୱରୀ । ସରକାରଙ୍କୁ ଘେରିବାକୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି କିନ୍ତୁ ନା ଏଥିପାଇଁ ପୁରନ୍ଦେଶ୍ୱରୀ କାହା ଠାରୁ ପରାମର୍ଶ ନେଉଛନ୍ତି ନା କାହାକୁ ପରବାଏ କରୁଛନ୍ତି । କିନ୍ତୁ କିଛି ଦିନ ପୂର୍ବେ ଏହାର ସମ୍ପୂର୍ଣ୍ଣ ବୀପରୀତ ସ୍ଥିତି ଦେଖିବାକୁ ମିଳିଥିଲା । ଯେତେବେଳେ ଧର୍ମେନ୍ଦ୍ରଙ୍କ ବିନା ରାଜ୍ୟ ବିଜେପିରେ ପତ୍ରଟିଏ ହଲିବନି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ଦଳୀୟ ବ୍ୟାପାରରେ ସ୍ଥାନୀୟ ଶୀର୍ଷ ନେତାଙ୍କୁ ସାଇଡଲାଇନ କରି ପୁରନ୍ଦେଶ୍ୱରୀଙ୍କ ମାତ୍ରାଧିକ ହସ୍ତକ୍ଷେପକୁ ନେଇ ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ତେଣୁ ପିପିଲି ପାଇଁ ପୁରନ୍ଦେଶ୍ୱରୀ ଯେଉଁ କବାଟକିଳା ବୈଠକ କରୁଛନ୍ତି ସେଠାରେ ଧର୍ମେନ୍ଦ୍ରଙ୍କୁ ଦେଖିବାକୁ ମିଳୁନାହିଁ ବୋଲି ଚର୍ଚ୍ଚା ହେଉଛି ।

ସମ୍ବିତଙ୍କ ପାଇଁ ସାଇଡଲାଇନ !
ପିପିଲି ଉପ-ନିର୍ବାଚନ ପାଇଁ ଆଜି ବିଜେପି ପାର୍ଟି ଅଫିସରେ ବୈଠକ ବସିଥିଲା । ଯେଉଁଥିରେ ପଞ୍ଚାୟତସ୍ତରରେ ନେତାଙ୍କୁ ଦାୟିତ୍ୱ ବଣ୍ଟାଯିବା ନେଇ ଆଲୋଚନା ହୋଇଥିଲା । ଆଉ ଏହ ବୈଠକରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଦେଖିବାକୁ ମିଳିଥିଲା । ଆଉ ଏହି ବୈଠକ ଏହି ସଂକେତ ଦେଉଥିଲା ଯେ, ପିପିଲି ଉପ-ନିର୍ବାଚନରେ ସମ୍ବିତଙ୍କୁ ବଡ ଭୂମିକାରେ ଦେଖିବାକୁ ମିଳିପାରେ । ଯେହେତୁ ସମ୍ବିତ ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ ତେଣୁ ପିପିଲି ଉପ-ନିର୍ବାଚନରେ ତାଙ୍କୁ ଦଳ ସାମ୍ନାକୁ ଆଣି ମୈଦାନକୁ ଓହ୍ଲାଇପାରେ । ଆଉ ସମ୍ବିତଙ୍କୁ ଗୁରୁତ୍ୱ ଦିଆଯିବା ଜାଣିବା ପରେ ବୋଧହୁଏ ନିଜ ଆଡୁ ଧର୍ମେନ୍ଦ୍ର ପିପିଲି ଉପ-ନିର୍ବାଚନରୁ ସାଇଡଲାଇନ ହୋଇଛନ୍ତି । ଅନ୍ୟ ଏକ ଚର୍ଚ୍ଚା ଅନୁଯାୟୀ, ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ପାଇଁ ଧର୍ମେନ୍ଦ୍ର ବ୍ୟସ୍ତ ରହୁଥିବାରୁ ପିପିଲି ଉପ-ନିର୍ବାଚନ ପାଇଁ ଯଥେଷ୍ଟ ସମୟ ଦେଇପାରୁନାହାନ୍ତି । ଯେହେତୁ ପଶ୍ଚିମବଙ୍ଗ ବିଜୟ ଏବେ ବିଜେପିର ସବୁଠୁ ବଡ ପ୍ରାଥମିକତା ରହିଛି ତେଣୁ କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କର ଫୋକସରେ ପିପିଲି ନଥିବା କୁହାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.